ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୂମି ସମ୍ମାନ ପ୍ଲାଟିନମ୍ ପ୍ରମାଣପତ୍ର ପାଇବା ପାଇଁ ଭଦ୍ରକ ଜିଲ୍ଲା ଜାତୀୟ ସ୍ତରରେ ଯୋଗ୍ୟତା ହାସଲ କରିଥିବା ଆମ ଜିଲ୍ଲାପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବ ର ବିଷୟ । ସୂଚନା ଯୋଗ୍ୟ କି ଦେଶରେ ୬୮ ଟି ଜିଲ୍ଲା ଏହି ପ୍ରମାଣ ପତ୍ର ପାଇବା ପାଇଁ ତାଲିକା ଭୁକ୍ତ ହୋଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ବୋନ୍ଦର ଆଗାମୀ ଜୁଲାଇ ୧୮ ତାରିଖ ମଙ୍ଗଳବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପୂର୍ବାହ୍ନ ୧୧ଟାରେ ସମ୍ମାନନୀୟା ରାଷ୍ଟ୍ରପତିଙ୍କ ଠାରୁ ଏହି ପ୍ରମାଣ ପତ୍ର ଗ୍ରହଣ କରିବା କାର୍ଯ୍ୟକ୍ରମ ଅଛି । ଜିଲ୍ଲାପାଳଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶାନ୍ତନୁ କୁମାର ମହାନ୍ତିଙ୍କ ମାର୍ଗଦର୍ଶନରେ ଜିଲ୍ଲଶର ସମସ୍ତ ତହସିଲ୍ଦାର ଓ ତହସିଲର ସମ୍ପୃକ୍ତ କର୍ମଚାରୀମାନଙ୍କ ସାମୁହିକ ଉଦ୍ୟମ ଯୋଗୁଁ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାକୁ ଏହି ସମ୍ମାନ ପ୍ରାପ୍ତ ହୋଇଛି । ଏଥିପାଇଁ ଜିଲ୍ଲାପାଳ ସମୁଦାୟ ଟିମ୍ କୁ ଶ୍ରେୟ ପ୍ରଦାନ କରିଛନ୍ତି ଏବଂ ଅନ୍ୟ ସମସ୍ତ କ୍ଷେତ୍ରରେ ଏହିଭଳି ଉତ୍ସର୍ଗୀକୃତ କାର୍ଯ୍ୟ କଲେ ଆଗାମୀ ଦିନରେ ଜିଲ୍ଲାକୁ ଆହୁରି ଅନେକ ସମ୍ମାନ ମିଳିବ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଥାଉ କି ଜମିଜମା ରେକର୍ଡ଼, ଭୂ ନକ୍ସା ସମ୍ପର୍କିତ କମ୍ପ୍ୟୁଟରୀ କରଣ କାର୍ଯ୍ୟ ଓ ଅନ୍ୟ କେତେକ ପାରାମିଟର ମାପକ ଆଧାରରେ ଏହି ପ୍ରମାଣପତ୍ର ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ କରାଯାଇଥାଏ । ୬୮ ଜିଲ୍ଲା ମଧ୍ୟରେ ୯ଟି ରାଜ୍ୟର ଜିଲ୍ଲା ଅନ୍ତର୍ଭୁକ୍ତ ଅଛି ଏବଂ ଓଡ଼ିଶାର ସର୍ବାଧିକ ୧୯ଟି ଜିଲ୍ଲା ଏହି ତାଲିକାରେ ସ୍ଥାନିତ ହୋଇଛି ।