ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜସ୍ୱ ମାମଲାରେ ଜନସାଧାରଣଙ୍କୁ ନ୍ୟାୟ ଦେବାରେ ଭଦ୍ରକ ତହସିଲ ସବୁଠାରୁ ଆଗରେ। ପ୍ରଶାସନିକ ସୁପରିଚାଳନା ସହ ଜନହିତାଧିକାରୀ ଯୋଜନାରେ ସଫଳ ରୂପାୟନ କରିବାରେ ଭଦ୍ରକ ତହସିଲଦାରଙ୍କ କର୍ତବ୍ୟ ପରାୟଣତାକୁ ନେଇ ଭଦ୍ରକ ପ୍ରଶାସନ ଏକ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି। ଗତ ୧୯.୫.୨୬ ରିଖରେ ଅନୁଷ୍ଠିତ ରାଜସ୍ୱ ସମୀକ୍ଷା ବୈଠକରେ ଜନସାଧାରଣଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଭଦ୍ରକ ତହସିଲଦାରଙ୍କ ପରିଚାଳିତ ଅଭିଯାନ ‘ମୋ ପଂଚାୟତ ମୋ ତହସିଲ’ ଜରିଆରେ ଲୋକଙ୍କୁ ନ୍ୟାୟ ଦେବାରେ ସଫଳତା ହାସଲ କରିଥିବା ନେଇ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ ପ୍ରଶଂସା କରିଥିଲେ। ଅନ୍ୟ ତହସିଲଦାରମାନଙ୍କ ପାଇଁ ଏହା ଏକ ଉଦାହରଣ ବୋଲି ସେ କହିଥିଲେ। ରାଜସ୍ୱ ସେବାରେ ଭଦ୍ରକ ତହସିଲଦାରଙ୍କ କାର୍ଯ୍ୟ ଶୈଳୀକୁ ଅନ୍ୟ ତହସିଲ କର୍ତୃପକ୍ଷ ଅନୁସରଣ କରି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ସରକାରଙ୍କ ପ୍ରଜାନାମ ସଂଶୋଧନ (କଲମ-୨) ଉପରେ ସରକାର ଏବେ ଗୁରୁତ୍ୱ ଦେଇଛନ୍ତି। ପଟାରେ ଥିବା ମୃତବ୍ୟକ୍ତିଙ୍କ ନାମ କାଟି ତାର ଉତରାଧିକାରୀଙ୍କ ନାମରେ ପଟା କରିବା ପାଇଁ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଏହି ନିର୍ଦ୍ଦେଶନାମାକୁ ଭଦ୍ରକ ତହସିଲଦାର ସଠିକ୍ ଭାବେ କାର୍ଯ୍ୟକରି ମୋଟ ୧୭ ହଜାର ୬୬୨ ମଧ୍ୟରୁ ସର୍ବାଧିକ ୭୨ ପ୍ରତିଶତ ପଟା ସଂଶୋଧନ କରିବାରେ ସଫଳତା ହାସଲ କରିଛନ୍ତି। ସେହିପରି ସରକାରଙ୍କ ଓଆରଟିପିଏସ ପ୍ରାବଧାନରେ ସମସ୍ତ ତହସିଲଦାରଙ୍କୁ ସରକାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ସମୟରେ ଭଦ୍ରକ ତହସିଲ ଏହି ମାମଲାରେ କୌଣସି ବକେୟା ନଥିବାରୁ ଉଚ୍ଚ କର୍ତୃପକ୍ଷ ତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟପକ୍ଷରେ ଭଦ୍ରକ ତହସିଲ ଅନ୍ତର୍ଗତ ସହର ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦରେ ବେଶ୍ ସଫଳତା ଅର୍ଜନ କରିଛନ୍ତି। ସେହିପରି ବସୁନ୍ଧରା ଯୋଜନାରେ ଜିଲାର ୬୨ ଜଣ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରାଯାଇ ୨୬ଟି ପରିବାରକୁ ଘରଡିହ ଜମି ପଟା ଯୋଗାଇ ଦିଆଯାଇଛି। ଅବଶିଷ୍ଟ ପରିବାରଙ୍କୁ ଏହି ମାସ ଶେଷ ସୁଦ୍ଧା ଯୋଗାଇଦେବାକୁ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ସମସ୍ତ ତହସିଲର ଅଭିଯୋଗ ସଂପର୍କରେ ତର୍ଜମା କରାଯାଇଥିଲା। ଲୋକମାନଙ୍କ ଅଭିଯୋଗଗୁଡିକୁ ପ୍ରାଧାନ୍ୟ ଦେବା ସହ ସମାଧାନ ଦିଗରେ ବିହିତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଥିଲେ। ବିଶେଷକରି ଜନସାଧାରଣଙ୍କ ସହ ସୁସଂପର୍କ ରଖି ସେମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ଯତ୍ନବାନ ହେବାକୁ କହିଥିଲେ।