Odiapua.com

ଭଦ୍ରକ ବଣିକ ସଂଘ ଓ ବ୍ୟବସାୟୀ ମହାସଂଘର ମିଳିତ ସାମ୍ବାଦିକ ସମ୍ମିଳନୀ, ଥଇଥାନ ଦାବିରେ ଆସନ୍ତା ୧୯ ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ବ୍ୟବସାୟ କରି ଜୀବନ ବିତାଉଥିବା ହଜାର ହଜାର ବ୍ୟବସାୟୀମାନଙ୍କୁ ସରକାର ଜୋର ଜବରାଣ ଉଚ୍ଛେଦ କରିବାର ୫ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଥଇଥାନ ନକରିବା ପ୍ରତିବାଦରେ ଆଜି ଭଦ୍ରକ ବଣିକ ସଂଘ ଓ ବ୍ୟବସାୟୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏବଂ ସରକାର ଯଦି ସେମାନଙ୍କୁ ଥଇଥାନ ନକରନ୍ତି, ସେମାନେ ଆସନ୍ତା ୧୯ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ବଣିକ ସଂଘର ଉପସଭାପତି ନରେନ୍ଦ୍ର ପ୍ରସାଦ ସାହୁ ଓ ସଂପାଦକ ଲାଲା ଜଗଦୀଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶତାଧିକ ବ୍ୟବସାୟୀମାନେ ଯୋଗଦେଇ ସେମାନଙ୍କୁ ୫ ମାସ ହେଲା ଉଚ୍ଛେଦ କରିଥିବାରୁ ଦାନା ହରାଇ ବସିଥିବା ସହିତ ଛୋଟ ବ୍ୟବସାୟୀମାନଙ୍କର ପରିବାର ଭୋକ ଉପବାସରେ ଦିନ କାଟୁଛନ୍ତି। ଉକ୍ତ ବ୍ୟବସାୟୀମାନଙ୍କ ସହ କାର୍ଯ୍ୟରତ ପରିବହନ, ମଜଦୁର କର୍ମଚାରୀ ଓ ସହଯୋଗୀମାନେ ଜୀବିକା ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଥଇଥାନ ପୂର୍ବରୁ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିବାରୁ ତାର ପ୍ରତିବାଦରେ ଆସନ୍ତା ୧୯ ରେ ଏକ ପ୍ରତିବାଦ ସଭା ଗାନ୍ଧି ପଡିଆରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି। ଏବଂ ସରକାର ଓ ପ୍ରଶାସନ ଯଦି ବ୍ୟବସାୟୀମାନଙ୍କୁ ତୁରନ୍ତ ଥଇଥାନ କରାଯିବାର ବ୍ୟବସ୍ଥା ନକରନ୍ତି, ସେମାନେ ଆନ୍ଦୋଳନାତ୍ମକ ପନ୍ଥା ନେବାକୁ ବାଧ୍ୟ ହେବେ, ସେଥିପାଇଁ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ଭଦ୍ରକ ଚେମ୍ପର ଅଫ କମର୍ସର ସଭାପତି ଗୌରାଙ୍ଗ ପଣ୍ଡା, ପଙ୍କଜ ବଳ, ଆଇନ୍‌ଜୀବୀ ଦିବ୍ୟସିଂହ ନାୟକ, ଚିତରଂଜନ ବରାଳ ପ୍ରମୁଖ ଦାବୀ କରିଛନ୍ତି। ଏବଂ ଆଗାମୀ ଦିନରେ ପୁନର୍ବାର ଅବଶିଷ୍ଟ ଦୋକାନୀମାନଙ୍କୁ ଆସନ୍ତା ୧୭ ରେ ଉଚ୍ଛେଦ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିଛନ୍ତି। ସେଥିରୁ ସରକାର ଯଦି କ୍ଷାନ୍ତ ନରୁହନ୍ତି, ତେବେ ବ୍ୟବସାୟ ସଂଘ ତରଫରୁ ଦୃଢ ପ୍ରତିବାଦ କରାଯିବ ବୋଲି ସଂଘର କର୍ମକର୍ତାମାନେ ସୂଚାଇଛନ୍ତି। ପ୍ରଶାସନ ପକ୍ଷରୁ ଥଇଥାନ ନକରିବା ପର୍ଯ୍ୟନ୍ତ ପୁନରାୟ ବ୍ୟବସାୟୀମାନଙ୍କୁ ଉଚ୍ଛେଦ କାର୍ଯ୍ରକ୍ରମ ବନ୍ଦ କରିବାକୁ ସରକାର ଓ ପ୍ରଶାସନ ତୁରନ୍ତ ନିଷ୍ପତି ନେବା ପାଇଁ ସେମାନେ ନିବେଦନ କରିଛନ୍ତି। ଏବଂ ଏଥିନିମନ୍ତେ ପୌର ପରିଷଦର ଚେୟାରମେନ, ବିଧାୟକ, ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବଣିକ ସଂଘର ସଭାପତି ହାଜି ମହମ୍ମଦ ଅବଦୁଲ ବାରି, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।