ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ପୋର୍ଟ ଦ୍ୱାରା ପ୍ରଚଳିତ କୋଇଲା ପରିବହନରେ ଭଦ୍ରକ ଜିଲାର ମୂଳ ଅଧିବାସୀଙ୍କୁ ବଂଚିତ କରିବା ବିରୁଦ୍ଧରେ ଆସନ୍ତା ୨୭ ତାରିଖ ଦିନ ରେଳରୋକ କରାଯିବ ବୋଲି ଆଜି ଭଦ୍ରକ ଜିଲା ଟିପ୍ପର (ଡମ୍ପର) ଟ୍ରକ୍ ମାଲିକ ସଂଘ , ବିଶ୍ୱକର୍ମା ଟ୍ରକ୍ ଓନର ଆସୋସିଏସନ୍ ଏବଂ ଭଦ୍ରକ ଜିଲା ବିକାଶ ପରିଷଦ ପକ୍ଷରୁ ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଭଦ୍ରକ ଜିଲା ଟିପ୍ପର (ଡମ୍ପର) ଟ୍ରକ୍ ମାଲିକ ସଂଘର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର ଓ ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ୍ ନୋଟ୍ର ସୂଚନା ଅନୁସାରେ ଭିତିଭୂମି ନିର୍ମାଣ ଓ କର୍ମଯୋଗାଣ ପାଇଁ ଧାମରା ବନ୍ଦର ଏକ କର୍ମବର୍ଦ୍ଧିଷ୍ଣୁ ଦୀର୍ଘ ମିଆଦି ସଂସ୍ଥା। ୨୦୦୭ ମସିହାରେ ଏହି ବନ୍ଦରର ସ୍ଥାପନା ବେଳେ ୭ ଗୋଟି ବ୍ଲକ୍ର ବିଭିନ୍ନ ଅଂଚଳ ଏହାର ନିର୍ମାଣ ପାଇଁ ଜମି ଓ ଲୋକବଳ ଦେଇଥିଲେ। ସେତେବେଳେ ଏଲ୍ଏଣ୍ଡଟି ଦ୍ୱାରା ପଥର ଯୋଗାଣ କାର୍ଯ୍ୟ କରାଯାଇ ଏହି ବନ୍ଦର ନିର୍ମାଣ ପାଇଁ ଧାମରା ସମୁଦ୍ର ତଟରେ ପ୍ରଥମ କରି ପଥର ପକାଇଥିଲା। କିନ୍ତୁ ସେତେବେଳେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୂଳେ ତତ୍କାଳୀନ ଜିଲାପାଳ ଶ୍ରୀକାନ୍ତ କୁମାର ପାଇକରାୟ ଏହି ସଂଘର ବେକାର ଯୁବକଙ୍କୁ ବନ୍ଦର ନିର୍ମାଣ ହେଲେ ସେମାନଙ୍କୁ ପରିବହନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ ବୋଲି ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଧାମରା ପୋର୍ଟ ଠାରେ କରାଯାଉଥିବା କୋଇଲା ପରିବହନ ହିଁ ମୁଖ୍ୟତଃ ଗାଡି ମାଲିକମାନଙ୍କ ପାଇଁ ରୋଜଗାରର ଏକ ଉତ୍ସ ହୋଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଅଂଚଳରୁ ଲୋକମାନଙ୍କୁ ସମୁଦାୟ କାମର ୭୦ ଭାଗ ଦିଆଯାଇଥିବାରୁ ସମଗ୍ର ଜିଲା ଗାଡି ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇ ଏବେ କର ବା ମର ଭଳି ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ଏ କ୍ଷେତ୍ରରେ ଆଂଚଳିକ ଅର୍ଥନୈତିକ ବୈଷମତା ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ନିମନ୍ତେ ଜିଲା ପ୍ରଶାସନ ନିର୍ବାଚିତ ଜନ ପ୍ରତିନିଧିମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ସଂଘ କହିଛି। ତେବେ ଗତବର୍ଷ ଅକ୍ଟୋବର ୬ ତାରିଖରେ ଧାମରା ପୋର୍ଟରେ ପରିବହନ କ୍ଷେତ୍ରରେ ସୃଷ୍ଟି ହୋଇଥିବା କର୍ମ ଯୋଗାଣକୁ ଜିଲାର ସମସ୍ତ ଅଂଚଳ ଗୁଡିକ ମଧ୍ୟରେ ସମାନୁପାତରେ ବଂଟନ କରାଯିବା, ଜିଲାରେ ଗଢି ଉଠିଥିବା ଟ୍ରାନ୍ସପୋର୍ଟିଂ ଆସୋସିଏସନ୍ ଗୁଡିକର କାର୍ଯ୍ୟଶୈଳୀ, ଦକ୍ଷତା, ସମାଜସେବୀ ଓ ସଂଘର ବୟସ ସଦସ୍ୟ ସଂଖ୍ୟାକୁ ଆଧାର କରି