Odiapua.com

ଭଦ୍ରକ : ପୁଣି ୨୬୫ ଗ୍ର୍ରାମର ବ୍ରାଉନ୍‌ସୁଗାର ଜବତ, ୩ କୋର୍ଟ ଚାଲାଣ

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଧଳା ଜହର (ବ୍ରାଉନସୁଗାର) ଏବେ ସହରରୁ ଧୀରେ ଧୀରେ ଗ୍ରାମା ମୁହାଁ ହୋଇଛି । କାହିଁକି ନା ଗ୍ରାମାଞ୍ଚଳରେ ଥିବା ବହୁ ବେକାର ଯୁବକ ଏବେ ଖୁବ୍ କମ୍ ପରିଶ୍ରମରେ ବିନା ପୁଂଜି ଖଟାଇ ଏହି ନିଶା କାରବାରକୁ ବିପୁଳ ଅର୍ଥାଗମର ମାଧ୍ୟମ କରିଛନ୍ତି । ଯାହାର ପ୍ରମାଣ ଗତକାଲି ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍‌ର ମିଳିତ ଚଢାଉରୁ ପ୍ରମାଣିତ ହୋଇଛି । କେନ୍ଦ୍ରୀୟ ଅବକାରୀ ବିଭାଗର ସ୍ପେଶାଲ ସ୍କ୍ୱାର୍ଡ ତିହିଡି ଅଂଚଳରୁ ଜଣେ ଯୁବକକୁ ୨୩ ଲକ୍ଷ ଟଙ୍କାର ୨୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବାର ଦୁଇଦିନ ନଯାଉଣୁ ଗତକାଲି ବିଳମ୍ବିତ ରାତି ପ୍ରାୟ ୧.୨୦ ରେ ଭଦ୍ରକ ଓ ଧୁଷୁରୀ ଥାନା ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକରୁ ଏକ ସ୍କୁଟିରେ ଧୁଷୁରୀ ଆସୁଥିବା ୩ ଜଣ ଯୁବକଙ୍କୁ ୨୬୫ ଗ୍ରାମ ବ୍ରାଉନ୍‌ସୁଗାର ସହ ଅସୁରାଳି ଇଲେକ୍ଟ୍ରି ଷ୍ଟ୍ରକଚର ନିକଟରେ ଗିରଫ କରିଛନ୍ତି । ଏହି ତିନିଜଣଙ୍କ ମଧ୍ୟରୁ ଧୁଷୁରୀ ଥାନା ଖପରପଦା ଗ୍ରାମନିବାସୀ କୈଳାସ ଚନ୍ଦ୍ର ସାହୁଙ୍କ ପୁତ୍ର ମଣି ଓରଫ ମଣିଭଦ୍ର (୪୬) ଠାରୁ ଏକ ପଲିଥିନରେ ଥିବା ୨୬୫ ଗ୍ରାମ ବ୍ରାଉନ୍‌ସୁଗାର ଉଦ୍ଧାର ହୋଇଥିଲା ।

ମଣିଭଦ୍ର ସହ ଥିବା ଅନ୍ୟ ଦୁଇଜଣ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବଳଭଦ୍ରପୁର ଚୁନିଦା ଗ୍ରାମନିବାସୀ ସ୍ୱର୍ଗତଃ କୁନା ଜେନାଙ୍କ ପୁତ୍ର ଜଗା ଓରଫ ନିରାକାର (୩୪) ଏବଂ ସ୍ୱର୍ଗତଃ ଆନନ୍ଦ ଚନ୍ଦ୍ର ଦାସଙ୍କ ପୁତ୍ର ବାବୁଲି ଓରଫ ତ୍ରିଲୋଚନ (୪୨) ଏହି ତିନିଜଣଙ୍କ ଠାରୁ ପୁଲିସ୍ ଏକ କଳା ପଲିଥିନରେ ଥିବା ବ୍ରାଉନସୁଗାର ସହ ୧୨ ଟି ମୋବାଇଲ୍‌, ନଗଦ ୩୧ ହଜାର ୮ ଶହ ଟଙ୍କା, ୨୪୭ଟି କଟିଂ ପେପର, ୫୦ଟି ରବର ବ୍ୟାଣ୍ଡ, ତିନୋଟି କଇଁଚି, ଗୋଟିଏ ବ୍ଲେଡ୍ ସହ ସେମାନେ ବ୍ୟବହାର କରୁଥିବା ଓଡି-୨୨ଆର-୬୨୫୩ ନମ୍ବରର ସ୍କୁଟିଟିକୁ ଜବତ କରିଛନ୍ତି । ଏହି ଚଢାଉରେ ଭଦ୍ରକ ଜିଲା ପୁଲିସ୍ ପ୍ରଶାସନର କେତେକ ଅଧିକାରୀଙ୍କ ସମେତ ଧୁଷୁରୀ ଥାନାଧିକାରୀ ପି.କେ. ସିଂ ସାମିଲ ଥିଲେ । ଏଡି ଘଟଣା ସଂପର୍କରେ ଆଜି ସହରାଞ୍ଚଳ ଥାନାରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଧୁଷୁରୀ ଥାନା କେଶ୍ ନଂ ୩୭/୨୧, ଦଫା ୨୧ (ଗ) / ୨୯ ଏନ୍‌ଡିପିଏସ୍ ଆକ୍ଟର ମୂଳେ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।