Odiapua.com

ଭଦ୍ରକ ଜିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଲା, ଚଳିତ ଶୀତକାଳୀନ ଅଧିବେଶନରେ ଘୋଷଣା ନହେଲେ ବିଧାନସଭା ଘେରାଉ ଚେତାବନୀ

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ଜିଲାବାସୀଙ୍କ ପକ୍ଷରୁ ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ଏହି ଜିଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠାର ଘୋଷଣା କରିବାକୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆନ୍ଦୋଳନକାରୀମାନେ ଆଜି ପୂର୍ବାହ୍ନରେ ଐତିହାସିକ ଗାନ୍ଧିପଡିଆରୁ ବାହାରି ସହର ପରିକ୍ରମା ପୂର୍ବକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଦାବିପତ୍ର ମୂଳେ ଭଦ୍ରକ ଜିଲା ପ୍ରତିଷ୍ଠା ହେବାର ୩୦ ବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଗତ ସରକାରଙ୍କ ଦୀର୍ଘ ଶାସନ କାଳରେ ଜିଲାବାସୀଙ୍କ ବହୁ ଦାବି ସତ୍ୱେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିନାହିଁ। ଏହି ଜିଲାର ସଦର ମହକୁମା ଜାତୀୟ ରାଜପଥ ପାଶ୍ୱର୍ରେ ଥାଇ ରେଳଷ୍ଟେସନର ସମସ୍ତ ସୁବିଧା ସୁଯୋଗ ଥିଲେ ମଧ୍ୟ ଏଠାକୁ ଆସୁଥିବା ପଡୋଶୀ କେନ୍ଦୁଝର, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା ଭଳି ଜିଲାବାସୀମାନେ ସଂକୁଚିତ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଚିକିତ୍ସା ସୁବିଧା ପାଇପାରୁନାହାଁନ୍ତି। ଏଠାରେ ବହୁ ବିଭାଗ ଏବେ ଖାଲି ପଡିଥିବାବେଳେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଫଳରେ ଦୁର୍ଘଟଣାରୁ ଆରମ୍ଭ କରି ଗୁରୁତର ରୋଗ ନିମନ୍ତେ ରୋଗୀମାନେ କଟକ ଓ ଭୁବନେଶ୍ୱର ଭଳି ଦୂର ଦୂରାନ୍ତ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ସ୍ୱଗତଃ ବିଧାୟକ ବିଷ୍ଣୁ ସେଠୀ ଏହି ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନରେ ମୁଖ୍ୟ ଭୂମିକା ଲିଭାଇଥିବାବେଳେ ଆଜି ସମସ୍ତ ଜିଲାବାସୀ ଏକ ହୋଇ ବିଗତ ସରକାରଙ୍କ ସମୟରେ ଅଧୁରା ପଡିଥିବା ଏହି ଦାବି ପୂରଣ ଦିଗରେ ବର୍ତମାନର ବିଜେପି ସରକାରଙ୍କ ନିକଟରେ ପ୍ରତିଷ୍ଠାର ଆଶା ବାନ୍ଧିଛନ୍ତି। ଜିଲାବାସୀଙ୍କ ଦାବୀ ମୂଳେ ଜିଲାବାସୀଙ୍କ ବହୁମତ ବର୍ତମାନର ସରକାର ଗଠନରେ ଅଭୂତପୂର୍ବ ସହାୟକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ଶୀତକାଳୀନ ଅଧିବେଶନରେ ଏହା ପ୍ରତିଷ୍ଠା ହେବାର ଘୋଷଣା ନକଲେ ଆନ୍ଦୋଳନକାରୀମାନେ ଭଦ୍ରକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରି ବିଧାନସଭା ଘେରାଉ କରିବେ।