Odiapua.com

ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୬୬ତମ ମହାପରିନିର୍ବାଣ ଦିବସ ପାଳିତ

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ପରିସର ମଧ୍ୟରେ ଭାରତରତ୍ନ ତଥା ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ୬୬ତମ ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଛି । ମହାସଂଘର ସଭାପତି ତଥା ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଯେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ମହେନ୍ଦ୍ର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଆଇନଜୀବି ଅଗଣୀ ଯେନା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଜମ୍ବୁବତୀ ଦାସ, ଡ଼ାକ୍ତର ଅବିନାଶ କୁମାର ପ୍ରମୁଖ ଯୋଗ ଦେଇଥିଲେ । ସଭାପ୍ରାରମ୍ଭରେ ସଂଘ ପକ୍ଷରୁ ବାବା ସାହେବ ଆମ୍ଭେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ଆୟୋଜିତ ଏହି ସଭାରେ ଅତିଥିମାନେ ବାବା ସାହେବ ଆମ୍ବେଦକରଙ୍କ ନୀତି ଆଦର୍ଶରେ ପରିଚାଳିତ ହେବା ସହ ଦଳିତ ସମାଜର ଉତ୍‌ଥାନ ପାଇଁ ସମସ୍ତ ଦଳିତ ବର୍ଗର ଉଚ୍ଚ ଶିକ୍ଷିତ ଯୁବକ ମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସେହିପରି ଦଳିତ ନେତା ଶ୍ରୀ ଯେନା ତାଙ୍କ ବକ୍ତବ୍ୟରେ ବତ୍ତର୍ମାନ ସ୍ଥିତିରେ ବାବା ସାହେବ ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନକୁ କେନ୍ଦ୍ର ସରକାର ଧ୍ୱଂସାଭିମୁଖୀ ଆଡ଼କୁ ନେଇ ଯାଉଥିବାରୁ ତାହାର ସୁରକ୍ଷା ଜରୁରୀ ହୋଇ ପଡ଼ିଛି । କେତେକ ମନୁବାଦୀ ଓ ପୁଞ୍ଜିପତିଙ୍କ ହାତରେ ଦେଶର ଶାସନ ବ୍ୟବସ୍ଥା ଥିବାରୁ ଦଳିତ ସମାଜ ପାଇଁ ବିପଦ ସୃଷ୍ଟି କରୁଛି । ଏଥିପ୍ରତି ଦଳିତ ସମାଜ ଜାଗ୍ରତ ହୋଇ ସମ୍ବିଧାନର ସୁରକ୍ଷା ପାଇଁ ଆଗେଇ ଆସିବା ସହ କେନ୍ଦ୍ର ସରକାରଙ୍କ ଦଳିତ ମାରଣ ନୀତିକୁ ତୀବ୍ର ବିରୋଧ କରିବାକୁ ଶ୍ରୀ ଯେନା ମତ ଦେଇଥିଲେ । ଆୟୋଜିତ ଏହି ଉତ୍ସବରେ ଶତାଧିକ ଦଳିତ ସମାଜର କର୍ମୀମାନେ ଯୋଗ ଦେବା ସହ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଇଥିଲେ । ଶେଷରେ ଗିରିଶ ଯେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟଜଗନ୍ନାଥ ମଲ୍ଲିକ, ଉମାକାନ୍ତ ଜେନା, ରବିନ୍ଦ୍ର ଜେନା, ମନୋଜ ମଲ୍ଲିକ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।