ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋବିଡ ଗାଇଡ଼୍ ଲାଇନ୍ ମଧ୍ୟରେ ‘ଭଦ୍ରକ ଡାଇବେଟିସ ଫାଉଣ୍ଡେସନ’ ପକ୍ଷରୁ ଭଦ୍ରକରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଛି । ଏଥି ନିମନ୍ତେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଅତିରିକ୍ତ ଏସ୍ପି ବିକାଶ ଦାଶ ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ସକାଳ ୭ଟା ସମୟରେ ସ୍ଥାନୀୟ ପ୍ରଜାପତି କଲ୍ୟାଣ ମଣ୍ଡପ ଠାରୁ ବାହାରିଥିବା ଏହି ପଦଯାତ୍ରାରେ କିଛି ବୁଦ୍ଧିଜୀବୀ ଏବଂ ଔଷଧ ବିତରକ କମ୍ପାନୀର ପ୍ରତିନିଧିମାନେ ବିିଭିନ୍ନ ପ୍ରକାର ପ୍ଲାକାର୍ଡ ଓ ବ୍ୟାନର ମାଧ୍ୟମରେ ସହରର ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଜଣାଇଥିଲେ । ଏହି ପଦଯାତ୍ରାରେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ଡାକ୍ତର ରଞ୍ଜିତ ଖଟୁଆ, ଫାଉଣ୍ଡେସନର ସମ୍ପାଦିକା ବସୁମିତ୍ରା ସମାହ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ଚାଚା ନେହେରୁ ଓ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଦିବା ୧୧ ଘଟିକାରେ ଫାଉଣ୍ଡେସନ କାର୍ଯ୍ୟାଳୟ ନିକଟ ଆରଡି ଛକ ଠାରେ ଏକ ଜନ ସଚେତନତା ତଥା ଡାଇବେଟିସ ଚିହ୍ନଟ ଶିବିରକୁ ଭଦ୍ରକର ପୂର୍ବତନ ଉପଜିଲ୍ଲାପାଳ ଅନିରୁଦ୍ଧ ଦାସ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମକୁ ଡାକ୍ତର ରଞ୍ଜିତ କୁମାର ଖଟୁଆ ପରିଚାଳନା କରିଥିଲେ । ଅନୁଷ୍ଠାନର ସଂପାଦିକା ବସୁମିତ୍ରା ସାହୁ ସଂପାଦକୀୟ ବିବରଣୀ ପାଠ କରିଥଲେ । ଏହି ଅବସରରେ ୧୦୦ ଜଣଙ୍କ ରକ୍ତ ପରୀକ୍ଷା, ଇସିଜି, ଥାଇରଏଡ, ଭିପିଟି ଭଳି ଆଧୁନିକ ପ୍ରଣାଳୀର ପରୀକ୍ଷା କରାଇ ଉପଯୁକ୍ତ ପରାମର୍ଶ ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ଫାଉଣ୍ଡେସନର ଉପଦେଷ୍ଟା ଡ. ରଞ୍ଜିତ ଖଟୁଆ, ସ୍ୱେଚ୍ଛାସେବୀ ତଥା ବହୁ ଔଷଧ ବିତରକ କମ୍ପାନୀର କର୍ମକର୍ତ୍ତା ସହଯୋଗ ଓ ପରିଚାଳନା କରିଥିଲେ ।