Odiapua.com

ଭଦ୍ରକ ପୁଲିସ୍ ପୁଣି କଲା ୨ ଏନକାଉଣ୍ଟର, ୬ ଡକାୟତ ଗିରଫ, ବନ୍ଧକୁ ସହ ବିଭିନ୍ନ ମାରଣାସ୍ତ୍ର ଜବତ

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୁଲିସ୍ ଚରମ୍ପା ଏଟିଏମ୍ ଲୁଟ୍ ଘଟଣାରେ ୨ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରି ମୋଟ ୬ ଜଣଙ୍କୁ ଗିରଫ କରିଛି । ଏ ସଂପର୍କରେ ଆଜି ଟାଉନ୍ ଥାନାରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲା ସୋର ଥାନା ଦଣ୍ଡହରିପୁର ଗ୍ରାମର ପପୁ ମଲିକ (୨୨), ଖଇରା ଥାନା ମୁସ୍ତଫାବାଦର ମନୋଜ ଦଳେଇ ଓରଫ ଶଙ୍କୁରୁ (୨୫) ଏବଂ ତୁଡିଗଡିଆ ବମୁତିରାର ଆଶିଷ କୁମାର ମଲ୍ଲିକ ଓରଫ ବାପୁନୁ (୨୧), ସୋର ଥାନା ବାଗୁଡି ଜୋଡଅମ୍ବାର ପ୍ରହ୍ଲାଦ ଦାସ ଓରଫ ବାପିନା (୨୭), ନୀଳଗିରି ଥାନା ଭିମେଇର ସୁଶାନ୍ତ ମଲ୍ଲିକ ଓରଫ ବାଉଲି (୨୧) ଏବଂ ବାପିନା ଘରେ ରହୁଥିବା ଆନ୍ଧ୍ରପ୍ରଦେଶ ବୈଶାଳୀ ବିହାର ଜିଲା ସାହେଦୀ ଭୁଜନ ଥାନା ମାଜରାହି ରଘୁନନ୍ଦନ ଗ୍ରାମ ନିବାସୀ ଆଲୋକ କୁମାର (୧୮) ନାମକ ୬ ଜଣ ଅପରାଧୀ ଗତ ୨୬ ତାରିଖ ରାତି ୭.୧୫ ରେ ଚରମ୍ପାସ୍ଥିତ ଏଟିଏମ୍‌ରେ ସିଏମ୍‌ସି କଂପାନୀର ୪ ଜଣ କର୍ମଚାରୀ ୨୮ ଲକ୍ଷ ଟଙ୍କା ଲୋଡ୍ କରୁଥିବାବେଳେ ବନ୍ଧକୁ ମୁନରେ ତାହା ଲୁଟି ନେଇଥିଲେ ।

ସେହିଭଳି ଗତ ୧୦ ତାରିଖ ରାତି ୧୦ ଟାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡିଛକର ଏକ ଔଷଧ ଦୋକାନରୁ ମଧ୍ୟ ବନ୍ଧୁକ ଓ ଖଣ୍ଡା ମୁନରେ ୧୫ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ଏମାନଙ୍କ ନାମରେ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ୭ଟି, ସୋରରେ ୧୫ଟି, ସିମୁଳିଆରେ ୩ ଓ କେନ୍ଦୁଝରରେ ୪ଟି କେଶ୍ ଥିବାର ଜଣାପଡିଛି । ଏମାନଙ୍କୁ ସିସିଟିଭି ଫୁଟେଜରୁ ଠାବ କରି ଭଦ୍ରକ ଏସ୍‌ପିଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ଓ ଟାଉନ୍‌-ଗ୍ରାମାଞ୍ଚଳ ଥାନାଧିକାରୀଙ୍କ ସମେତ ସାଇବର ଟିମ୍ ପୁଲିସ୍‌ଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଦଳ ଗତକାଲି ରାତିରେ କେନ୍ଦୁଝର-ଆନନ୍ଦପୁର ରାସ୍ତରେ ପିଛାକରିଥିଲେ । ଏବଂ ଆଜି ସକାଳ ୫.୩୦ ରେ ବରପଦା ନିକଟରେ ବାପିନା ଓ ବାଉଲି ପୁଲିସ୍ ଟିମ୍‌ର ଏସଆଇ ଶାନ୍ତନୁ ଜେନାଙ୍କ ପିସ୍ତଲ ଛଡାଇ ଓପନ ଫାୟାରିଂ କରି ଜଣଙ୍କୁ ଆହତ କରି ଖସି ଯିବାବେଳେ ପୁଲିସ୍‌ର ଏନକାଉଣ୍ଟରରେ ଉଭୟଙ୍କ ଗୋଡରେ ଗୁଳି ବାଜିଥିଲା । ଏମାନଙ୍କ ନିକଟରୁ ସାଢେ ୪ ଲକ୍ଷ ଟଙ୍କା, ୩ଟି ପିସ୍ତଲ, ୧୫ଟି ଜୀବନ୍ତ ଗୁଳି, ଗ୍ୟାସ୍ କଟର, ସିଲିଣ୍ଡର, ଗ୍ୟାସ୍ ରେଗୁଲେଟର, ୨୦ଟି ମାଷ୍ଟର ଚାବି, ୪ଟି ବ୍ୟାଟେରୀ, ୫ଟି ମୋବାଇଲ୍‌, ୩ଟି ବାଇକ୍ ଜବତ କରାଯାଇଛି । ଦୁଇ ଗୁରୁତରଙ୍କୁ ଆଜି ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।