Odiapua.com

ଭଦ୍ରକ ଡ୍ରେନେଜ ବିଭାଗର ମନମାନୀ, ବିଧାୟକ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ନିର୍ବାହୀ ଯନ୍ତ୍ରୀଙ୍କ ଫୁ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଞ୍ଚଳର ୧୩ ନମ୍ବର ୱାର୍ଡ଼। ଖୋଦ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକଙ୍କ ବାସଭବନ ଏହି ୱାର୍ଡ଼ ଅର୍ନ୍ତଗତ ଅପର୍ତ୍ତିବିନ୍ଧା ଗ୍ରାମରେ। ତେବେ ଭଦ୍ରକ ଡ୍ରେନେଜ ବିଭାଗର ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଉକ୍ତ ୱାର୍ଡ଼ର ପ୍ରାୟ ୮ଶହ ପରିବାରର ୩ହଜାର ବାସିନ୍ଦା। ସମାନ୍ୟ ବର୍ଷାରେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ରାସ୍ତାରେ ଳହଡ଼ି ମାରୁଛି। ତେଣୁ ଏହି ୱାର୍ଡ଼ରେ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ତଥ୍ୟ ଅନୁଯାୟୀ ଉକ୍ତ ଅଞ୍ଚଳର ଡ୍ରେନେଜ ସମସ୍ୟା ଦୂର କରିବାକୁ ୨ବର୍ଷ ପୂର୍ବେ ଅପର୍ତ୍ତିବିନ୍ଧା ନିଉ କଲୋନୀ ନଦୀଘାଟ ଠାରୁ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟ ଶାଖା ଛକ ପର୍ଯ୍ୟନ୍ତ ୫ଶହ ମିଟର ଲମ୍ବର ଏକ ଡ୍ରେନ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା। ୫୦କ୍ଷ ଟଙ୍କାର ଏହି ଡ୍ରେନ କାର୍ଯ୍ୟ ପାଇଁ ଟେଣ୍ଡର ନେଇଥିବା ଚାନ୍ଦବାଲି ଅଞ୍ଚଳର ଜଣେ ଠିକାଦାର ବିଭାଗ ସହିତ ଚୁକ୍ତି କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ହେଉଛି ମୁଖ୍ୟ ଡ୍ରେନ। ସଂପୃକ୍ତ ଅଞ୍ଚଳରେ ଥିବା ଛୋଟ ଛୋଟ କଲୋନୀର ସମସ୍ତ ସବ୍ ଡ୍ରେନ ଏହି ମୁଖ୍ୟ ଡ୍ରେନକୁ ସଂଯୋଗ କରିଥାଏ।

ଏହି ଅଞ୍ଚଳର ସମସ୍ତ ଜନସାଧାରଣ ସଚେତନ ଥିବାରୁ କାର୍ଯ୍ୟ ଆରମ୍ଭରୁ ସେମାନେ ନିର୍ମାଣ କାର୍ଯ୍ୟର ମାନକୁ ଜଗିଥିଲେ। ଯାହାକି ଠିକାଦାରଙ୍କୁ ସୁହାଇ ନ ଥିଲା। ତେଣୁ ସଂପୃକ୍ତ ଠିକାଦାର ଡ୍ରେନ ପାଇଁ ରାସ୍ତା ପାଶ୍ୱର୍ରେ ମାଟି ଖୋଳି ଅଧାରୁ କାମ ଛାଡ଼ି ପଳାଇଥିଲେ। ଫଳରେ ଅଞ୍ଚଳବାସୀ ବିଗତ ୨ବର୍ଷ ହେଲା ବର୍ଷା ଦିନରେ ଆଣ୍ଠୁଏ ପାଣିରେ ଘାଣ୍ଟି ହେଉଛନ୍ତି। ଏ ସମ୍ପର୍କରେ ୧୩ ନମ୍ବର ୱାର୍ଡ଼ର ପ୍ର୍ରାକ୍ତନ କାଉନସିଲର ତଥା ପୌରାଞ୍ଚଳ ପାଇଁ ସାଂସଦଙ୍କ ପ୍ର୍ରତିନିଧି ପ୍ର୍ରଣୟ କୁମାର ଦାସ ଭଦ୍ରକ ବିଧାୟକ ଓ ବର୍ତ୍ତମାନର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଇତିମଧ୍ୟରେ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ବହୁବାର ନିର୍ଦ୍ଦେଶ ଦେଇଛନ୍ତି। ଅନୁରୂପ ଜିଲ୍ଳାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ମଧ୍ୟ ଏକାଧିକ ଥର ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହାର କୌଣସି ସୁଫଳ ଅଞ୍ଚଳବାସୀ ପାଇ ପାରି ନାହାନ୍ତି ବୋଲି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ରରେ ଅଭିଯୋଗ କରିଛନ୍ତି ଶ୍ରୀ ଦାସ। ତେଣୁ ଜିଲ୍ଲାର ମୁଖ୍ୟ ହିସାବରେ ଜିଲ୍ଲାପାଳ ଏହି ପ୍ରସଙ୍ଗରେ ନିଜର ସର୍ବୋଚ୍ଚ କ୍ଷମତା ପ୍ରୟୋଗ କରିବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି। ଅପରପକ୍ଷେ କାର୍ଯ୍ୟାଦେଶ ପାଇଥିବା ଠିକାଦାର ଇତିମଧ୍ୟରେ କେବଳ ଗାତ ଖୋଳି ୨ଟି ରନିଂ ବିଲ କରି ନେଇଛନ୍ତି। କାର୍ଯ୍ୟାଦେଶ ପାଇ ଚୁକ୍ତିନାମା କରିଥିବା ଠିକାଦାରଙ୍କୁ ଡ୍ରେନେଜ ବିଭାଗ କାହିଁକି ଅନୁକମ୍ପା ଦେଖାଇ ଚାଲିଛନ୍ତି ତାହାକୁ ନେଇ ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।