Odiapua.com

ଭଦ୍ରକ ପ୍ରେସ୍ କ୍ଲବ୍‌ର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ

ଭଦ୍ରକ, ୨୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘବର୍ଷର ବ୍ୟବଧାନ ପରେ ଭଦ୍ରକ ପ୍ରେସ୍ କ୍ଲବ୍‌ର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ଉପଲକ୍ଷେ ଆଜି ପୂର୍ବାହ୍ନ ପ୍ରାୟ ୧୧ ଘଟିକା ସମୟରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଭଦ୍ରକର କାର୍ଯ୍ୟରତ ସାମ୍ବାଦିକମାନଙ୍କର ଏକ ବନ୍ଧୁମିଳନ ଉତ୍ସବର ଆୟୋଜନ ହୋଇଥିଲା । ଏକଦା ତତ୍‌କାଳୀନ ମନ୍ତ୍ରୀ ଶରତ କୁମାର କରଙ୍କ ଦ୍ୱାରା ସହୀଦ ସ୍ମୃତି ଭବନରେ ଉଦ୍‌ଘାଟିତ ଭଦ୍ରକର ବହୁ ପୁରାତନ ପ୍ରେସ୍ କ୍ଲବ୍‌ର ପୁନର୍ଗଠନ ନେଇ ଏହି ବନ୍ଧୁମିଳନ ଉତ୍ସବରେ ଆଲୋଚନା କରାଯାଇଥିଲା । ଏହି କ୍ଲବ୍‌ର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନା ଏହି ଉତ୍ସବରେ ଅଧ୍ୟକ୍ଷତା କରି ସମସ୍ତ ଭେଦଭାବ ଓ ସଂକୀର୍ଣ୍ଣ ମନୋଭାବ ପରିତ୍ୟାଗ କରି ଏକ ସକରାତ୍ମକ ମନୋଭାବ ରଖି ଅବହେଳିତ ଅବସ୍ଥାରେ ପଡିଥିବା ଭଦ୍ରକ ପ୍ରେସ୍ କ୍ଲବ୍‌ଟିର ପୁନର୍ଗଠନ ଦିଗରେ ଜିଲାସ୍ତରରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରତାପ ଦାସ ଓ ପ୍ରମୋଦ ରାୟ ଏଭଳି ଏକ ସାଧୁ ଉଦ୍ୟମର ଆରମ୍ଭ ବିଳମ୍ବରେ ହେଲେ ବି ପୁନର୍ଗଠନ ହେବା ଉଚିତ୍ ବୋଲି କହିଥିଲେ । ଏବଂ ସମସ୍ତଙ୍କ ସହଯୋଗରେ ସଠିକ୍ ଭାବେ କାର୍ଯ୍ୟ କଲେ ଏହା ଜିଲା ପ୍ରଶାସନ, ସ୍ଥାନୀୟ ଜନସାଧାରଣ ଓ ଜନ ପ୍ରତିନିଧିମାନଙ୍କ ମଧ୍ୟରେ ସୁସ୍ଥ ସମାଜ ଗଠନ ଦିଗରେ ଏକ ସମନ୍ୱୟର ସେତୁ ରୂପେ ଉଭା ହେବ ବୋଲି ସୂଚାଇଥିଲେ । ଏହି ଉତ୍ସବର ପ୍ରାରମ୍ଭରେ ସାମ୍ବାଦିକ ଗୌରହରି ନାୟକ ସମସ୍ତଙ୍କ ସହମତିରେ ପ୍ରେସ୍ କ୍ଲବ୍‌ର କାର୍ଯ୍ୟକାରିତା ନେଇ ଏକ ପ୍ରସ୍ତୁତି ଖସଡା ପାଠ କରି ଏହାର ସୁପରିଚାଳନା ପାଇଁ ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନା, ନିହାର ଦାସ, ପ୍ରତାପ ଦାସ ଓ ପ୍ରମୋଦ ରାୟଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ପ୍ରେସ୍ କ୍ଲବ୍‌ର ପୁନର୍ଗଠନ ନେଇ ତପନ ସ୍ୱାଇଁ, ରବିନାରାୟଣ ଖିଲାର, ରାଜେନ୍ଦ୍ର ପ୍ରସାଦ ଜେନା, ଉମାକଲ୍ୟାଣ ମହାପାତ୍ର, ଶିବାନନ୍ଦ ଦାସ, ସତ୍ୟଭୂଷଣ ସ୍ୱାମୀ, ସଂଜୟ ଦାସ, ଶୈଳେନ୍ଦ୍ର କୁମାର ପଲେଇ, କ୍ଷୀତିଶ ସାମନ୍ତ ବେହେରା, ଲିପିକା ରାଉତ, ସୁଜାତା ସ୍ୱାଇଁ, ସନ୍ତୋଷ ସାହୁ, ନବକିଶୋର ସ୍ୱାଇଁ, ମନୋରଂଜନ ମହାନ୍ତି, ଦିଲ୍ଲୀପ କୁମାର ମହାନାୟକ, ସୀତାକାନ୍ତ ପାଢୀ, ସାଧନ ଧର, ହୃଷିକେଶ ଗୋସ୍ୱାମୀ, ନସିମ ଅଖତର, ରାକେଶ ଦାସ ପ୍ରମୁଖ ଆଲୋଚନା କରିଥିଲେ । ତେବେ ଜିଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଏକତା ଓ ସୁରକ୍ଷା ଦିଗରେ ଭଦ୍ରକ ପ୍ରେସ୍ କ୍ଲବ୍‌ର ପୁନର୍ଗଠନ ନିହାତି ଆବଶ୍ୟକ ଥିଲା ବୋଲି ସାମ୍ବାଦିକ ସ୍ମୃତିରଂଜନ ସାହୁ, ଚାରୁଦତ୍ତ ନାୟକ, ଅତିଶ ବେହେରା, ପାର୍ଥସାରଥୀ ନାୟକ ପ୍ରମୁଖ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଶେଷରେ ଆଗାମୀ ବୈଠକରେ କ୍ଲବ୍‌ର ପୁନର୍ଗଠନ ନେଇ କାର୍ଯ୍ୟକର୍ତ୍ତାଙ୍କ ନାମ ତାଲିକା ଘୋଷଣା ପାଇଁ ନିଷ୍ପତ୍ତି ଗୃହିତ ହୋଇଥିଲା ।