Odiapua.com

ଭଦ୍ରକ ବସ୍ ସିଣ୍ଡିକେଟ୍‌ରୁ ଅର୍ଥ ହଡପ ଅଭିଯୋଗ : ଖଣ୍ଡନ କଲେ ପୂର୍ବତନ କର୍ମକର୍ତ୍ତା

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବସ୍ ସିଣ୍ଡିକେଟ୍‌ରୁ କୋଟି କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗ ପରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଅଧିକ ଘନେଇବାରେ ଲାଗିଛି । ଆରୋପ ଓ ପ୍ରତ୍ୟାରୋପ ଭିତରେ ୨ ଗୋଷ୍ଠୀ ଉଭୟଙ୍କୁ ଦୋଷାରୋପ କରିବାରେ ଲାଗି ପଡିଛନ୍ତି । ମାର୍ଚ୍ଚ ମାସ ୨୦୨୦ ରେ ସିଣ୍ଡିକେଟ୍‌ର ସମୟସୀମା ପୂରଣ ସହ ନୂଆ କର୍ମକର୍ତ୍ତା ଚୟନ ନେଇ ନିର୍ବାଚନ ହୋଇଥାନ୍ତା । ତେବେ କରୋନା କଟକଣା ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ତେବେ ସିଣ୍ଡିକେଟ୍‌ରୁ ୨୦୧୩ ମସିହାରୁ ୨୦୨୦ ମାର୍ଚ୍ଚ ମାସ ଯାଏ କୋଟି କୋଟି ଟଙ୍କାର ଅର୍ଥ ହଡପ ହୋଇଥିବା ଅଭିଯୋଗ କରି ଏହାର ଅଡିଟ୍ ପାଇଁ ଦାବି କରିଛନ୍ତି କିଛି ବସ୍ ମାଲିକ । ଏହି ଅଭିଯୋଗ ପରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଏକ ଅନ୍ତରୀଣ କମିଟି ଗଠନ କରାଯିବା ସହ ସିଣ୍ଡିକେଟ୍ କାର୍ଯ୍ୟାଳୟକୁ ସିଲ୍ କରି ସମସ୍ତ କାଗଜପତ୍ର ସିଜ୍ କରାଯାଇଛି । ତେବେ ଏହି ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ଓ ଏହା କିଛି କୁଚକ୍ରୀ ବସ୍ ମାଲିକଙ୍କ ଉଦ୍ଦେଶ୍ୟ ମୂଳକ ଅଭିଯୋଗ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଣ୍ଡିକେଟ୍‌ର ପୂର୍ବତନ କର୍ମକର୍ତ୍ତା । ଅର୍ଥ ହଡପ ଅଭିଯୋଗକୁ ଖଣ୍ଡନ କରିବା ସହ ଅଡିଟ୍ ୨୦୧୩ ମସିହା ପରିବର୍ତ୍ତେ ୧୯୯୭ ରୁ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲା ସିଣ୍ଡିକେଟ୍‌ର ପୂର୍ବତନ ସଭାପତି, ସଂପାଦକ ଓ ଉପସଭାପତି । ପ୍ରତ୍ୟେକ ଦୁଇବର୍ଷରେ ଥରେ ନିର୍ବାଚନ ସମୟରେ କିଛି ବସ୍ ମାଲିକ ବିଶୃଙ୍ଖଳା ସୃଷ୍ଟି କରିବା ସହ କର୍ମକର୍ତ୍ତା ନିର୍ବାଚନକୁ ଭଣ୍ଡୁର କରିବାକୁ ଅପଚେଷ୍ଟା କରନ୍ତି । ତେଣୁ ଅଡିଟ୍ ଆଳ ଦେଖାଇ ନିର୍ବାଚନକୁ ଘୁଞ୍ଚା ନଯାଇ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ କରାଯାଉ ଏବଂ ଅର୍ଥ ଆତ୍ମସାତ୍ ଅଭିଯୋଗର ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପୂର୍ବତନ ବସ୍ ସିଣ୍ଡିକେଟ୍ କର୍ମକର୍ତ୍ତା । ଫଳରେ ଅଭିଯୋଗ ସତ୍ୟତା ପଦାକୁ ଆସିପାରିବ ।