ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ପିଡିଏସ୍ ଲାଗି ଚାଉଳ ନାହିଁ। ଖାଦ୍ୟ ନିଗମର ଭଣ୍ଡାର ଖାଲି ପଡିଛି। ଭଦ୍ରକ ଜିଲାରେ ଧାନ ସଂଗ୍ରହର ବିଳମ୍ବତା ଫଳରେ ଯୋଗାଣ ନିଗମ ପାଖରେ ପିଡିଏସ୍ ଚାଉଳ ଆଉ ବାଂଟିବାକୁ ନାହିଁ। ବିଶେଷକରି ଜାନୁଆରୀ ମାସରେ ଏହି ଚାଉଳର ନିଅଂଟିଆ ଭରଣା କରିବାକୁ ପଡୋଶୀ ଯାଜପୁର ଜିଲାରୁ ୧୨ ହଜାର କ୍ୱିଂଟାଲ ଚାଉଳ ଅଣାଯାଇଥିବାବେଳେ ଫେବୃୟାରୀ ମାସ କୋଟା ପାଇଁ ଢେଙ୍କାନାଳ ଜିଲାରୁ ୮୦ ହଜାର କ୍ୱିଂଟାଲ ଚାଉଳ ମଗାଯାଇଛି। ଏଥିନେଇ ଜିଲା ଯୋଗାଣ ନିଗମ ପକ୍ଷରୁ ଢେଙ୍କାନାଳ ଯୋଗାଣ ନିଗମକୁ ଇଣ୍ଡେଂଟ ପଠାଇ ସାରିଥିବାବେଳେ କେବଳ ଚାଉଳର ଆସିବାକୁ ଅପେକ୍ଷା କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଜିଲାରେ ଖାଦ୍ୟ ସୁରକ୍ଷା ସହିତ ଅନ୍ୟାନ୍ୟ ଯୋଜନାରେ ମାସିକ ପ୍ରାୟ ୬୫ ହଜାର କ୍ୱିଂଟାଲ ହିସାବରେ ବାର୍ଷିକ ପ୍ରାୟ ୮ ଲକ୍ଷ କ୍ୱିଂଟାଲ ଚାଉଳର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜିଲା ଯୋଗାଣ ନିଗମ ନିଜସ୍ୱ ଆବଶ୍ୟକତା ପାଇଁ ୯ ଲକ୍ଷ ୮୭ ହଜାର କ୍ୱିଂଟାଲ ଚାଉଳ ମହଜୁଦ ରଖିଥିଲା। ତେବେ ନୂଆ ସରକାର ପୂର୍ବ ସରକାରଙ୍କ ଅମଳରେ ଚଳିଆସୁଥିବା କେବଳ ଚାଉଳ ପରିବର୍ତେ ଖାଦ୍ୟ ସୁରକ୍ଷାରେ ଉଭୟ ଗହମ ଓ ଚାଉଳ ଯୋଗାଇଦେବାକୁ ଘୋଷଣା କରିଥିଲେ। ତଦନୁଯାୟୀ ଜିଲାରେ କମ୍ କୋଟା ମାସିକ ୩୩ ହଜାର କ୍ୱିଂଟାଲ ଆସିବ ବୋଲି କୁହାଯାଇଥିଲା। ଏହି କୋଟାକୁ ଦୃଷ୍ଟିରେ ରଖି ଜିଲା ଯୋଗାଣ ନିଗମ ନିଜ ଗୋଦାମ ଖାଲି କରିବାକୁ ଯାଇ କଷ୍ଟମ ମିଲରଙ୍କ ସିଏମ୍ଆର ଡେଲିଭରିକୁ ଜିଲା ଯୋଗାଣ ନିଗମ ଖାଦ୍ୟ ଭଣ୍ଡାର ପରିବର୍ତେ ଭାରତୀୟ ଖାଦ୍ୟ ନିଗମକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଜିଲା ଯୋଗାଣ ନିଗମ ସଂଗ୍ରହ କରିବାକୁ ଥିବା ୯ ଲକ୍ଷ ୮୭ ହଜାର କ୍ୱିଂଟାଲ ଚାଉଳ ମଧ୍ୟରୁ ୩ ଲକ୍ଷ କ୍ୱିଂଟାଲ ଚାଉଳ ଏଫ୍ସିଆଇକୁ ଚାଲିଯାଇଥିଲା। ଯାହାକି ଜିଲାରେ ନିଜସ୍ୱ ଚାଉଳ ନିଅଂଟ ହେବାର ମୁଖ୍ୟ କାରଣ ବୋଲି ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଗଣମାଧ୍ୟମକୁ କହିଛନ୍ତି। ତେବେ ନିଗମ କର୍ତୃପକ୍ଷ ଏ ବାବଦରେ ଯାହା ସଫେଇ ଦିଅନ୍ତୁ ନା କାହିଁକି, ପ୍ରକୃତ କଥା ହେଲା ଚଳିତବର୍ଷ ଜିଲାରେ ସରକାରୀ ଧାନ ସଂଗ୍ରହରେ ଅହେତୁକ ବିଳମ୍ବତା। ସ୍ୱାଭାବିକ ଭାବେ ଏହି ଜିଲାରେ ଯଦି ଗତ ଡିସେମ୍ବର ଠାରୁ ଧାନ ସଂଗ୍ରହ ଆରମ୍ଭ ହୋଇଥାନ୍ତା, ତେବେ ଜାନୁଆରୀ ଶେଷ ବେଳକୁ ନିଜସ୍ୱ ଚାଉଳ ସଂଗ୍ରହ ହୋଇପାରିଥାନ୍ତା। ମାତ୍ର ଅଦିନିଆ ବର୍ଷା ଯୋଗୁଁ ଅଥବା ମିଲରଙ୍କ କାରସାଦି ଯୋଗୁଁ ହେଉ ଚଳିତବର୍ଷ ଜିଲାରେ ଧାନ ସଂଗ୍ରହକୁ ଜାନୁଆରୀ ୫ ତାରିଖକୁ ଘୁଂଚାଇ ଦିଆଯାଇଥିଲା। ତେବେ ପ୍ରଶାସନ ଜିଲାରେ ଜାନୁଆରୀ ୫ ତାରିଖ ଠାରୁ ଧାନକିଣା ଶୁଭାରମ୍ଭ କରିଥିଲେ ମଧ୍ୟ ବାସ୍ତବରେ ଏପର୍ଯ୍ୟନ୍ତ ଧାନ ସଂଗ୍ରହ ହେବାତ ଦୂରର କଥା, ୯୦ ପ୍ରତିଶତ ମଣ୍ଡି ଖୋଲାଯାଇନାହିଁ। ତେବେ ମଣ୍ଡିକୁ ଧାନ ଆସିଲେ ମଧ୍ୟ ଧାନ ଉଠାଇବାକୁ ଜିଲା ମିଲର ଏଯାଏଁ ସେମାନଙ୍କର ପ୍ରସ୍ତୁତି ଚୂଡାନ୍ତ କରିନାହାଁନ୍ତି। କୁହାଯାଇଛି ଚଳିତବର୍ଷ ଜିଲାକୁ ବାହାର ଜିଲା ମିଲର ଆସିବା ଉପରେ କଟକଣା ଜାରିହୋଇଥିବା ଯୋଗୁଁ ଜିଲା ମିଲର ଚାଷୀଙ୍କ ଠାରୁ ଶହେ ପ୍ରତିଶତ ଏଫ୍ଏକ୍ୟୁ ମାନର ଧାନ କିଣିବାକୁ ପାଗ ଭିଡୁଛନ୍ତି। ତେବେ ଅସଲ କଥା ହେଲା ଆଗକୁ ମକର ପର୍ବ ଆସୁଥିବା ଯୋଗୁଁ ଶ୍ରମିକ ସମସ୍ୟା ନେଇ ମିଲ୍ ଗୁଡିକ ସମୟ ଗଡାଉଥିବା କୁହାଯାଇଛି। ଏ କଥା ସତ ଯେ ଜିଲା ଯୋଗାଣ ନିଗମ କର୍ତୃପକ୍ଷଙ୍କ ଅଦୂରଦର୍ଶିତା ଯୋଗୁଁ ଚଳିତବର୍ଷ ନିଜସ୍ୱ ଆବଶ୍ୟକତା ଭରଣା ପାଇଁ ଜିଲା ଯୋଗାଣ ନିଗମକୁ ଚାଉଳ ପାଇଁ ବାହାର ଜିଲା ନିକଟରେ ଆଣ୍ଠେଇବାକୁ ପଡୁଛି।