Odiapua.com

ଭଦ୍ରକ ଜିଲ୍ଲା ଅଦାଲତ ପରିସରରେ ବାର୍ ଆସୋସିଏସନ୍‌ର ହଲ୍ ଏବଂ ଆମିନିିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଦାଲତ ପରିସରରେ ବାର ଆସୋସିଏସନ୍‌ର ହଲ୍ ଏବଂ ଏମିନିଟ୍ ସେଣ୍ଟରକୁ ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍‌.ମୁରଲୀଧରନ୍ ମୁଖ୍ୟ ଅତିଥି ଭାବରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ ନାୟକ ସଭାପତିତ୍ୱ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ବିଚାରପତି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ସମସ୍ତଙ୍କ ସହଯୋଗ ନରହିଲେ ଆଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏଥିରେ ଉଭୟ ଆଇନ୍ ବିଭାଗ ସାଙ୍ଗକୁ ପ୍ରଶାସନ ଓ ପୋଲିସ୍ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି କହିଛନ୍ତି। ଟାଉନ୍ ବସ୍ ଏବଂ ଟ୍ରାଫିକ୍ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ତାଙ୍କ ଭାଷଣରେ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥିଭାବେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଢ଼ଙ୍ଗୀ ଓ ଜଷ୍ଟିସ୍ ଦେବବ୍ରତ ଦାସ ଯୋଗ ଦେଇ କୋର୍ଟର ଅଭାବ ଅସୁବିଧା କିପରି ଦୂରହୋଇପାରିବ ଓ କେଶ୍ ଗୁଡ଼ିକ କିପରି ଶୀଘ୍ର ଫଇସଲା ହୋଇପାରିବ ସେ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଭଦ୍ରକ ଓକିଲ ସଂଘର ସଭାପତି ଦିଲ୍ଲୀପ୍ ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଅଦାଲତର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ବାର ଆସୋସିଏସନ୍‌ର ସାଧାରଣ ସଂପାଦକ ଯିତେନ୍ଦ୍ର କୁମାର ପଣ୍ଡା ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା, ଅରୁଣ କୁମାର ଚାନ୍ଦ, ପବନ ଶର୍ମା ପ୍ରମୁଖ ବାରର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ମାନ୍ୟବର ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବରେଣ୍ୟ ଅତିଥିମାନଙ୍କୁ ୁ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଆରକ୍ଷୀ ଅଧିକ୍ଷକ ଚରଣସିଂ ମୀନାଙ୍କ ସମେତ ଜିଲ୍ଲା ଜଜ ଓ ଅନ୍ୟାନ୍ୟ ବିଚାରବିଭାଗୀୟ ଅଧିକାରୀ ଏବଂ ଓକିଲ ସଂଘର କର୍ମକର୍ତ୍ତାମାନେ ସ୍ୱାଗତ ଜ୍ଞାପନ କରିବା ସହିତ ନୂତନ କୋର୍ଟ ପରିସର ବୁଲି ଦେଖିଥିଲେ। ଏହି ଅବସରରେ ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା, ରାୟ ରାମାନନ୍ଦ ମହାପାତ୍ର, ଶଶିଭୂଷଣ ପଣ୍ଡା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ବାରଆସୋସିଏସନ୍‌ର ଉପସଭାପତି କରୁଣାକର ଦାଶ, ଯୁଗ୍ମ ସଂପାଦକ ନିକୁଞ୍ଜ ପୁହାଣ, ସହସଂପାଦକ ଅଶୋକ ନାୟକ, ଅଭୟ ସେଠୀ ଓ କୋଷାଧ୍ୟକ୍ଷ ସୁରେନ୍ଦ୍ର କର ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ଏହି ଦୁଇଟି ଗୃହ ନିର୍ମାଣ ହେବ ବୋଲି ଅଟକଳ କରାଯାଇଛି। ଉକ୍ତ ସଭାକୁ ଜୁଡ଼ିସିଆଲ୍ ମାର୍ଜିଷ୍ଟ୍ରେଟ୍ ଫାଷ୍ଟ୍‌କ୍ଲାସ୍ ରୀତିକା ଜେନା ସଂଯୋଜନା କରିଥିଲେ। କୋର୍ଟ ମ୍ୟାନେଜର ମାନସ କୁମାର ରଥ ଓ ରେଜିଷ୍ଟାର୍ ଅବକାଶ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଆସନ୍ତା ଫେବୃୟାରୀ ୨୧ ତାରିଖ ଠାରୁ ନିୟମିତ ଭାବରେ ଫୁଲବ୍ୟାଞ୍ଚରେ କୋର୍ଟ କାର୍ଯ୍ୟ ଚାଲିବ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା।