Odiapua.com

ଭଦ୍ରକ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜଣେ କୋଭିଡ୍ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ, ୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ସଂକ୍ରମିତ ଜଣେ ମହିଳାଙ୍କୁ ବଂଚାଇବା କ୍ଷେତ୍ରରେ ଅକ୍ସିଜେନ୍‌ର ଅଭାବ ନଥିଲା । ଡାକ୍ତର ଓ ନର୍ସ ସମସ୍ତେ ଥିଲେ । କିନ୍ତୁ ମହିଳା ଜଣଙ୍କୁ କରୋନା ସଂକ୍ରମିତ ଥିବାର ଜାଣି କେହି ପାଖକୁ ନଆସିବାରୁ ସମସ୍ତଙ୍କ ଆଖି ଆଗରେ ରୋଗିଣୀଟି ଅକ୍ସିଜେନ୍ ନପାଇ ଛଟପଟ ହୋଇ ମରିଗଲା । କିନ୍ତୁ କେହି ତାକୁ ବଂଚାଇବା କ୍ଷେତ୍ରରେ ସାମାନ୍ୟତମ ସହଯୋଗ ତ ଦୂରର କଥା ପାଖ ନ ମାଡିବାରୁ ବଡ କରୁଣ ଅବସ୍ଥାରେ ତାର ମୃତ୍ୟୁ ହୋଇଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାପ୍ତ ଖବରରୁ ଯାହା ଜଣାଯାଏ ପଡୋଶୀ ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଂଚଳର ମଇତାପୁର ଗ୍ରାମ ନିବାସୀ ଗୋମତି ସିଂ ନାମକ ଜଣେ ମହିଳାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ତାକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ । ପ୍ରଥମେ ମହିଳା ଜଣଙ୍କୁ ଆଉଟ୍‌ଡୋର୍‌ରୁ ଜେନେରାଲ ଫିମେଲ୍ ୱାର୍ଡକୁ ଅଣାଗଲା । ସେଠାରେ କୋଭିଡ୍ ଟେଷ୍ଟ ପରେ ପଜିଟିଭ୍ ଥିବାରୁ ଡାକ୍ତର କହିଲେ ଏଠାରେ ତୁମର ଚିକିତ୍ସା ହୋଇପାରିବ ନାହିଁ । ତୁମେ କୋଭିଡ୍ ୱାର୍ଡକୁ ଯାଅ । ମାତ୍ର ଘରଲୋକେ ମହିଳା ଜଣକ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ଡାକ୍ତରଙ୍କୁ ଯେତେ ବିକଳ ହୋଇ ଅକ୍ସିଜେନ୍‌ଟିଏ ଦେବାକୁ କହିଥିଲେ ମଧ୍ୟ ୱାର୍ଡରେ ଡ୍ୟୁଟିରେ ଥିବା ଡାକ୍ତର ବେଣୁଧର ନାୟକ ଏ ରୋଗୀ ପାଇଁ ଅକ୍ସିଜେନ୍ ଉଦ୍ଦିଷ୍ଟ ନଥିବାର କହି ଶୀଘ୍ର ମେଡିକାଲ ଛାଡି ଯିବାକୁ କହିଥିଲେ ।

କରୋନା ପଜିଟିଭ୍ ଜାଣି କୌଣସି ଡାକ୍ତର କି ନର୍ସ ତା ପାଖକୁ ନଆସି କେବଳ କୋଭିଡ୍ ୱାର୍ଡକୁ ନେଇଯାଅ କହି ପରେ କଟକ ରେଫର କରିବା ସହ ଆମ୍ବୁଲାନ୍ସରେ ଅକ୍ସିଜେନ୍ ଅଛି, ରାସ୍ତାରେ ତାହା ଲଗାଇବ ବୋଲି କହିବାକୁ ଭୁଲିନଥିଲେ । ଫଳରେ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ କେବଳ ମେଡିକାଲର ଏ ୱାର୍ଡ ସେ ୱାର୍ଡ ହୋଇ ଶେଷରେ ଛଟପଟ ଅବସ୍ଥାରେ ପିଣ୍ଢାରେ ପଡି ଅକ୍ସିଜେନ୍ ଅଭାବରୁ ମୃତ୍ୟୁବରଣ କରିଥିଲା ଗୋମତି । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତିର ଯଦି କରୋନା ପଜିଟିଭ୍ ଚିହ୍ନଟ ହୁଏ, ତେବେ ଡାକ୍ତର ଓ ନର୍ସଙ୍କ ଉପସ୍ଥିତିରେ ଅକ୍ସିଜେନ୍ ଅଭାବରୁ ମୃତ୍ୟୁବରଣ କରିବା କେତେଦୂର ଯଥାର୍ଥ! ଏଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଯେତେବେଳେ କରୋନା ରୋଗୀଙ୍କ ପାଇଁ କୌଣସି ଡାକ୍ତରଖାନାରେ ଅକ୍ସିଜେନ୍‌ର ଅଭାବ ନଥିବାର କଥା କହୁଛନ୍ତି, ସେତେବେଳେ ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଜିଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ମୂଳରେ ଯେଉଁ ଡାକ୍ତର ଓ ନର୍ସମାନେ ଦାୟୀ, ସେମାନେ କ’ଣ ଦଣ୍ଡ ପାଇବା ଉଚିତ୍ ନୁହଁକି । ଏ ପ୍ରଶ୍ନ କରିଛନ୍ତି ଭଦ୍ରକ ଜିଲାର ବହୁ ବୁଦ୍ଧିଜୀବୀ । ଏଣୁ ଖୋଦ୍ ଜିଲାପାଳ ଜ୍ଞାନ ଦାସ ଓ ଏସ୍‌ପି ଚରଣ ସିଂ ମୀନା ଡାକ୍ତରଖାନା ବୁଲି ସମୀକ୍ଷା କାଳରେ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସବୁକିଛି ଠିକ୍ ଠାକ୍ ଥିବା ବିଷୟ ଗଣମାଧ୍ୟମକୁ କହିଥିବାବେଳେ ଏଭଳି ଘଟଣା ଘଟିବା କେତେଦୂର ସମିଚୀନ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।