Odiapua.com

ଭଦ୍ରକ ଜିଲ୍ଲା ଗ୍ରୀଷ୍ମକାଳୀନ ସାଇକେଲ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ନେହେରୁ ଷ୍ଟାଡିୟମ ଠାରେ ମଇ ୧ ତାରିଖ ଦିନ ଉଦଘାଟିତ ହୋଇଥିବା ଜିଲ୍ଲା ସ୍ତରୀୟ ସାଇକେଲ ପ୍ରଶିକ୍ଷଣ ଶିବିର ରବିବାର ପୂର୍ବାହ୍ଣରେ ଉଦଯାପିତ ହୋଇଛି। ଓଡିଶା ସାଇକ୍ଲିଂ ଆସୋସିଏସନ୍ ସହଯୋଗରେ ଆୟୋଜିତ ଏହି ଶିବିରରେ ୫୦ ଜଣ ବାଳକ ବାଳିକା ଯୋଗ ଦେଇ ପ୍ରଭାବୀ ଢଙ୍ଗରେ ସାଇକେଲ ଚାଳନା ପାଇଁ ଆବଶ୍ୟକୀୟ କୌଶଳ ଆହରଣ କରିଥିଲେ। ଉଦଯାପନ ଉତ୍ସବରେ ଓଡିଶା ସାଇକ୍ଲିଂ ଆସୋସିଏସନ୍ ର ସାଧାରଣ ସମ୍ପାଦକ ପ୍ରସନ୍ନ ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସାଇକେଲ କ୍ରୀଡ଼ାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏ କ୍ଷେତ୍ରରେ ଅଦ୍ଭୂତପୂର୍ବ ପ୍ରଗତି ପରିଲକ୍ଷିତ ହେଉଛି ବୋଲି ମନ୍ତବ୍ୟ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଏ କ୍ରୀଡ଼ାର ମହତ୍ୱ ଓ ଉପକାରିତା ସମ୍ପର୍କରେ ବୁଝାଇଥିଲେ। ଅନ୍ୟତମ ଅତିଥି ରୂପେ ଭଦ୍ରକର ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ମହାନ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଧୀରେନ୍ ପଲାଇଙ୍କ ତତ୍ୱାବଧାନରେ ଏହି ଶିବିର ସଫଳତାର ଆୟୋଜିତ ହୋଇଥିଲା। ସାଇକେଲ ବିଭାଗ ସମ୍ପାଦକ ସଂଗ୍ରାମୀ ଦେବୀଦତ ନାୟକଙ୍କ ନେତୃତ୍ୱରେ ଗଠିତ ଆୟୋଜନ ସମିତିର ସଦସ୍ୟ ରୂପେ ନବନୀତା ନାୟକ, ସୁବାଷ ଗୋଚ୍ଛାୟତ, ସୂର୍ଯ୍ୟକାନ୍ତ ରାଉଳ ସହଯୋଗ କରିଥିଲେ। ହ୍ୟାପ୍ପି ହୋମ୍ ସ୍କୁଲର କ୍ରୀଡା ଅଧ୍ୟାପକ ରବିନାରାୟଣ ଓଝା ସଂଯୋଜନା ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଆର୍ଦ୍ରତା ସତ୍ୱେ ସାଇକେଲ କ୍ରୀଡା ପ୍ରତି ଶିବିରାର୍ଥୀ ଙ୍କ ଆଗ୍ରହ ଓ ଉତ୍ସାହ ସମସ୍ତଙ୍କୁ ପ୍ରଭାବିତ କରିଥିଲା।