ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଭଦ୍ରକ ପୌରପାଳିକା ଅଞ୍ଚଳରେ ନିର୍ମାଣ ହୋଇଥିବା ଫୁଡ୍ କୋର୍ଟର ଶୁଭ ଉଦ୍ଘାଟନକୁ ନେଇ ବିବାଦ ସୃଷ୍ଟି ହୋଇଛି। ପୌରପାଳିକାର ନିର୍ବାଚିତ ପରିଷଦ ସଦସ୍ୟମାନେ ସ୍ପଷ୍ଟ କରିଛନ୍ତି ଯେ, ସହରର ସୁନ୍ଦରୀକରଣ, ଆଧୁନିକୀକରଣ ଓ ବିକାଶମୂଳକ କାର୍ଯ୍ୟ ପ୍ରତି ସେମାନଙ୍କର କୌଣସି ବିରୋଧ ନାହିଁ। ବରଂ ସହରର ଉନ୍ନତି ପାଇଁ ହେଉଥିବା ପ୍ରତ୍ୟେକ ପଦକ୍ଷେପକୁ ସେମାନେ ସ୍ୱାଗତ କରୁଛନ୍ତି।ତେବେ, ୬ ନମ୍ବର ଅଞ୍ଚଳରୁ ୩ ନମ୍ବର ବାଇପାସ ନିକଟରେ ନିର୍ମିତ ଫୁଡ୍ କୋର୍ଟର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ତଥା ଭଦ୍ରକ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ତରବରିଆ ଭାବେ ଧାର୍ଯ୍ୟ କରିଥିବା ନେଇ ପରିଷଦ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଲୋକାର୍ପଣ କାର୍ଯ୍ୟକ୍ରମ ପୂର୍ବରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇନଥିଲା କିମ୍ବା ଉପଯୁକ୍ତ ସୂଚନା ମଧ୍ୟ ଦିଆଯାଇନଥିଲା।ଏହାର ପରିଣାମ ସ୍ୱରୂପ ପୌରପାଳିକାର ଅଧିକାଂଶ ନିର୍ବାଚିତ ପରିଷଦ ସଦସ୍ୟ ଏବଂ ପୌର ଅଧ୍ୟକ୍ଷା ଶ୍ରୀମତୀ ଗୁଲମାକ୍କୀ ହବିବ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସେମାନେ କହିଛନ୍ତି।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିଷଦ ସଦସ୍ୟମାନେ ଆଜିର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ସହ ଉଭୟ ପକ୍ଷଙ୍କ ସୁବିଧାଜନକ ସମୟ ଓ ତାରିଖ ନିର୍ଦ୍ଧାରଣ କରି ପୁନର୍ବାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସବିନୟ ଅନୁରୋଧ କରିଛନ୍ତି।ଫୁଡ୍ କୋର୍ଟ ଉଦ୍ଘାଟନକୁ କେନ୍ଦ୍ର କରି ଉପୁଜିଥିବା ଏହି ବିବାଦ ବର୍ତ୍ତମାନ ଭଦ୍ରକ ପୌରପାଳିକାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ପ୍ରଶାସନ ପକ୍ଷରୁ ଏହା ଉପରେ କି ପଦକ୍ଷେପ ନିଆଯାଉଛି ତାହାକୁ ସାଧାରଣ ଲୋକ ଓ ଜନପ୍ରତିନିଧିମାନେ ଅପେକ୍ଷା କରିଛନ୍ତି।