ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସରକାରୀ ଜମିର ସୁରକ୍ଷା ନେଇ ବହୁ ଆଇନ୍ ପ୍ରଣୟନ କରିଛନ୍ତି । ଏବଂ ଏହି ମୂଲ୍ୟବାନ ଜମି ଗୁଡିକ ଉଦ୍ଧାର ଲାଗି ବିପୁଳ ଅର୍ଥ ବ୍ୟୟ କରିବା ସହ ଏ ଦିଗରେ କଠୋର ଆଇନ୍ ମଧ୍ୟ ପ୍ରଣୟନ କରିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ତହସିଲ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ କିମ୍ବା ଅନ୍ୟ କିଛି କାରଣରୁ ପ୍ରତିଦିନ ବିପୁଳ ପରିମାଣର ସରକାରୀ ଜମି ରାଜ୍ୟରେ ଜବରଦଖଲ ହୋଇଚାଲିଛି । ଯାହାର ଉଦାହରଣ ଭଦ୍ରକ ସଦର ତହସିଲ ଅଧୀନରେ ଥିବା ଜମିର ସ୍ଥିତାବସ୍ଥାରୁ ଜାଣିବାକୁ ମିଳିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ତହସିଲ ଅଧୀନରେ ଥିବା ୧୩ଟି ରାଜସ୍ୱ ସର୍କଲରେ ମୂଲ୍ୟବାନ ସରକାରୀ ଜମିଗୁଡିକୁ ବହୁ ଜବରଦଖଲକାରୀ ନିଜ କବ୍ଜାରେ ରଖିଛନ୍ତି । ବିଭାଗୀୟ ସୂତ୍ରରୁ ଯାହା ଜଣାଯାଏ ଗତ ୧୨ ବର୍ଷ ମଧ୍ୟରେ ୧୯୪୧୭ ଟି ଜବରଦଖଲ ମାମଲା ରୁଜୁ ହୋଇଛି । ଗତ ୨୦୦୯-୧୦ ମସିହାରେ ଏହି ତହସିଲ ଅଧୀନରେ ୨୦୭୮ ଟି ଜବରଦଖଲ ମାମଲା ରୁଜୁ ହୋଇଥିବାବେଳେ ୨୦୧୦-୧୧ ରେ ୧୩୨୯ ଟି, ୨୦୧୧-୧୨ ରେ ୧୫୭୧ ଟି, ୨୦୧୨-୧୩ ରେ ୨୦୦୩ ଟି, ୨୦୧୩-୧୪ ରେ ୧୮୭୩ ଟି, ୨୦୧୪-୧୫ ରେ ୧୯୪୨ ଟି, ୨୦୧୫-୧୬ ରେ ୨୧୪୧ ଟି, ୨୦୧୬-୧୭ ରେ ୨୦୩୬ ଟି, ୨୦୧୭-୧୮ ରେ ୨୦୭୯ ଟି, ୨୦୧୮-୧୯ ରେ ୧୯୬୪ ଟି, ୨୦୧୯-୨୦ ରେ ୧୪୮୯ ଟି ଜବରଦଖଲ ମାମଲା ରୁଜୁ ହୋଇଛି ।
ଚଳିତ ୨୦୨୦-୨୧ ରେ ୮୯୧ ଟି ମାମଲା ରୁଜୁ ହୋଇଛି । ତେବେ ତହସିଲ କର୍ତ୍ତୃପକ୍ଷ ଏସବୁ ଜବରଦଖଲ ମାମଲା କେଉଁ କେଉଁ କିସମ ଜମିରେ ହୋଇଛି, ସେଥିନେଇ ସୂଚନା ଦେଉନାହାଁନ୍ତି । ବେସରକାରୀ ଭାବେ ବହୁ ମୂଲ୍ୟବାନ ସରକାରୀ ଜମି (ପୂର୍ତ୍ତ ବିଭାଗ, ଜଳାଶୟ, ପତିତ, ନୟନଯୋରୀ, ଅନାବାଦୀ ) ଗୁଡିକୁ ଜବରଦଖଲକାରୀମାନେ ନିଜ ଅକ୍ତିଆରରେ ରଖିଛନ୍ତି । ଏହାର କେତୋଟି ଦୃଷ୍ଟାନ୍ତ ମଧ୍ୟରୁ ଭଦ୍ରକ ସଦର ରାଜସ୍ୱ ସର୍କଲ ଅଧୀନରେ ଥିବା ସହରାଞ୍ଚଳର ଅନେକ ତାଲିକା ରହିଛି । ରାଜଘାଟ ପୋଲ ତଳେ ସରକାରୀ ଜମିକୁ ଜବରଦଖଲ କରି ସେଥିରେ ଘର ନିର୍ମାଣ ହୋଇ ମାସକୁ ଦୀର୍ଘବର୍ଷ ହେବ ହଜାର ହଜାର ଟଙ୍କା ଭଡାସୂତ୍ରରେ ଆଦାୟ କରାଯାଉଛି । ଅନୁରୂପ ମଠସାହି ମୌଜାର ଡହାଣୀଗଡିଆ ଅଂଚଳରେ କେତେକ ପ୍ରଭାବଶାଳୀ ବ୍ୟବସାୟୀ ସରକାରୀ ମୂଲ୍ୟବାନ ଜମିକୁ ଅବରୋଧ କରି ସେଥିରେ ଘର ନିର୍ମାଣ କରିବା, ଟ୍ରାନ୍ସଫର୍ମର ବା ଡିଜି ବସାଇବା ଭଳି ବେଆଇନ୍ କାର୍ଯ୍ୟ ବର୍ଷ ବର୍ଷ ଧରି କରିଚାଲିଛନ୍ତି । କେତେକ ସରକାରୀ ଜମିକୁ ମଧ୍ୟ ବର୍ଷ ବର୍ଷ ହେବ ନିଜ ଦଖଲରେ ରଖି ସେଥିରେ ଏଟିଏମ୍ ଓ ଟାୱାର ବସାଇବା ଭଳି ବ୍ୟବସାୟିକ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନର ଜିଲା ଡାକ୍ତରଖାନା ଜମିକୁ ବି ଜବରଦଖଲକାରୀମାନେ ବର୍ଷ ବର୍ଷ ହେବ ମାଡି ବସିଛନ୍ତି । ଭଦ୍ରକ ଆରଡି ରାସ୍ତାର ସାତଭଉଣୀ ନିକଟରେ ସରକାରୀ ଜମିକୁ ପ୍ରଭାବଶାଳୀ ବ୍ୟକ୍ତିମାନେ ଦଖଲ କରି ସେଥିରେ ବ୍ୟବସାୟ କରୁଛନ୍ତି । ଅନୁରୂପ ନଦୀ, ନାଳ ଜମିକୁ ବି ଜବରଦଖଲକାରୀମାନେ ଛାଡୁନାହାଁନ୍ତି । ଏହି ସମସ୍ତ କଥା ରାଜସ୍ୱ ବିଭାଗ ଅଧିକାରୀମାନେ ଭଲଭାବେ ଅବଗତ ଥାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ତେବେ ତହସିଲ କର୍ତ୍ତୃପକ୍ଷ ଯଦି ଏସବୁର ମାପଚୁପ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ, ତେବେ ବହୁ ପରିମାଣର ସରକାରୀ ଜମି ଜବରଦଖଲ ମୁକ୍ତ ହୋଇପାରନ୍ତା ବୋଲି ରାଜସ୍ୱ ବିଶାରଦ ମାନେ ମତବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ଭଦ୍ରକ ତହସିଲ କର୍ତ୍ତୃପକ୍ଷଙ୍କୁ ସରକାରୀ ଜମିର ସୁରକ୍ଷା ପାଇଁ ଗତ ୧୦ ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ୫୨ ଲକ୍ଷ ଟଙ୍କା ଯୋଗାଇଛନ୍ତି । ଏହି ଅର୍ଥରାଶିକୁ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ତହସିଲ କର୍ତ୍ତୃପକ୍ଷଙ୍କୁ ଯୋଗାଇ ଦିଆଯାଇଛି । ଏହି ଅର୍ଥରାଶିରେ ସରକାରୀ ମୂଲ୍ୟବାନ ଜମି ଗୁଡିକର ମାପଚୁପ କରାଯାଇ ସେଥିରେ ଲୁହା ତାର ଓ ସିମେଣ୍ଟ ଖୁଣ୍ଟ ଦିଆଯାଇ ଏହାର ସୁରକ୍ଷା କରିବା ମୂଳ ଲକ୍ଷ୍ୟ । ମାତ୍ର ତହସିଲ କର୍ତ୍ତୃପକ୍ଷ ସରକାରଙ୍କ ଠାରୁ ସରକାରୀ ଜମି ସୁରକ୍ଷା ପାଇଁ ପାଉଥିବା ୫୨ ଲକ୍ଷ ଟଙ୍କାରେ ପଂଚାୟତ ସମିତି ଦ୍ୱାରା ଖର୍ଚ୍ଚ କରାଯାଇଥିବାର କହୁଛନ୍ତି । ତେବେ ଏହି ଅର୍ଥର ସଠିକ୍ ବିନିଯୋଗ ହୋଇନଥିବା ଘଟଣା ଅଭିଯୋଗ କରିଛନ୍ତି ଆଇନ୍ଜୀବୀ ଦେବାଶିଷ ନାୟକ । ଶ୍ରୀ ନାୟକଙ୍କ ମତରେ ଯଦି ୫୨ ଲକ୍ଷ ଟଙ୍କାର ସରକାରୀ ଜମି ସୁରକ୍ଷା ବାବଦରେ ଖର୍ଚ୍ଚ ହୋଇଛି, ତେବେ ୧୨ ବର୍ଷରେ ୧୯୪୧୭ ଟି ଜବରଦଖଲ ମାମଲା କିଭଳି ରୁଜୁ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ସରକାରୀ ଜମିର ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ସତ ହେଲେ ସରକାରୀ ଜମିର ସୁରକ୍ଷା ହେବାତ ଦୂରର କଥା ବାସ୍ତବରେ ସରକାରୀ ଜମି ଦିନକୁ ଦିନ ଲୁଟ୍ ହୋଇଚାଲିଛି । ଏଥିରୁ ଭଦ୍ରକ ତହସିଲ କର୍ତ୍ତୃପକ୍ଷଙ୍କ ଅପାରଗ ପଣିଆ ସ୍ୱତଃ ଦାଣ୍ଡରେ ପଡି ହାଟରେ ଗଡୁଛି ।