ପରିବହନ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୁପାରିଶ କରାଯିବା, ପରିବହନ କ୍ଷେତ୍ରରେ ସୃଷ୍ଟି ହୋଇଥିବା କର୍ମଯୋଗାଣର ପାତର ଅନ୍ତର ନୀତି ବନ୍ଦ କରାଯାଇ ମାତ୍ର ୮ଟି ପଂଚାୟତର ଗାଡିମାନଙ୍କୁ ସମୁଦାୟ କାର୍ଯ୍ୟର ଯେଉଁ ୭୦ ପ୍ରତିଶତ କାମ ଦିଆଯାଇଛି, ତାହା ବନ୍ଦ କରାଯିବା, ୧୨୫ ସଦସ୍ୟ ବିଶିଷ୍ଟ ଭଦ୍ରକ ଜିଲାର ସର୍ବପୁରାତନ ଟିପ୍ପର ମାଲିକ ସଂଘକୁ ପୋର୍ଟ ପରିବହନ କ୍ଷେତ୍ରରେ ସାମିଲ କରିବା, ଗାଡି କିସ୍ତି ଦେଇନପାରି ହତାଶ ଓ ମାନସିକ ଯନ୍ତ୍ରଣା ଭିତରେ ରହିଥିବା ଗାଡି ମାଲିକମାନଙ୍କ ପ୍ରତି ସମବେଦନା ଜଣାଇବା ପୂର୍ବକ ଭଦ୍ରକ ଜିଲାପାଳ ତୁରନ୍ତ ଏକ କମିଟି ଧାମରା ବନ୍ଦର ଠାରେ କୋଇଲା ପରିବହନ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଗଠନ କରିବା ନେଇ ଏକ ୫ ଦଫା ସମ୍ବଳିତ ଦାବିପତ୍ର ଦିଆଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତୀକ ଅନଶନ କରାଯାଇଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ଏହାର କୌଣସି ପ୍ରତିକାର ନହେବାରୁ ଭଦ୍ରକର ମୂଳ ବାସିନ୍ଦା ହୋଇଥିବା ସର୍ବ ପୁରାତନ ଏହି ସଂଘ ପକ୍ଷରୁ ପ୍ରାୟ ୧୩୫ ଟି ଟିପ୍ପର ଓ ଟ୍ରକ୍ ମାଲିକଙ୍କ ପକ୍ଷରୁ କୋଇଲା ପରିବହନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇନାହିଁ। ପରନ୍ତୁ ଧାମରା ଅଂଚଳରେ ୧୯୭୧ ଭାରତ-ପାକ ଯୁଦ୍ଧ ସମୟରେ ଏବଂ ପରେ ବାଂଲାଦେଶରୁ ଆସିଥିବା ଅବୈଧ ପ୍ରବାସୀମାନଙ୍କୁ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ଦିଆଯାଇ ସେମାନଙ୍କୁ ରାଜନୀତିର ପଶାପାଲିରେ ସ୍ଥାୟୀ ବାସିନ୍ଦାଙ୍କୁ ସନ୍ତୁଷ୍ଟ କରାଇବା ଲକ୍ଷ୍ୟରେ ବନ୍ଦର କାର୍ଯ୍ୟର ସମସ୍ତ ସୁବିଧା ସୁଯୋଗ ଦିଆଯାଇଛି। ଏହି ୮ଟି ପଂଚାୟତର ଗାଡି ମାଲିକମାନଙ୍କୁ ସମୁଦାୟ କାର୍ଯ୍ୟର ୭୦ ପ୍ରତିଶତ କାମ ଦିଆଯାଇଛି। ତେଣୁ ରେଳ ବନ୍ଦର ଡାହାଣ ପାଶ୍ୱର୍ରେ ଅବସ୍ଥିତ ସମସ୍ତ ପରିବହନ ସଂସ୍ଥା, ଯେପରିକି ଭଦ୍ରକର କିଛି ଅଂଶ ଦୋଳସାହି, ତିହିଡି ପୀରହାଟ, ମତୋ, ଚାନ୍ଦବାଲି, ଧାମନଗର ଅନେକ ପରିବହନ ସଂସ୍ଥାକୁ ପ୍ରଶାସନ ଜାଣିଶୁଣି ଯେଭଳି କୋଇଲା ପରିବହନ, ନିର୍ମାଣ ସାମଗ୍ରୀ ଯୋଗାଣ ଏବଂ ଅନ୍ୟାନ୍ୟ ସମ୍ବଳର ପୁନଃ ବଂଟନ ନକଲେ ଏହି ସଂଘ ଆସନ୍ତା ୨୭ ତାରିଖ ଦିନ ପୀରହାଟ ନିକଟରେ ୨୪ ଘଂଟିଆ ରେଳରୋକ କରି ଆବଶ୍ୟକ ହେଲେ ଆଇନ୍କୁ ହାତକୁ ନେଇ ଗିରଫଦାରୀ ଓ ଆତ୍ମଦାହ ସହ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଓ ସଂପାଦକଙ୍କ ସମେତ ଉପସଭାପତି ପ୍ରଫୁଲ୍ଲ ପୃଷ୍ଟି, ସହ ସଂପାଦକ ଚନ୍ଦନ ନାୟକ, କାର୍ଯ୍ୟକାରୀ ସଦସ୍ୟ ଅଶୋକ ପରିଡା, ରଜତ ପତି, ପ୍ରଦୀପ ମଲ୍ଲିକ, ରାଥିଆ ବାରିକ, ଅଶୋକ ବାରିକ, ପ୍ରହ୍ଲାଦ ମହାକୁଡ, ବବୁଲ ସେନାପତି, ସୁନନ୍ଦା ଦାସ ଓ ସୌମ୍ୟରଂଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।