Odiapua.com

ଭଦ୍ରକ ପୌରାଚଂଳ ଓ ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥ, ଭଜନ କୀର୍ତ୍ତନରେ ଘରକୁ ଘର ବୁଲି ଗୁଆ, ଚାଉଳ ସଂଗ୍ରହ

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଆଜି ଭଦ୍ରକ ପୌରାଚଂଳ ଓ ବ୍ଲକରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ତଥା ପରିକ୍ରମା ଆରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ଭଦ୍ରକ ସହରାଚଂଳ ସାଳନ୍ଦୀ ବାଇପାସ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଏହି ଅର୍ପଣ ରଥ ରୁ ଶୁଭାରମ୍ଭ କାର୍ଯ୍ୟ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ପୌର ଉପାଧ୍ୟକ୍ଷା ଅଂଜୁବାଳା ଜେନା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରବୀର ଜେନା, ବରିଷ୍ଠ କାଉନସିଲର ଦିଲିପ୍ ନାୟକ, ସାଂସଦଙ୍କ ପୌରପାଳିକା ପ୍ରତିନିଧି ପ୍ରଣୟ ଦାସ, କାଉନସିଲର ଆଶୀଷ ଅମିତାଭ ମହାପାତ୍ର, ଯୁବନେତା ଇଲୁ ନାୟକ, ଟାଉନ ମହିଳା ବିଜେଡି ସଭାନେତ୍ରୀ ଦେବହୂତୀ ମହାପାତ୍ର, ମମତା ନାୟକଙ୍କ ସମେତ ଭଦ୍ରକ ତହସିଲଦାର ପ୍ରିୟଦର୍ଶନ ସଂଗ୍ରାମକେଶରୀ ଖୁଟିଂଆ, ପୌର ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି ଓ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଭଦ୍ରକ ପୌରାଚଂଳର ୩୦ଗୋଟି ୱାର୍ଡକୁ ପରିକ୍ରମା କରି ପ୍ରତି ଘରୁ ଅକ୍ଷତ ଗୁଆ ଓ ଚାଉଳ ସଂଗ୍ରହ କରିବ ।

କୀର୍ତନ ମଣ୍ଡଳୀର ମୃଦଙ୍ଗ,ଝାଞ୍ଜ ବାଦନ ସହ ଜୟ ଜଗନ୍ନାଥ ଧ୍ୱନି ଓ ଭଜନରେ ସଂପୃକ୍ତ ଅଂଚଳ ପ୍ରକମ୍ପିତ ହୋଇଥିଲା । ଅନୁରୂପଭାବେ ଆଜି ଭଦ୍ରକ ବ୍ଲକ ବହୁଦରଡା ପଂଚାୟତ ଠାରେ ଶ୍ରୀଜଗନ୍ନାଥ ମନ୍ଦିର ରୁ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ହୋଇଛି । ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ ଶ୍ରୀଫଳ ଭାଙ୍ଗି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ତାଙ୍କ ସହ ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ବରିଷ୍ଠନେତା ପ୍ରଭାତ ଜେନା, ଭଦ୍ରକ ବିଡିଓ ସୀତାକାନ୍ତ ରାଉତଙ୍କ ସହ ପଂଚାୟତ ପ୍ରତିନିଧି ଓ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଭଜନ, କୀର୍ତନ ର ତାଳେତାଳେ ଲୋକେ ଭକ୍ତି ଭାବନା ସହ ଗୁଆ ଓ ଚାଲଳ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ରଥ ପରିକ୍ରମା ବେଳେ ଶତାଧିକ ଲୋକ ସାମିଲ ଥିଲେ । ଭଦ୍ରକ ବ୍ଲକ ଅଧିନ ୩୬ ପଂଚାୟତ ପରିକ୍ରମା କରି ପ୍ରତ୍ୟେକଙ୍କ ଘରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିବ ଓ ଆସନ୍ତା ୧୭ ତାରିଖ ଏହି ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ଲୋକେ ସଂଗୃହିତ ଗୁଆ ଚାଉଳକୁ ନେଇ ମନ୍ଦିର କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ବୋଲି ବିଧାୟକ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ଆଜି ଗୁଜିଦରଡାରୁ ବାହାରି ଥିବା ଜୟ ଜଗନ୍ନାଥଙ୍କ ଅର୍ପଣ ରଥ ଆମ୍ଭରେଳା ଓ ଏରଡାରେ ପହଂଚି ଥିବା ସୂଚନା ମିଳିଛି ।