Odiapua.com

ଭଦ୍ରକ ଜିଲା ଲେଖିକା ସଂସଦର ବର୍ଷା ଆସର

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଲେଖିକା ସଂସଦାର ବର୍ଷା ଆସର (ରିମ୍‌ଝିମ୍ ବର୍ଷା) ସଭାପତି ପ୍ରଫେସର ଡ. ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକର ମହେନ୍ଦ୍ର ଭବନ ପରିସରରେ ଥିବା ବିବେକାନନ୍ଦ ପାଠ ଭବନରେ ଆୟୋଜିତ ଏହି ମନୋଜ୍ଞ କବିତା ଆସରର କବିତା ପାଠୋତ୍ସବରେ କାଦମ୍ବିନୀ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏଥିରେ ସଂଯୋଜନା କରିଥିଲେ ବିଶିଷ୍ଟ କବି ଡ. ମମତାରାଣୀ ସାହୁ ଓ ଅଧ୍ୟାପିକା ଉଷାରାଣୀ ଜେନା । ଦ୍ୱିତୀୟ ଅଧିବେଶନରେ ଅନୁଷ୍ଠିତ ସାଧାରଣ ସଭାରେ ଡ. କାନନ ମହାନ୍ତି ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିବା ପରେ କବି ବସନ୍ତ ମିଶ୍ରଙ୍କ ବେଦପାଠ ମଧ୍ୟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା ଉଦ୍‌ଘାଟନ ହୋଇଥିଲା । ଡ. ସୋମା ଚାନ୍ଦ ଅତିଥିମାନଙ୍କୁ ସ୍ୱାଗତ ସମ୍ଭାଷଣ ସହ ପରିଚୟ ପ୍ରଦାନ କରିଥିବାବେଳେ ଡ. ସୁକାନ୍ତି ମହାପାତ୍ର ଅତିଥି ପରିଚୟ ଦେଇଥିଲେ । ଏହାପରେ ଡ. ପ୍ରଭାତ ନଳିନୀ ମହାପାତ୍ରଙ୍କ ଗଳ୍ପ ପୁସ୍ତକ ‘ସମୁଦ୍ର କୂଳିଆ ଝିଅ’ ଓ ଶିଶୁ କିଶୋର କବିତା ସଂକଳନ ‘ଗୀତ ଶୁଣିବ ଆସ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।

ଏଥିରେ ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାସ ନିଜର ଅଭିଭାଷଣରେ ନାରୀ ସ୍ୱତଃ ସଶକ୍ତ ପ୍ରତ୍ୟେକ୍ଷ ପଦକ୍ଷେପରେ ସେ ତାଳ ମେଳାଇ ଚାଲିବାକୁ ସମର୍ଥ ବୋଲି କହିଥିଲେ । ‘ଆକଳନ’ ସମାଲୋଚନା ମୂଳକ ପତ୍ରିକା ତରଫରୁ ଏହାର ସଂପାଦକ ଡ. ଶଶଧର ଦାସ ଓଡ଼ିଆ ଭାଷାକୁ ବିଚ୍ଛିନାଞ୍ଚଳରେ ପ୍ରଚାର ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ନେଇଥିବା ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ମନୀନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ସୁଲେଖିକା ମିରିନା ମହାନ୍ତି ବର୍ଷା ମନୁଷ୍ୟ ଜୀବନକୁ ପ୍ରତ୍ୟକ୍ଷ କ୍ଷେତ୍ରରେ କିପରି ମୁଖର କରିଥାଏ, ସେ ସଂପର୍କରେ ବର୍ଣ୍ଣନା କରିଥିଲେ । ସଭାପତି ଶ୍ରୀମତୀ ପଟ୍ଟନାୟକ ସାହିତ୍ୟ ସହିତ ବର୍ଷାର ନିବିଡ ସଂପର୍କ ବିଷୟରେ ଆଲୋକପାତ କରିଥିଲେ । ଏଥିରେ ବିଶିଷ୍ଟ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ, କବି ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ପୂର୍ଣ୍ଣଚନ୍ଦ୍ର ବହଳି, ଅଜୟ ନାୟକ, କିଶୋର ପାଣିଗ୍ରାହୀ, ଶାନ୍ତନୁ କୁମାର ରାଉତ, ଭରତ ଚନ୍ଦ୍ର ଦାସ, ସରୋଜିନୀ ମହାପାତ୍ର, ରବିନ୍ଦ୍ର କୁମାର ମହାରଣା, ଡ. ଅନୀଲ କୁମାର ମହାରଣା, ନୀଳିମା ପଣ୍ଡା, ଦମୟନ୍ତୀ ନାଥ, ମୁସ୍ତାକ ଗହ୍ୱର, ଅବଦୁଲ ଦୟାନ, ସୁମିତ୍ରା ପାଣି, ତପସ୍ୱିନୀ ପହି, ଦୀପ୍ତିମୟୀ ସାହୁ, ଗୋକୁଳାନନ୍ଦ ରାଉତ, ବିଚିତ୍ରାନନ୍ଦ ଜେନା, ଭାନୁମତି ମାଟିଆ, ସ୍ନେହଲତା ବେହେରା, ନିର୍ମଳ ରାଉତ, ସୁଚିତ୍ରା ପାଣିଗ୍ରାହୀ, ନିହାର ରଂଜନ କର, ମମତାରାଣୀ ଦାସ, ମନୋରାମ ରାୟ ପ୍ରମୁଖ କବିତା ପାଠ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭ୍ୟା ଡ. ରାଧାରାଣୀ ମହାପାତ୍ର ସଂଯୋଜନା କରିଥିବାବେଳେ ଶେଷରେ ରଶ୍ମିରେଖା ପରମାଣିକ ଧନ୍ୟବାଦ ଅର୍ପଣ କରିଥିଲେ ।