ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଗବାନ ବୁଦ୍ଧ କେବଳ ଧର୍ମ ସଂସ୍ଥାପକ ନୁହନ୍ତି, ଜଣେ ଦାର୍ଶିନିକ ଓ ସମାଜ ସଂସ୍କାରକ। ବୌଦ୍ଧ ଦର୍ଶନ ଏବଂ ବୌଦ୍ଧ ସାହିତ୍ୟ ଓ ଅର୍ଥନୀତି ଆମ ପ୍ରଚଳିତ ସାମାଜିକ ବ୍ୟବସ୍ଥାର ଗୋଟିଏ ଗୋଟିଏ ବଳିଷ୍ଠ ଅଙ୍ଗ। ଆଜକୁ ୨୫୦୦ ବର୍ଷ ପୂର୍ବେ ସନାତନ ହିନ୍ଦୁଧର୍ମରେ ଯେତେବେଳେ କଳଙ୍କ କାଳିମା ଧସେଇ ପଶିଥିଲା, ସେହି ସମୟରେ ବୁଦ୍ଧଦେବ ସେଥିରେ ସଂସ୍କାର ଆଣିବା ପାଇଁ ବୌଦ୍ଧ ଧର୍ମ ପ୍ରବର୍ତ୍ତନ କରିଥିଲେ। ଆଜି ଯଦିଓ ବୌଦ୍ଧ ଧର୍ମ ଏକ ସ୍ୱତନ୍ତ୍ର ଧର୍ମର ମାନ୍ୟତା ପାଇଛି, ଏହା ବାସ୍ତବରେ ସନାତନ ହିନ୍ଦୁଧର୍ମର ଏକ ପରିମାର୍ଜିତ ଅଙ୍ଗ ବୋଲି ଭଦ୍ରକ ପୂଜ୍ୟପୂଜା ସଂସଦର ପୂର୍ଣ୍ଣିମା ଆସରରେ ଯୋଗଦେଇ ବିଶିଷ୍ଟ ଗବେଷକମାନେ ମତପ୍ରକାଶ କରିଛନ୍ତି। ନୂଆବଜାରସ୍ଥିତ ‘ଭାଗବତ କଲ୍ୟାଣ ମଣ୍ଡପ’ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶାନ୍ତନୁ କୁମାର ରାଉତ ଓ ସମ୍ମାନିତ ବକ୍ତାଭାବେ ଅଜୟ କୁମାର ନାୟକ ଯୋଗ ଦେଇ ବୁଦ୍ଧଦେବଙ୍କ ପ୍ରବର୍ତ୍ତିତ ବୌଦ୍ଧଧର୍ମ ମାନବ ସମାଜର ଦୟା, କ୍ଷମା, ସହନଶୀଳତା ଓ ଅହିଂସା ଆଦି ମାନବିକ ଗୁଣର ଉଦ୍ରେକ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ। ସମଗ୍ର ପୃଥିବୀରେ ଆଜି ପରସ୍ପର ଶତ୍ରୁତା ଆଚରଣ ଯୋଗୁଁ ଯେପରି ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି ଏହାର ସମାଧାନ ପାଇଁ ବୁଦ୍ଧଙ୍କ ଆଦର୍ଶବାଣୀ ସହାୟତା କରିବ ବୋଲି କହିଥିଲେ। ଡ.ରାମଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ସଂସଦର ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଓ ସହସମ୍ପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ପ୍ରାକ୍ସୂଚନା ଦେଇ ବୁଦ୍ଧଦେବଙ୍କ ବାଣୀର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚର୍ଚ୍ଚିକା ମହାପାତ୍ର, ହରିଶ ଚନ୍ଦ୍ର ଦାସ, ସୁଧାକର ରାଉତ ଓ ଦୁଃଶାସନ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କବୟିତ୍ରୀ ଜାନକୀ ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ଅବନୀ ପ୍ରଧାନ, ଦମୟନ୍ତୀ ନାଥ, ପ୍ରୀତିଲତା ପଣ୍ଡା, ମନୋରମା ରାୟ, ରମାକାନ୍ତ ନାୟକ, କାଳନ୍ଦୀ ମଲ୍ଲିକ, ଗୀତାରାଣୀ ଆଇଚ, ଅରୂପାନନ୍ଦ ନାୟକ, ବିଚିତ୍ରାନନ୍ଦ ଜେନା, ଓ ବିଜୟ ଜେନା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ଘନଶ୍ୟାମ ଲେଙ୍କା ବେଦପାଠ କରିଥିବା ବେଳେ କବି ବିଜୟ କୁମାର ବହଳୀ ଧନ୍ୟବାଦ ଅର୍ପଣ କରିଥିଲେ।