Odiapua.com

ଭଦ୍ରକ ପୂଜ୍ୟପୂଜା ସାଂସଦର ସାରସ୍ୱତ ଫଗୁମିଳନ, ଯୁଗେ ଯୁଗେ ବସନ୍ତ କବି ଲେଖନୀରେ ଜୀବନ୍ତ ରୂପେ ବର୍ଣ୍ଣିତ ଓ ଚିତ୍ରିତ ହୋଇଆସିଛ

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଋତୁ ଚକ୍ରର ଆବର୍ତ୍ତନରେ ବସନ୍ତ ଗୋଟିଏ ଋତୁ ହୋଇ ଆସିଲା ବେଳେ, ଏହା କବିର ଭାବବିଳାସୀ ମନକୁ ଆଚ୍ଛନ୍ନ କରିବସେ । କବିଲେଖନୀ ତା’ର ଅପରୂପ ସୌନ୍ଦର୍ଯ୍ୟରେ ଚଳଚଞ୍ଚଳ ହୋଇଉଠେ । ବିଭିନ୍ନ ଭାବରେ ଏହାର ରୂପ ସମ୍ଭାରକୁ ଆଧାର କରି କବି ବସନ୍ତ କବିତା ଲେଖିଯାଏ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଆୟୋଜିତ ୪୪ତମ ସାରସ୍ୱତ ଫଗୁମିଳନ ଉତ୍ସବରେ ସାହିତ୍ୟିକ ଓ ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଛନ୍ତି । ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କହିଲେ ଯେ, ବସନ୍ତ ଋତୁରେ ପାଳିତ ହୋଲି ଓ ଦୋଳ କେବଳ ରଙ୍ଗର ପର୍ବ ନୁହେଁ, ଏହା ମଣିଷ ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ ଏକ ଆତ୍ମିକ ଚେତନା । ସମ୍ମାନିତ ଅତିଥି ଭାବେ ଅଜୟ ନାୟକ ଓ ଡ. କ୍ଷୀରୋବ୍ଧୀତନୟା ସାହୁ ଯୋଗଦେଇ କବି ବସନ୍ତକୁ ଅତ୍ୟନ୍ତ ଆନ୍ତରିକତା ସହିତ ଚିତ୍ରଣ କରିବାରେ ତା’ର ସାଧନା ଓ ଅନୁଭବକୁ ପ୍ରୟୋଗ କରିଥାଏ ବୋଲି କହିଥିଲେ । ପୂଜ୍ୟପୂଜା ସଂସଦର ସଭାପତି କବି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଫଗୁ ମିଳନରେ ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସହସଂପାଦକ ବୈକୁଣ୍ଠ ବିଶ୍ୱାଳ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ ।

ଏହି ଅବସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ସ୍ୱଭାବକବି ଗଙ୍ଗାଧର ମେହେର, କବିଶେଖର ଚିନ୍ତାମଣି ମହାନ୍ତି ଓ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ‘ବସନ୍ତ କବିତା’ ଯଥାକ୍ରମେ ଶରତ କୁମାର ଜେନା, କାଳନ୍ଦୀ ମଲ୍ଲିକ, ବିଜୟ ବହଳୀ ଓ ପ୍ରଭାତ କୁମାର ଜେନା ଆବୃତ୍ତି କରିଥିଲେ । ଏହି ଅବସରରେ ‘ଫଗୁମିଳନ ସ୍ମୃତି ସମ୍ମାନ-୨୦୨୧’ ଡ. କ୍ଷୀରୋଦ କୁମାର ସାମଲଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମାନପତ୍ର ପାଠ କରିଥିଲେ ଡ. ପ୍ରଭାତ ନଳିନୀ ମହାପାତ୍ର । ଦ୍ୱିତୀୟ ଅଧିବେଶନରେ ଡ. ପଦ୍ମକାନ୍ତ ଧଳଙ୍କ ସଭାପତିତ୍ୱରେ ବସନ୍ତ ଆଧାରିତ ବହୁଭାଷୀ କବି ସମ୍ମିଳନୀ ଆୟୋଜିତ ହୋଇଥିଲା । ଉର୍ଦ୍ଧୁକବି ମୁସ୍ତାକ ଗହ୍ୱର ଓ ମମତା ସାହୁ କବିତା ସଂଯୋଜନା କରିଥିଲେ । ଏଥିରେ ଅଧ୍ୟାପକ ରତିକାନ୍ତ ଦାସ, ଶକୁନ୍ତଳା ନାୟକ, ହରମୋହନ କୁଅଁର, ବାବୁଲାଲ ଦାସ, ଶାନ୍ତନୁ ରାଉତ, ଚୈତାଳି ଖିଲାର, ଅବଦୁଲ୍ ଦୟାନ, ମନୋରମା ରାୟ, ଦୀପ୍ତିମୟୀ ସାହୁ, ସୁଲେମାନ ସମସି, ବିପ୍ଳବ ହୋତା, ଅକ୍ଷୟ କୁମାର ମହାନ୍ତି, ଡ. ରାମଚନ୍ଦ୍ର ପଣ୍ଡା, ଉଷାରାଣୀ ଜେନା, ପ୍ରୀତିଲତା ପଣ୍ଡା, ଅବନୀ ପ୍ରଧାନ, ମୁକ୍ତିକାନ୍ତ ମଲ୍ଲିକ, ଅକ୍ଷୟ ଜେନା, ଅରୁପାନନ୍ଦ ନାୟକ, ମୁକ୍ତାର ନସିବ ଓ ଶଶାଙ୍କ ଶେଖର ପଣ୍ଡା ପ୍ରମୁଖ ସ୍ୱରଚିତ ବସନ୍ତ କବିତା ପାଠ କରିଥିଲେ । କବି ଦିବ୍ୟସିଂହ ଦାସ ଅଧିକାରୀ ଶେଷ ସ୍ପର୍ଶ ଦେଇଥିଲେ । ଦୁଃଶାସନ ମହାନ୍ତି, ସମୀରକାନ୍ତ ଦାସ, କିଶୋର କୁମାର ଲଢ଼ା, ତ୍ରିଲୋକ ବିହାରୀ ରାୟ, ବିଶ୍ୱବିହାରୀ ରାୟ, ସଂଗ୍ରାମ ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।