Odiapua.com

ଭଦ୍ରକ ଜିଲା ବିକାଶ ପରିଷଦ, ଜିଲା ଟିପ୍ପର ଓ ଟ୍ରକ୍ ମାଲିକ ସଂଘର ଆମରଣ ଅନଶନ

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ବିକାଶ ପରିଷଦ, ଭଦ୍ରକ ଜିଲା ଟିପ୍ପର ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଆମରଣ ଅନଶନ କରାଯାଇଛି। ଦୀର୍ଘ ଏକବର୍ଷ ଧରି ବିକ୍ଷୋଭ, ଆନ୍ଦୋଳନ, ରେଳ ଓ ରାସ୍ତାରୋକ କରିବା ପରେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ନହେବାରୁ ଆଜି ଏଭଳି ଚରମ ପନ୍ଥା ଗ୍ରହଣ କରାଯାଇଛି ବୋଲି ଏହି ଦୁଇଟି ସଂଘର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ଅଭିଯୋଗ ମୂଳେ ଧାମରା ପୋର୍ଟ ଦ୍ୱାରା ପରିଚାଳିତ ପରିବହନ ଓ ଅନ୍ୟାନ୍ୟ ରୋଜଗାରକ୍ଷମ ବ୍ୟବସ୍ଥାରେ କୌଣସି ପ୍ରକାରର କାର୍ଯ୍ୟ ସେମାନେ ଏପର୍ଯ୍ୟନ୍ତ ପାଇପାରିନାହାଁନ୍ତି। ସେମାନେ ଭଦ୍ରକ ଜିଲାର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ସେଥିରୁ ବଂଚିତ ହୋଇଥିବାବେଳେ ଅପରପକ୍ଷେ ଧାମରା ଠାରେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀମାନେ ସମସ୍ତ ପ୍ରକାରର ବନ୍ଦର ଭିତିକ କାର୍ଯ୍ୟକୁ କବ୍‌ଜା କରି ରଖିଛନ୍ତି। ଧାମରା ବନ୍ଦର ସ୍ଥାପନା ସମୟରେ ସେମାନଙ୍କର ପୋର୍ଟ ସପକ୍ଷରେ କରାଯାଇଥିବା କାର୍ଯ୍ୟକ୍ରମ ପରେ ଜିଲା ପ୍ରଶାସନ ଓ ବନ୍ଦର କର୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଆଜି ପାଣିର ଗାର ହୋଇଛି। ପୁଂଜିପତି ଓ ମୁନାଫାଖୋର ଶିଳ୍ପପତିଙ୍କର ଷଡଯନ୍ତ୍ରର ଶୀକାର ହୋଇ ସେମାନେ ଆଜି ଋଣ କରି ଟ୍ରକ୍‌, ଟିପ୍ପର କରିଥିଲେ ମଧ୍ୟ କୌଣସି ସୁଫଳ ନପାଇ ଆଜି ଦାଣ୍ଡର ଭିକାରୀ ହେବାକୁ ବସିଛନ୍ତି। ଜିଲା ପ୍ରଶାସନ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଜିଲା ଟିପ୍ପର ଓ ଟ୍ରକ୍ ମାଲିକ ସଂଘର ଶତାଧିକ ଗାଡି ମାଲିକମାନେ କୌଣସି ଧନ୍ଦା ନପାଇ ଗାଡିର କିସ୍ତି ପରିଶୋଧ କରିପାରୁନାହାଁନ୍ତି। ଫଳରେ ମାନସିକ ଅସ୍ଥିରତା ମଧ୍ୟରେ କେତେକ ଜୀବନ ହାରିବାକୁ ଉଦ୍ୟମ ମଧ୍ୟ କରିସାରିଲେଣି। ଭଦ୍ରକ ଜିଲାର ୭ ଗୋଟି ବ୍ଲକ୍ ଭଦ୍ରକ ସଦର, ଭଣ୍ଡାରିପୋଖରୀ, ବନ୍ତ, ଧାମନଗର, ଚାନ୍ଦବାଲି ସଦର, ତିହିଡି ଓ ବାସୁଦେବପୁରର ସମସ୍ତେ ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ବନ୍ଦର ନିର୍ମାଣ ସମୟର ଦିଆଯାଇଥିବା ପ୍ରତିଶ୍ରୁତି ଆଜି ମିଳେଇଯାଇଛି। ଫଳରେ ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକୁ ବାସ୍ତବିକତାର ରୂପ ଦେବାପାଇଁ ଶେଷରେ ବାଧ୍ୟହୋଇ ସେମାନେ ଆମରଣ ଅନଶନ ଭଳି ଚରମ ପଦକ୍ଷେପ ନେଇଛନ୍ତି। ଯେପର୍ଯ୍ୟନ୍ତ ଦାବି ହାସଲ ନହୋଇଛି, ଏହି ଆମରଣ ଅନଶନ ଜାରି ରହିବ ବୋଲି ଆମରଣ ଅନଶନରେ ବସିଥିବା ଶ୍ରୀ ମହାପାତ୍ରଙ୍କ ସମେତ ଉପସଭାପତି ଜ୍ୟୋତିପ୍ରକାଶ ମହାନ୍ତି, ପ୍ରଫୁଲ୍ଲ ପୃଷ୍ଟି, ରଜତ ପତି, ସୌମ୍ୟରଂଜନ ବାରିକ, ଅମୀୟ ନାୟକ, ସୁଶାନ୍ତ ନାୟକ, ଲୋହିତ ନାୟକ, ସେକ୍ ରିଜାଉଲ ମୁସ୍ତଫା, ସୁବ୍ରତ କୁମାର ପାଲ, ପ୍ରଦୀପ ମଲ୍ଲିକ, ତାଳଧ୍ୱଜ ବେହୁରା, ରଥିଆ ବାରିକ, ଅଶୋକ ବାରିକ, ପ୍ରହ୍ଲାଦ ମହାକୁଡ, ଜ୍ଞାନରଞ୍ଜନ ବାରିକ, ପ୍ରଶାନ୍ତ ବାରିକ, ବଳରାମ ପରିଡା, ହେମନ୍ତ ନାୟକ, ସଂଜିତ ମହାକୁଡ ଓ ରିଆତ ଖାନ ପ୍ରମୁଖ ଗଣମାଧ୍ୟମକୁ କହିଛନ୍ତି।