Odiapua.com

ଭଦ୍ରକ ପୌରପାଳିକାର ନିଷ୍କ୍ରିୟତା ପ୍ରତିବାଦରେ କଂଗ୍ରେସ ଭେଟିଲା ନିର୍ବାହୀ ଅଧିକାରୀଙ୍କୁ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ସମସ୍ତ କାର୍ଯ୍ୟରେ ମନ୍ଥରତା ନେଇ ଉଦ୍‌ବେଗ ପ୍ରକଟ କରିଛନ୍ତି ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି । ପୌରପାଳିକାର ସାନିଟାଇଜେସନ ପରିଚାଳନା ନିମନ୍ତେ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଟେଣ୍ଡର କରାଯାଇ ଏହାକୁ କାର୍ଯ୍ୟକାରୀ ନକରି ପୁରୁଣା ଟେଣ୍ଡରଧାରୀଙ୍କ କାର୍ଯ୍ୟକାରିତାର ସମୟସୀମାକୁ ପ୍ରତି ୨ ମାସରେ ରିନ୍ୟୁ କରି ଚାଲିଛନ୍ତି । ଏହା ବ୍ୟତୀତ ବିଭିନ୍ନ ୱାର୍ଡରେ କାର୍ଯ୍ୟ ପରିଚାଳନାରେ ଥିବା ସୁପରଭାଇଜରମାନେ ତାଙ୍କ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ପୌରାଞ୍ଚଳର ସଫେଇ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଛି । ବଜାରରେ ଦୋକାନ ଖୋଲାଯିବାର ବହୁ ସମୟ ପରେ ସଫେଇ କର୍ମଚାରୀ ଝାଡ଼ୁ ମାରୁଥିବା ବେଳେ ଧୂଳି ଉଡ଼ି ରାସ୍ତାକଡ଼ ଜଳଖିଆ ଦୋକାନର ଖାଦ୍ୟ ପଦାର୍ଥରେ ମିଶୁଛି । ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ । ପୌରାଞ୍ଚଳର ରାସ୍ତାରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ କାଁ ଭାଁ କେଉଁଠି ଜଳୁଛି ତ ଅଧିକାଂଶ ଅଞ୍ଚଳ ଅନ୍ଧକାରରେ । ବିଭିନ୍ନ ୱାର୍ଡରେ ଗତ ବର୍ଷକ ତଳୁ ମାପ ସରିଥିବା ବେଳେ ରାସ୍ତା ଘାଟ, ଡ୍ରେନେଜ୍ ଆଦି ପାଇଁ ଟେଣ୍ଡର କରାଯାଉନାହିଁ । ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଉନାହିଁ । ୱାର୍ଡବାସୀ ମଶା ଦାଉରେ ହନ୍ତସନ୍ତ ହେଉଥିବା ବେଳେ ନିୟମିତ ବ୍ୟବଧାନରେ ମଶାଧୂଆଁ ଛଡ଼ା ଯାଉନାହିଁ ଭଳି ବିଭିନ୍ନ ସମସ୍ୟା ନେଇ ଭଦ୍ରକ ବିଧାନସଭା କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି ପାରିଷଦ ସାହେଜାଦୀ ଦୁରେଜିନା, ସେକ୍ ସାହିଲ୍ କାଦ୍ରୀ, ହେମନ୍ତ ସାହୁ, ରୁକ୍‌ସାନା ଖାତୁନ, ଜାହିଦ୍ ସାହାଙ୍କ ସମେତ ତନ୍‌ବୀର ଖାଁ, ଏନାମୁଲ୍ ହକ୍‌, କାଲୁ ଖାଁ, ବିଜୟ ବାରିକ ପ୍ରମୁଖଙ୍କୁ ନେଇ ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତିଙ୍କୁ ଭେଟି ଆଲୋଚନା କରିଥିଲେ । ଏପରିକି ଆଗାମୀ ଦିନରେ ଯଦି କୌଣସି ଦାବୀ ପୂରଣ ନ ହୁଏ ତେବେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।