Odiapua.com

ଭଦ୍ରକ-ଧାମରା ରେଳପଥରେ ଜଗୁଆଳି ବିହୀନ ଲେବୁଲ କ୍ରସିଙ୍ଗ ପାଇଁ ବଢୁଛି ଦୁର୍ଘଟଣା

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦେଇ ଯାଇଥିବା ଭଦ୍ରକ-ଧାମରା ରେଳପଥର ବିଭିନ୍ନ ସ୍ଥାନରେ ଥିବା ଲେବଲ କ୍ରସିଂରେ ଦିନକୁ ଦିନ ଦୁର୍ଘଣା ବଢ଼ି ଚାଲିଛି । ଏହି ସବୁ ଲେବଲ କ୍ରସିଂରେ ଗେଟ୍ ଓ ଜଗୁଆଳି ନଥିବାରୁ ଦୁର୍ଘଟଣା ଘଟୁଥିବା କୁହାଯାଉଛି । ପ୍ରକାଶ ଯେ ଭଦ୍ରକରୁ ଧାମରା ୬୨ କି.ମି. ୭୪ଟି ରାଜସ୍ୱ ଗ୍ରାମ ଦେଇ ଏଇ ରେଳପଥ ଯାଇଛି । ଏହି ରେଳପଥରେ ପ୍ରତିଦିନ ମାଲବାହୀ ଟ୍ରେନ୍ ଯାତାୟତ କରୁଛି । ଶେରପୁର, ଜିଝାରପୁର, ଅଚକ, ବାରିଣୀପୋଖରୀ, ମଙ୍ଗଳପୁର, ଗନ୍ଧର୍ବପୋଖରୀ ଦୌଲତପୁର, ସାହାପୁର, ବାମନବିନ୍ଧା, ନରେନ୍ଦ୍ରପୁର, ମାଣୀପୁର, ଜନ୍ତୁଆଳି, ସୁବୁଦିଆ ବଳସାହି ଆଦି ସ୍ଥାନରେ ଗେଟ୍ ନଥିବା ଜଗୁଆଳି ବିହୀନ ଲେବଲକ୍ରସିଂ ରହିଛି । ଏହି ଲେବକ୍ରସିଂ ଦେଇ ପ୍ରତିଦିନ ଲୋକମାନେ ବିଭିନ୍ନ କାର୍ଯ୍ୟରେ ଯାତାୟତ କରୁଥିବା ବେଳେ ବିଶେଷତଃ ଚାଷୀମାନେ ମଧ୍ୟ ଚାଷ କାର୍ଯ୍ୟ ପାଇଁ ଯାତାୟତ କରିଥାନ୍ତି । ଏଥି ସହିତ ଗୃହପାଳିତ ପଶୁମାନେ ମଧ୍ୟ ଏହି ଲେବଲକ୍ରସିଂ ଦେଇ ବିଲକୁ ଯାଇଥାନ୍ତି । ଜଗୁଆଳି କିମ୍ବା ଗେଟ୍ ନଥିବାରୁ ବିଭିନ୍ନ ସମୟରେ ଏହିସବୁ ଲେବଲକ୍ରସିଂ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ଜଗୁଆଳି ବିହୀନ ଲେବୁଲ କ୍ରସିଙ୍ଗରେ ହୋମଗାର୍ଡ ନିଯୁକ୍ତି ସହ ନାଲି ପତାକା ଦେଖାଇବା, ପାର୍ଶ୍ୱବର୍ତ୍ତୀ ଗ୍ରାମରେ ରେଳଧାରଣା ପାରହେବା ବେଳେ କିପରି ସତର୍କତା ଅବଲମ୍ବନ କରାଯାଇ ପାରିବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ରେଳଧାରଣା ପାର୍ଶ୍ୱରୁ ବେଆଇନ ନିର୍ମାଣକୁ ଭାଙ୍ଗିବା, ଲେବୁଲକ୍ରସିଂ ପୂର୍ବରୁ ଉଜ୍ୱଳ ଲେଖାରେ ସତର୍କତା ପାଇଁ ସାଇନ୍ ବୋର୍ଡ଼ ମାରିବାକୁ ନିୟମ ଥିଲେ ମଧ୍ୟ ବନ୍ଦର କର୍ତ୍ତୃପକ୍ଷ ଏଥିପ୍ରତି ଭୃକ୍ଷେପ କରୁନାହାନ୍ତି । ଲେବଲ କ୍ରସିଂରେ ଜଗୁଆଳି କିମ୍ବା ଗେଟ୍ ନିର୍ମାଣ ସହ ପାଶ୍ୱର୍ବର୍ତ୍ତୀ ରାସ୍ତା ଗୁଡ଼ିକୁ ମରାମତି କରିବା ପାଇଁ ଚାଷୀ ଓ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଏଯାହା କୌଣସି ବିସ୍ଥାନରେ ଏହା ହୋଇପାରିନାଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ କରାନଗଲେ ଚାଷୀ ଓ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।