ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ଭଦ୍ରକ ରାଜନୀତି ସେତେ ସରଗରମ ହେଉଛି । ସବୁଦଳରେ ଘଡିକେ ଘୋଡା ଛୁଟୁଛି । ଏଇମିତି ବିଭିନ୍ନ ଦଳରେ ଚାଲିଛି ମିଶ୍ରଣ ପର୍ବ । ଭଦ୍ରକ କଂଗ୍ରେସର ଅନେକ ଟାଉନ୍ ସ୍ତରୀୟ ନେତା ନିଜ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବରୁ ସେମାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଦଳରୁ ବହିଷ୍କୃତ କରାଯାଇଥିଲା । ସେମାନଙ୍କୁ ଭଦ୍ରକ ବିଜେଡି ଛାତିରେ ମିଶାଇ ନେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ, ନିର୍ମଳ ସୁଶାସନ ଏବଂ ଭଦ୍ରକର ଯୁବ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଆସ୍ଥା ପ୍ରକଟ କରି ଭଦ୍ରକ ସହୀଦ ସ୍ମୃତି ଭବନରେ ଆୟୋଜିତ ବିଜେଡିର ଏହି ବିଶାଳ ମିଶ୍ରଣ ପର୍ବରେ ଭାରତୀୟ ଜାତୀୟ କଂଗ୍ରେସର ନେତା ଦିଲ୍ଲୀପ ନାୟକ, ଆଶିଷ ରାଉତ, ସବିତା ନାୟକ, ସେକ୍ ସମଦାନୀ, ଅତୁଲ୍ୟ ନାୟକ, ଉର୍ମିଳା ଚୌଧୁରୀ, ଗଜେନ୍ଦ୍ର ପଣ୍ଡା, ସେକ୍ ଫଜିରୁଦ୍ଦିନ୍, ପ୍ରଦୀପ ନାୟକ, ଆଶିଷ ନାୟକ, ଅମର ନାୟକ, ମିରାଜ ଅଲ୍ଲୀଫୁର ରହେମାନ, ଅଶୋକ ବିଶ୍ୱାଳ, ରତିକାନ୍ତ ପରିଡା ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ରହି ବିଜେଡିରେ ସାମିଲ ହୋଇଥିଲେ । ଏହି ମିଶ୍ରଣ ପର୍ବରେ ଜିଲା ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ବଳବନ୍ତ ରାୟ, ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, କ୍ଷୀରୋଦ ରାଉତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ଜିଲା ବିଜେଡି ଉପସଭାପତି ମଳୟ ଜେନା, ରାକେଶ ପଣ୍ଡା, ତଥାଗତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।