Odiapua.com

‘ଭଦ୍ରକ ନାରୀ ଶକ୍ତି’ ବିଏନଏସ୍ ଗଠିତ

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଏକ ନୂତନ ନାରୀ ସଂଗଠନ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆତ୍ମଲାଭ କରିଛି। ଭାରତର ମହାନ୍ ଯୋଦ୍ଧା ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଭଦ୍ରକ ସହରର କେତେଜଣ ମହିଳା ସମାଜ ପାଇଁ ଆଦର୍ଶ ହେବା ସହ ତଳେ ରହିଥିବା ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାରେ ପ୍ରୟାସ କରିବେ ବୋଲି ଶପଥ ନେଇଥିଲେ। ସଂଗଠନର ସଭାନେତ୍ରୀ ଭାବେ ଉଷା ପାଢୀ ଶପଥ ନେଇଥିବା ବେଳେ ସମ୍ପାଦିକା ଭାବେ ବିଷ୍ଣୁପ୍ରିୟା ଜେନା ଦାୟିତ୍ୱ ଗ୍ରହଣ କରିଥିଲେ। ସମାଜର ଦୀନ ଦରିଦ୍ର, ଦୁଃଖୀମାନଙ୍କୁ ସାହାଯ୍ୟ ଯୋଗାଇବା ଏହି ସଂଗଠନର ସମସ୍ତ ସଦସ୍ୟାଙ୍କର ମୂଳ ଲକ୍ଷ୍ୟ ରହିବ ବୋଲି ସଭାନେତ୍ରୀ ମତ ଦେଇଥିବା ବେଳେ ‘ପରୋପକାର ସର୍ବୋପରି’ ହେଉଛି ଏହି ସଂଗଠନର ମୁଖ୍ୟନାରା ବୋଲି ସମ୍ପାଦିକା କହିଥିଲେ। ସମସ୍ତଙ୍କ ସହଯୋଗରେ ସଂଗଠନ ସମାଜ କଲ୍ୟାଣ କାର୍ଯ୍ୟ କରିବ, ଜନ ସଚେତନତା ସୃଷ୍ଟି କରିବ ବୋଲି ସମସ୍ତେ ପ୍ରକାଶ କରିଥିଲେ। ସଂଗଠନର ପ୍ରଥମ ବୈଠକ ଭଦ୍ରକର ଚରମ୍ପା ଠାରେ ଅନୁଷ୍ଠିତ ହେବା ସହିତ ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା।