Odiapua.com

ଭଦ୍ରକ ଜିଲା ଜେଲ୍‌ରେ ବିବାଦୀୟ ପ୍ରଥମ କାରାଧ୍ୟକ୍ଷ ନିଯୁକ୍ତି ଆଦେଶକୁ ପ୍ରତ୍ୟାହାର ଦାବି

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ କାରା ନିର୍ଦ୍ଦେଶାଳୟର ପତ୍ର ସଂଖ୍ୟା ୧୧୬୯୦, ତା ୧୩.୦୮.୨୪ ରିଖ ଆଦେଶ ମୂଳେ ଭଦ୍ରକ ଜିଲା କାରାଗାରର ପ୍ରଥମ କାରାଧ୍ୟକ୍ଷ ଭାବେ ଚେତନା ପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ ପାତ୍ର ଭଦ୍ରକର ପୂର୍ବତନ ବିଭାଗୀୟ କାରାଧ୍ୟକ୍ଷ ଚିନ୍ମୟ ପାତ୍ରଙ୍କ ଭଉଣୀ । ୨୦୧୮ ମସିହାରେ ଚିନ୍ମୟ ପାତ୍ର ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରର କାରାଧ୍ୟକ୍ଷ ଥିବାବେଳେ ସେତେବେଳେ ଚମ୍ପୁଆ ଅଂଚଳର ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ମହିଳାଙ୍କ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗ ହୋଇଥିଲା । ସେତେବେଳେ ମାମଲାଟିକୁ ଦଫାରଫା କରିବାରେ ସଫଳ ହୋଇଥିଲେ । ଏଣୁ ଥାନାରେ ଅଭିଯୋଗ ହୋଇଥିଲେ ବି ମାମଲା ରୁଜୁ ହୋଇନଥିଲା । ମାତ୍ର ପୂର୍ବରୁ କେନ୍ଦ୍ରାପଡାରେ ଥିବା ସମୟରେ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ସମାନ ଢଙ୍ଗରେ ପ୍ରତିଶ୍ରୁତି, ପ୍ରତାରଣା ଓ ଠକେଇ କରିଥିବାର ଅଭିଯୋଗ ଭଦ୍ରକ ସହରାଂଚଳ ଥାନାରେ ହେବା ସହ ତାଙ୍କ ବିରୁଦ୍ଧରେ ଧର୍ଷଣ ଭଳି ସଂଗୀନ ଦଫାରେ କେଶ୍ ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲେ । ତାଙ୍କୁ ସେତେବେଳେ ଜେଲ୍ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲା । ପରେ ଓଡ଼ିଶା ହାଇକୋର୍ଟରୁ ଆଗୁଆ ଜାମିନ୍ ପାଇଥିଲେ ମଧ୍ୟ ଏଯାଏଁ ତାଙ୍କ ନିଲମ୍ବନ ଆଦେଶ ଚୂଡାନ୍ତ ହୋଇନାହିଁ । ସେ କୁଚିଣ୍ଡା ଜେଲ୍‌ରେ ଏବେ କାର୍ଯ୍ୟରତ ଥିଲେ ମଧ୍ୟ ଦୀର୍ଘଦିନ ହେବ ଭଦ୍ରକରେ ଥିବା ସରକାରୀ ବାସଭବନକୁ ଛାଡିନାହାଁନ୍ତି । ତାଙ୍କ ପିତା ସ୍ୱର୍ଗତଃ ସତ୍ୟନାରାୟଣ ପାତ୍ର ମଧ୍ୟ ଜେଲର ଥିଲେ ଓ ବାରିପଦା ଜେଲ୍‌ରେ କାରାଧ୍ୟକ୍ଷ ଥିବାବେଳେ ଜେଲ୍ ପରିସରରେ ଜଣେ କଏଦୀଙ୍କର ଆକ୍ରମଣରେ ତାଙ୍କୁ ହତ୍ୟା କରାଯାଇଥିବାରୁ ତାଙ୍କ ସ୍ଥାନରେ ପୁତ୍ର ଚିନ୍ମୟ ପାତ୍ର ଉତରାଧିକାରୀ ସୂତ୍ରେ ଚାକିରୀ ପାଇଥିଲେ । ସେହିଭଳି ତାଙ୍କ ଭଉଣୀ ଚେତନା ପାତ୍ର ଜଣେ ବିଭାଗୀୟ ଜେଲ୍ ଅଧିକାରୀ । ସେ ସାଧାରଣ ବର୍ଗର ହୋଇଥିଲେ ବି ହରିଜନ ସଂପ୍ରଦାୟର ମିଥ୍ୟା ସାର୍ଟିଫିକେଟ୍ ଦେଇ ହରିଜନ ପାଇଁ ସଂରକ୍ଷିତ କୋଟାରେ ଚାକିରୀ ପାଇଥିବାର ଅଭିଯୋଗ ପରେ ତାଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଚାଲିଛି । ଏଥିପୂର୍ବରୁ ସେ ଯେଉଁ ଜେଲ୍‌ରେ ପୋଷ୍ଟିଂ ହୋଇଛନ୍ତି, ତାଙ୍କ ବିରୁଦ୍ଧରେ ଅଧସ୍ତନ କର୍ମଚାରୀ ଏପରିକି ଉପରିସ୍ଥ ଅଧିକାରୀମାନଙ୍କୁ ଖରାପ ବ୍ୟବହାର କରିବା ଅଭିଯୋଗରେ ବାରମ୍ବାର ବଦଳି ହୋଇଛନ୍ତି । ତଦନ୍ତ ଚାଲୁଥିବାରୁ ତାଙ୍କୁ ଭୁବନେଶ୍ୱର ଜେଲ୍ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଥିଲା । ତେବେ ତାଙ୍କ ଭାଇଙ୍କର ସରକାରୀ ଦଳର ଜନୈକ ସାଂସଦଙ୍କ ସହ ଉତମ ସଂପର୍କ ଥିବାରୁ ତାଙ୍କ ଚାପରେ ଜଣେ ବିଭାଗୀୟ ଅଧିକାରୀଙ୍କୁ ଭଦ୍ରକ ଭଳି ଏକ ସ୍ପର୍ଶକାତର ଜେଲ୍‌ରେ କାରାଧ୍ୟକ୍ଷ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତିକୁ ଜେଲ୍ କର୍ମଚାରୀ, ଅନ୍ତେବାସୀ ଓ ଜନସାଧାରଣ ନାପସନ୍ଦ କରିଛନ୍ତି । ଏବଂ ତୁରନ୍ତ ତାଙ୍କ ନିଯୁକ୍ତି ଆଦେଶକୁ ପ୍ରତ୍ୟାହାର କରିବାକୁ ଦାବି ହୋଇଛି ।