Odiapua.com

ଭଦ୍ରକ ବିଜେଡି ସମର୍ଥକଙ୍କ ଦ୍ୱାରା ବିଜେପି ମହିଳା ମୋର୍ଚ୍ଚା ନେତ୍ରୀଙ୍କୁ ଦୁର୍ବ୍ୟବହାର, ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେଲେ ରାଜ୍ୟବ୍ୟାପୀ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ

ଭଦ୍ରକ,୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ପୂର୍ବରୁ ଭଦ୍ରକ ବିଜେଡି ସମର୍ଥକଙ୍କ ଦ୍ୱାରା ଜିଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ସଂପାଦିକାଙ୍କୁ ଦୁର୍ବ୍ୟବହାର ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ଗିରଫ କରାନଗଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ସଭାନେତ୍ରୀ ହରପ୍ରିୟା ସାହୁ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ‘ମମିତା ମେହେର ପରିବାରଙ୍କୁ ନ୍ୟାୟ’ ଦେବା ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ନିକଟରେ ହଠାତ୍ କିଛି ବିଜୁ ଯୁବ ବାହିନୀର ସମର୍ଥକ ବୋଲାଉଥିବା ଯୁବକ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ପୁଲିସ୍ ଗାଡି ଭିତରେ ପ୍ରବେଶ କରି ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ ବ୍ୟବହାର କରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏଭଳି ଘଟଣା ସମସ୍ତ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ଯାହା ଲଜ୍ଜାକର ଘଟଣା । ଏହି ଘଟଣା ପଛରେ ଚାନ୍ଦବାଲି ଓ ଭଦ୍ରକ ବିଧାୟକଙ୍କ ସମର୍ଥକ ଥିବା ବିଷୟ ଶୁଣିବାକୁ ମିଳୁଛି । ଯାହା ତଦନ୍ତ ସାପେକ୍ଷ ବୋଲି ହରପ୍ରିୟା ସାହୁ କହିଛନ୍ତି । ସେ ଦେଇଥିବା ସୂଚନା ଅନୁସାରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି ।

କିନ୍ତୁ ଯେଉଁ ନବୀନ ସରକାର ମା’କୁ ସମ୍ମାନ ଦେଉଥିବାର ମିଛ ନାରା ଦେଉଛି, ତାହା ରାସ୍ତା ମଝିରେ ନାରୀମାନଙ୍କୁ ଅପମାନ ଓ ଦୁର୍ବ୍ୟବହାର କରିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି ବୋଲି କହିଛନ୍ତି । ଏବଂ ବିଜେଡି ସରକାର ନାରୀମାନଙ୍କୁ କେତେ ସୁରକ୍ଷା ଦିଏ, ତାହା ଏହି ଘଟଣାରୁ ପ୍ରମାଣିତ ହୋଇଛି । ଏଭଳି ଅଶୋଭନୀୟ ଘଟଣା ପଛରେ କିଛି ଅସାମାଜିକ ବ୍ୟକ୍ତିଙ୍କୁ ଚିହ୍ନିବା ପରେ ଏବଂ ସେମାନଙ୍କ ମଧ୍ୟରୁ କେତେକ ଭଦ୍ରକ ଦଙ୍ଗାରେ ଜଡିତ ଥିବା ଦଙ୍ଗାକାରୀ ବୋଲି ସେ ଜାଣିବାକୁ ପାଇଛନ୍ତି । ଏଣୁ ସେ ଏହି ଘଟଣାରେ ଗତକାଲି ସନ୍ଧ୍ୟାରେ ପୁଲିସ୍ ଉପସ୍ଥିତିରେ ଘଟିଥିବା ଘଟଣା ପାଇଁ ପୁଲିସ୍ ନିଜ ପକ୍ଷରୁ କୌଣସି ମାମଲା ରୁଜୁ ନକରିଥିବାରୁ ସେ ଦେଇଥିବା ୨୪ ଘଣ୍ଟା ପୂରଣ ହୋଇଥିବା ନେଇ ଆଜି ସେମାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ପତ୍ର ଦେବାର ପ୍ରସ୍ତୁତି ହୋଇଥିବା ବିଷୟ ସୂଚାଇଛନ୍ତି । ଏବଂ ଏମାନଙ୍କ ବିରୁଦ୍ଧରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସ୍‌ପିଙ୍କୁ ଲିଖିତ ଅଭିଯୋଗ ଦେବା ପରେ କୌଣସି ସମାଧାନ ନହେଲେ ଆଗାମୀ ୭ ଦିନ ମଧ୍ୟରେ ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାହୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦୀପ ନାୟକ, ଉପସଭାପତି ଚୈତାଳି ଖିଲାର, ସଂପାଦିକା ଲିପିକା ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଘଟଣା ସମୟର ଫଟୋଚିତ୍ର ଓ ଭିଡିଓ ଗଣମାଧ୍ୟମକୁ ଦେଖାଇଥିଲେ ।