ଭଦ୍ରକ, ୩ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ୨୮ ନମ୍ବର ୱାର୍ଡରେ ଦୀର୍ଘଦିନ ଧରି ୧୧ କେଭି ବିଦ୍ୟୁତ ଲାଇନକୁ କେନ୍ଦ୍ର କରି ଦେଖାଦେଇଥିବା ସମସ୍ୟା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗୁରୁତର ଚିନ୍ତାର କାରଣ ପାଲଟିଛି। ୨୬ ଓ ୨୮ ନମ୍ବର ୱାର୍ଡକୁ ବିଦ୍ୟୁତ ଯୋଗାଣ କରୁଥିବା ୧୧ କେଭି ଲାଇନ ରୋଡ଼ ବଗିଚା ଦେଇ ଅତିକ୍ରମ କରିଥିବାରୁ ବର୍ଷ ବର୍ଷ ଧରି ଗଛର ବଡ଼ ବଡ଼ ଡାଳ ବିଦ୍ୟୁତ ତାର ଉପରେ ଝୁଲି ରହିଛି। ପବନ କିମ୍ବା ବର୍ଷା ହେଲେ ଏହି ଡାଳଗୁଡ଼ିକ ତାର ଉପରେ ପଡ଼ି ବାରମ୍ବାର ବିଦ୍ୟୁତ ବିଭ୍ରାଟ ସୃଷ୍ଟି କରୁଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଯେଉଁ ସ୍ଥାନ ଦେଇ ବିଦ୍ୟୁତ ଲାଇନ ଯାଇଛି ସେଠା ଘଂଚ ଜଙ୍ଗଲ ଓ ବଡ଼ ଗଛରେ ଆବୃତ। ସେଠାରେ ସାପ ସମେତ ବିଭିନ୍ନ ବିପଦଜନକ ପ୍ରାଣୀ ରହୁଥିବାରୁ ରାତି ସମୟରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ମରାମତି କାମ କରିବାକୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଫଳସ୍ୱରୂପ ରାତି ସାରା ବିଦ୍ୟୁତ ସେବା ବନ୍ଦ ରହିଥାଏ ଏବଂ ଶହ ଶହ ପରିବାର ଅନ୍ଧାରରେ ରହିବାକୁ ବାଧ୍ୟ ହୁଅନ୍ତି।