ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ପୌର ପରିଷଦ ଦ୍ୱାରା ଅନୁମୋଦିତ ୩ଟି ପ୍ରକଳ୍ପର ଉଦ୍ଘାଟନକୁ ନେଇ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ପୌରାଂଚଳ ସ୍ଥିତ ୬ନଂ ୱାର୍ଡ ମଠସାହିରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ଶ୍ମଶାନ, ନୂଆ ବସ୍ଷ୍ଟାଣ୍ଡ ନିକଟରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ଆଧୁନିକୀ ସୁଲଭ ଶୌଚାଳୟ ଓ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟରେ ଇଭି ଚାର୍ଜିଂ ଷ୍ଟେସନର ଆଜି ୧୦.୩୦ ମିନିଟ୍ ସମୟରେ ଉଦ୍ଘାଟିତ ହେବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ଫଳକ ମଧ୍ୟ ଲଗାଯାଇଥିଲା। ଏହି ଫଳକରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟସଭା ସାଂସଦ ମନମୋହନ ସାମଲ, ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ସହ ଜିଲାପାଳ ଦିଲ୍ଲୀପ ରାଉତରାଏ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ଉପାଧ୍ୟକ୍ଷା ଅଂଜୁବାଳା ଜେନା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ବହନ କରୁଥିବା ଉପଜିଲାପାଳ ସୌରଭ ଚକ୍ରବର୍ତୀଙ୍କ ନାମ ଉଲ୍ଲେଖ ଥିଲା। ତେବେ ଉଦ୍ଘାଟନ ପୂର୍ବରୁ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ୫୦ ମିନିଟ୍ ପୂର୍ବରୁ କାଉନସିଲରମାନଙ୍କୁ ନେଇ ଅଚାନକ ଭାବେ ଏହି ୩ଟି ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ଏହି ଘଟଣାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଶାସକ ଦଳର କର୍ମକର୍ତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସାଂସଦ ଶ୍ରୀ ସେଠୀ, ବିଧାୟକ ଶ୍ରୀ ମହାପାତ୍ର ଓ ବିଜେପି ଜିଲା ସଭାପତି ଭଗବାନ ପଣ୍ଡାଙ୍କ ନେତୃତ୍ୱରେ ଶାସକ ଦଳର କର୍ମକର୍ତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସାଂସଦ ଓ ବିଧାୟକ ଜିଲାପାଳଙ୍କୁ ଭେଟି ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ ଶାସକ ଦଳର ସମର୍ଥକମାନେ ଜିଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟର ପ୍ରବେଶ ପଥକୁ ଦୀର୍ଘ ଏକ ଘଂଟା ଧରି ଅବରୋଧ କରି ବସି ରହିଥିଲେ। ଜିଲାପାଳଙ୍କ ଚାମ୍ବରରେ ଏହି ଘଟଣା ନେଇ ଏକ ବୈଠକ ବସିଥିଲା। ଏହି ବୈଠକରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ, ପିଡି ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ଏକଘଂଟାରୁ ଉର୍ଦ୍ଧ୍ୱ ଧରି ରୁଦ୍ଧଦ୍ୱାରରେ ଆଲୋଚନା ଜାରି ରହିଥିଲା। ପରେ ସାଂସଦ ଓ ବିଧାୟକ ବାହାରକୁ ଆସି ଅସନ୍ତୁଷ୍ଟ ସମର୍ଥକମାନଙ୍କୁ ବୁଝାସୁଝା କରି ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ଏହି ବିବାଦୀୟ ଘଟଣାକୁ ନେଇ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେହେତୁ ୩ଟି ପ୍ରକଳ୍ପ ଭଦ୍ରକ ପୌର ପରିଷଦ ପାଣ୍ଠିରେ ନିର୍ମାଣ କରାଯାଇଛି, ଆଜିର ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ତାଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ଯାହାଫଳରେ କାଉନସିଲରମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ସଂପର୍କରେ ସେ ଜିଲାପାଳଙ୍କୁ ଟେଲିଫୋନ୍ କରିଥିଲେ ମଧ୍ୟ କୌଣସି ଉତର ମିଳିନଥିଲା। ଏହି କାର୍ଯ୍ୟକ୍ରମରେ ପୌରପାଳିକାକୁ ବାଦ୍ ଦେବା ଘଟଣା କାଉନ୍ସିଲରମାନଙ୍କୁ ଅପମାନିତ କରିବା ସହ ପୌରପାଳିକାର ମର୍ଯ୍ୟାଦା ହାନି ଘଟିଛି । ଏଣୁ ସେ ଏଭଳି ଏକ ନିଷ୍ପତି ନେବାକୁ ସେ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ ସାଂସଦ ଶ୍ରୀ ସେଠୀ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଏହା ଏକ ନୀଚ୍ଚ ଚିନ୍ତାଧାରାର କାର୍ଯ୍ୟ। ରାଜନୈତିକ ଫାଇଦା ଉଠାଇବା ପାଇଁ ବିରୋଧୀ ମାନଙ୍କର ଏହା ଏକ ନାଟକ ବୋଲି ସେ କହିଥିଲେ। ସେହିପରି ବିଧାୟକ ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଲେ ଯେ ଆଜିପର୍ଯ୍ୟନ୍ତ ଆମ ଦଳ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଆକ୍ରୋଶ ମୂଳକ ଭାବେ ଅପମାନିତ କରିନାହିଁ। ଆଜିର ଏହି କାର୍ଯ୍ୟକ୍ରମ ସଂପର୍କରେ ଉପଜିଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କୁ ଓ ସାଂସଦଙ୍କୁ କାଲି ରାତିରେ ଉଦ୍ଘାଟନ ସଂପର୍କରେ ମୋବାଇଲ୍ ମାଧ୍ୟମରେ ଜଣାଇଥିଲେ। ସେହିପରି ପୌରାଧ୍ୟକ୍ଷାଙ୍କୁ ନିର୍ବାହୀ ଅଧିକାରୀ ଟେଲିଫୋନ୍ ଯୋଗେ ଏ ସଂପର୍କରେ ସୂଚନା ଦେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପୌରାଧ୍ୟକ୍ଷା ତାଙ୍କ ଟେଲିଫୋନ୍କୁ ଉଠାଇନଥିଲେ। ସାଂସଦ, ବିଧାୟକ ଓ ଜନପ୍ରତିନିଧିମାନେ ଅନୁପସ୍ଥିତି ଥିବା ସତ୍ୱେ କାର୍ଯ୍ୟକ୍ରମର ଯଥାସମୟ ପୂର୍ବରୁ ଏହାକୁ ଉଦ୍ଘାଟନ କଲେ। ଏହା ଭଦ୍ରକବାସୀ ଦେଖୁଛନ୍ତି। ଭଦ୍ରକବାସୀ ବିଗତ ଦିନରେ ଯେଉଁ ଭୁଲ୍ କରିଥିଲେ, ତାହା ଆଗାମୀ ଦିନରେ ସେ ଭୁଲ୍ କରିବେ ନାହିଁ ବୋଲି ବିଧାୟକ କହିଥିଲେ।