ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ନାଥସାହିରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ କିନ୍ନର, ସ୍ଥାନୀୟ ବାସିନ୍ଦା, ବିଜେପି ଜିଲା ଯୁବମୋର୍ଚ୍ଚା ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ନାଥସାହି ନିବାସୀ ରାଜେନ୍ଦ୍ର ନାଥଙ୍କ କନ୍ୟା ତୃଷ୍ଣାରାଣୀ ଚକଲେଟ୍ ପାଇଁ ଯାଇଥିବାବେଳେ ସେକ୍ ମୁସ୍କିମ୍ ନାମକ ବ୍ୟକ୍ତି ତାକୁ ଘରଭିତରକୁ ଟାଣିନେଇ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିଲା । ତେବେ ଗତ ୨ ତାରିଖରେ ଏ ସଂପର୍କରେ ଥାନାରେ ଏକ ମାମଲା ରୁଜୁ ପରେ ସେ ଗିରଫ ହୋଇ କିଛିଦିନ ଜେଲ୍ରେ ରହିବା ପରେ ଜାମିନ୍ରେ ଆସି ରାଜେନ୍ଦ୍ରଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ କେଶ୍ ଉଠାଇବା ପାଇଁ କହିଥିଲା । ମାତ୍ର ରାଜେନ୍ଦ୍ର ତାହା ନମାନିବାରୁ ତାଙ୍କ ପରିବାରଙ୍କୁ ବିଭିନ୍ନ ଧମକ ଚମକ ଦେଇଥିଲା । ଫଳରେ ନିର୍ଯ୍ୟାତିତା କନ୍ୟାଟି ତାହା ସହିନପାରି ଗତ ୨ ଦିନ ତଳେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । ଏହି ଘଟଣାକୁ ତୀବ୍ର ବିରୋଧ କରି କିନ୍ନରମାନଙ୍କ ପକ୍ଷରୁ ଶ୍ରାବଣୀ କିନ୍ନର, ଜିଲା ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ବିଶ୍ୱ ହିନ୍ଦୁ ପରିଷଦର ମାନସ ମହାନ୍ତି, କାର୍ତ୍ତିକ ସାହୁ, ସୁରେଶ ରାୟ, ଅନୀଲ ଚୌଧୁରୀ ଓ ସ୍ଥାନୀୟ ବାସିନ୍ଦାମାନେ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ପରବର୍ତ୍ତୀ ସମୟରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ସେମାନଙ୍କୁ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ପ୍ରତି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବାପରେ ଏହି ଘେରାଓ ପ୍ରତ୍ୟାହୃତ ହୋଇଛି ।