Odiapua.com

ଭଦ୍ରକ ଜିଲ୍ଲାରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ: ମୋଟ ଭୋଟର ସଂଖ୍ୟା ୧୨,୧୮,୩୦୭ ,ସମସ୍ତ ଯୋଗ୍ୟ ଭୋଟର ନିଜ ନାମ ତାଲିକାରେ ଯୋଡ଼ିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ ସଘନ ସଂଶୋଧନ, (ଏସଆଇଆର)-୨୦୨୬ ଅନ୍ତର୍ଗତ ଭଦ୍ରକ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ପ୍ରକାଶ ପାଇଛି। ଏହି ଉପଲକ୍ଷେ ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ୨୦-୨୫ ବର୍ଷ ପରେ ଏଭଳି ଏକ ପ୍ରକ୍ରିୟାକୁ ସ୍ୱାଗତ କରିବା ସହ ସମସ୍ତ ଯୋଗ୍ୟ ଭୋଟର ନିଜର ନାମକୁ ଯୋଡ଼ିବାକୁ ,ପରଖିବାକୁ ଏବଂ କୌଣସି ଯୋଗ୍ୟ ନାଗରିକ ଯେଭଳି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେଭଳି ତାଲିକାରେ ନ ରହେ, ତାହା ସୁନିଶ୍ଚିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଭଦ୍ରକ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ପ୍ରକାଶିତ ତଥ୍ୟ ଅନୁଯାୟୀ, ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀକୁ ମିଶାଇ ଚୂଡାନ୍ତ ଭୋଟରଙ୍କ ସଂଖ୍ୟା ୧୨,୧୮,୩୦୭ ରହିଛି। ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଭଣ୍ଡାରିପୋଖରୀ ରେ ମୋଟ ଭୋଟର ସଂଖ୍ୟା ୨,୪୦,୧୧୭ ଥିଲା । ଫର୍ମ-୬ ଜରିଆରେ ୯୩୩ ଏବଂ ଫର୍ମ-୭ ଜରିଆରେ ୪୯ ଜଣ ଆବେଦନ କରିଛନ୍ତି, ଏବଂ ଚୂଡାନ୍ତ ଭୋଟର ସଂଖ୍ୟ। ୨,୨୭,୮୪୭ ରହିଛି। ଏସଆଇଆର ପୂର୍ବରୁ ଭଦ୍ରକରେ ମୋଟ ଭୋଟର ୨,୭୦,୬୧୩ ଜଣ ଥିବାବେଳେ ଫର୍ମ-୬ରେ ୧,୬୨୧, ଫର୍ମ-୭ରେ ୧,୫୬୮ ଏବଂ ଚୂଡାନ୍ତ ଭୋଟର ସଂଖ୍ୟ। ୨,୫୭,୦୬୭ ରହିଛି। ସେହିପରି ବସୁଦେବପୁରରେ ମୋଟ ଭୋଟର ୨,୬୯,୪୯୬ ଥିବାବେଳେ ଫର୍ମ-୬ ପାଇଁ ୧,୧୦୭, ଫର୍ମ-୭ ପାଇଁ ୫୨୭ ଏବଂ ଚୁଡାନ୍ତ ଭୋଟର ତାଲିକାରେ ୨,୫୮,୩୦୮ ରହିଛନ୍ତି। ଏସଆଇଆର ପୂର୍ବରୁ ଧାମନଗର ଭୋଟର ସଂଖ୍ୟା ୨,୪୯,୬୮୧ ଥିବାବେଳେ ଫର୍ମ-୬ରେ ୭୪୨, ଫର୍ମ-୭ରେ ୭୯୧ ଏବଂ ଚୂଡାନ୍ତ ଭୋଟର ସଂଖ୍ୟ। ୨,୩୧,୬୭୬ ରହିଛି। ସେହିପରି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୨,୫୪,୭୧୧ ଥିବାବେଳେ ଫର୍ମ-୬ରେ ୮୬୨, ଫର୍ମ-୭ରେ ୩୦୪ ଏବଂ ବର୍ତମାନ ମୋଟ ଚୂଡାନ୍ତ ଭୋଟର ସଂଖ୍ୟା ୨,୪୩,୪୦୯ ରହିଛି। ଏହି ସମଗ୍ର ପ୍ରକ୍ରିୟାରେ ଜିଲ୍ଲାରେ ମୋଟ ୧,୭୦୩ ଜଣ ବିଏଲଓ ନିୟୋଜିତ ହୋଇଥିଲେ। ଏହି ତାଲିକାରେ ମୃତ୍ୟୁବାରଣ କରିଥିବା ବ୍ୟକ୍ତି (୨୩,୧୫୬), ଅନୁସନ୍ଧାନ ଅଯୋଗ୍ୟ/ଅନୁପସ୍ଥିତ (୭,୭୩୩), ସ୍ଥାନାନ୍ତରିତ (୩୧,୦୪୧) ଏବଂ ଅନ୍ୟାନ୍ୟ ସଂଶୋଧନଗୁଡ଼ିକୁ ହିସାବକୁ ନିଆଯାଇ ଚୂଡ଼ାନ୍ତ ଭୋଟର ଲିଷ୍ଟ ପ୍ରସ୍ତୁତ କରାଯାଇଛି। ଭଦ୍ରକ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୨,୧୮,୩୦୭ ଜଣ ଭୋଟର ଅଛନ୍ତି। ଯେଉଁଥିରେ ୬,୩୬,୦୨୧ ଜଣ ପୁରୁଷ, ୫,୮୨,୧୮୭ ଜଣ ମହିଳା ଏବଂ ୯୯ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି। ଚୂଡ଼ାନ୍ତ ତାଲିକାରେ ୧୦,୬୦୩ ଜଣ ଯୁବ ଭୋଟର (୧୮-୧୯ ବର୍ଷ ବୟସ୍କ) ଏବଂ ୧୧,୦୪୧ ଜଣ ବରିଷ୍ଠ ନାଗରିକ (୮୫ ବର୍ଷରୁ ଉର୍ଦ୍ଧ ) ଭୋଟର ଅଛନ୍ତି। ଜିଲ୍ଲାରେ ମୋଟ ୨୨,୬୬୧ ଜଣ ଦିବ୍ୟାଙ୍ଗ ଭୋଟର ଚିହ୍ନଟ ହୋଇଛନ୍ତି, ଯାହା ମୋଟ ଭୋଟରଙ୍କ ୧.୮୬ ପ୍ରତିଶତ । ଏସଆଇଆର ପ୍ରକ୍ରିୟା ଅଧୀନରେ ଘରକୁ ଘର ଯାଇ ସର୍ଭେ, ଭୋଟରଙ୍କ ଦାବି ଓ ଆପତିର ବିଚାର ଏବଂ ଆବଶ୍ୟକ ସଂଶୋଧନ ପରେ ଏହି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଭୋଟରମାନେ ନିଜ ନାମ ଓ ଭୋଟର ବିବରଣୀ ଯାଂଚ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ଅଫିସିଆଲ୍ ୱେବସାଇଟ୍ (ଙ୍ଖକ୍ଟଗ୍ଧରକ୍ସଗ୍ଦ.ରମସ.ଶକ୍ଟଙ୍ଖ.ସଦ୍ଭ) କିମ୍ବା ଋଉଓଘଋଞ ଇକ୍ଟ୍ରକ୍ଟ୍ର ବ୍ୟବହାର କରିପାରିବେ। ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ଯଦି କୌଣସି ବ୍ୟକ୍ତି ଇଆରଓଙ୍କ ଆଦେଶରେ ଅସନ୍ତୁଷ୍ଟ ଥାଆନ୍ତି, ତେବେ ନିମ୍ନୋକ୍ତ ପ୍ରକ୍ରିୟାରେ ଅପିଲ୍ କରିପାରିବେ: ପ୍ରଥମ ଅପିଲ୍‌: ଋଜଙଙ୍କ ଆଦେଶ ବିରୋଧରେ ଜିଲ୍ଲା ମାଜିଷ୍ଟ୍ରେଟ୍ / ପ୍ରଥମ ଅପିଲ୍ କର୍ତୃପକ୍ଷଙ୍କ ନିକଟରେ ଆଦେଶର ତାରିଖଠାରୁ ୧୫ ଦିନ ମଧ୍ୟରେ ଅପିଲ୍ ଦାଖଲ କରାଯାଇପାରିବେ । ଦିତୀୟ ଅପିଲ୍‌: ପ୍ରଥମ ଅପିଲ୍ କର୍ତୃପକ୍ଷଙ୍କ ଆଦେଶରେ ଅସନ୍ତୁଷ୍ଟ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଦେଶର ତାରିଖଠାରୁ ୩୦ ଦିନ ମଧ୍ୟରେ ଦ୍ୱିତୀୟ ଅପିଲ୍ କରାଯାଇପାରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରେ ନିଜର ନାମ ଓ ବିବରଣୀ ଯାଂଚ କରିବାକୁ ଏବଂ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ସେବା ଓ ସୁବିଧାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି। ଏହି ବୈଠକ ରେ ଜ଼ିଲ୍ଲାପାଳଙ୍କ ସମେତ ଅତରିକ୍ତ ଜ଼ିଲ୍ଲାପାଳ ରବି ନାରାୟଣ ସାହୁ, ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପ ଜ଼ିଲ୍ଲାପାଳ ସୌରଭ ଚକ୍ରବର୍ତୀ, ସ୍ୱତନ୍ତ୍ର କାର୍ଯ୍ୟଭାର ଅଧିକାରୀ (ନିର୍ବାଚନ ) ସାଗରିକା ସାହୁ, ଡେପୁଟି କଲେକ୍ଟର ପ୍ରତିମା ନାୟକ, ସହାୟକ ଜ଼ିଲ୍ଲାପାଳ ଶାଶ୍ୱତ ପଟ୍ଟନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଓ ଜ଼ିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।