ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲାର ଐତିହ୍ୟସଂପନ୍ନ ଗାଁ ହେଉଛି କାଉପୁର । ଭଦ୍ରକ ସହର ଠାରୁ ୧୦କିମି ଦୂରରେ ଅବସ୍ଥିତ । ସଂପୃକ୍ତ ଗ୍ରାମବାସୀ ଆଧୁନିକତାରେ ହଜିନଯାଇ ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି । ତ୍ରେତୟା ଓ ଦ୍ୱାପର ଯୁଗର ବହୁ କିମ୍ବଦନ୍ତୀ ଏହି ଗାଁ ସହିତ ଜଡିତ ଥିବାରୁ ଗ୍ରାମବାସୀ ଗର୍ବିତ । ତେବେ ଏହାକୁ ନେଇ ଗ୍ରାମରେ ବହୁ ପର୍ବପର୍ବାଣୀ ପାଳନ କରାଯାଏ । ଏହି ଗାଁଟି ସାରା ବହୁ ମନ୍ଦିର, ଶିବ ଲିଙ୍ଗ ଓ ପୁରାତନ ବିରଳ ମୁଗୁନି ପଥର ମୂର୍ତ୍ତି ଆଦି ରହିଛି । ଯାହାକୁ ଗ୍ରାମବାସୀମାନେ କେଉଁ କାଳରୁ ପୂଜା କରିଆସୁଛନ୍ତି । ପବିତ୍ର ସାଳନ୍ଦୀ ନଦୀ କୂଳରେ ଗାଟି ଅବସ୍ଥିତ । ଗାଁରେ ଭୀମପୁର, ଦଇସିଂ, କୁଶୁନନଗର ଓ ଚଢେୟା ଆଦି ୪ଟି ହାମଲେଟ୍ ମୌଜା ରହିଛି । ଏଠାକାର ଲୋକସଂଖ୍ୟା ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ୱ ହେବେ, ଭୋଟର ସଂଖ୍ୟା ୪ ହଜାର । ଏହି ଗାଁର ଲୋକଙ୍କ ମୁଖ୍ୟ ଜୀବିକା ହେଉଛି କୃଷି କାର୍ଯ୍ୟ । ତେବେ କିମ୍ବଦନ୍ତୀ ଅନୁସାରେ ଓ ମାଳିକା ବର୍ଣ୍ଣିତ କାକଭୁଷଣ୍ଡିଙ୍କ କ୍ଷେତ୍ର ଏହି କାଉପୁର ଅଂଚଳ । ଚରଢିଆ ପାହାଡର ଶିଖରରେ କାଉମାନେ ବସବାସ କରୁଥିବାରୁ ଗାଁର ନାମ କାଉପୁର ଥିବା ଲୋକେ କହନ୍ତି । ଏବେବି ମାଟିତଳେ ପଥର ଭର୍ତ୍ତି । ସେହିପରି ଏହିଗାଁରେ ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ବେଳେ ଚରଢିଆ ଘଂଚ ଅଂଚଳକୁ ଆସିଥିଲେ । ମାତା ସୀତା ପିତୃ ଶ୍ରାଦ୍ଧ ପାଇଁ ପାଣି ପାଇନଥିଲେ । ଫଳରେ ଲକ୍ଷ୍ମଣ ନିଜ ତୀର ସାହାଯ୍ୟରେ ଏକ କୁଣ୍ଡ ସୃଷ୍ଟି କରିଥିଲେ । ଯାହା ସୀତାକୁଣ୍ଡବା ଦେବରକୁଣ୍ଡ ନାମରେ ପ୍ରସିଦ୍ଧ । ସେହିଭଳି ଦ୍ୱାପର ଯୁଗରେ ପଂଚୁପାଣ୍ଡବ ବନବାସ ବେଳେ ଏଠାରେ ବାସ କରୁଥିଲେ । ଏହି ଗାଁର ଭୀମ ଗଦା ଓ ଭୀମ ଚୁଲି ରହିଛି ।
ଏପରିକି ଭୀମ ମଧ୍ୟ ସ୍ନାନ ପାଇଁ ନିଜ ପାଦ ଓ ଆଣ୍ଠୁରେ ୨ଟି ପୋଖରୀ ଖନନ କରିଥିଲେ । ଯାହା ପାଦୁଆ ପୋଖରୀ ଓ ଆଣ୍ଠୁଆ ପୋଖରୀ ଭାବେ ଜନମାନସରେ ରହିଆସିଛି । କେବଳ ସେତିକି ନୁହେଁ, ଗାଁଟି ସାରା ବହୁ ପୁରାତନ ଶିବ ଲିଙ୍ଗ ଓ ବିରଳ ମୁଗୁନି ପଥର ମୂର୍ତ୍ତି ଭରିରହିଛି । ଲୋକମାନେ ବୁଢା ମହାଦେବ, ଚଣ୍ଡେଶ୍ୱର ମହାଦେବ, ଦଣ୍ଡିକେଶର ମହାଦେବ, ସୁବର୍ଣ୍ଣେଶ୍ୱର ମହାଦେବ, ବଙ୍କେଶ୍ୱର ମହାଦେବ, ଖରଖିଆ ମହାଦେବ ଓ ଚଣ୍ଡିମାତା ଏବଂ ବିରଞ୍ôଚ ନାରାୟଣ ନାମରେ ପୂଜା କରୁଛନ୍ତି । ଏଠାରେ ରାଜରାଜୁଡା ଓ ଜମିଦାର ପ୍ରଥା ସମୟରେ ଏକ ବିରାଟ ଭଗ୍ନ ଅଟ୍ଟାଳିକା ମଧ୍ୟ ରହିଛି । ତେବେ ସେହି ପୁରାତନ ଅଟ୍ଟାଳିକା ଏବେ ଭାଙ୍ଗିରୁଜି ଯାଇଥିବାବେଳେ ଏକ ଐତିହାସିକ କିମ୍ବଦନ୍ତୀ ପାଲଟିଛି । ଗତ କିଛିବର୍ଷ ହେଲା ସୀତାକୁଣ୍ଡଠାରେ ଏକ ଭବ୍ୟ ରାମ ମନ୍ଦିର ଗ୍ରାମବାସୀ ନିର୍ମାଣ କରିଛନ୍ତି । ସେଠାରେ ରାମ ନବମୀ ମହୋତ୍ସବ ସହ ସୀତା ବିବାହ ଉତ୍ସବ ପାଳିତ ହୁଏ ବୋଲି ରାମମନ୍ଦିର ପୂଜକ ରବିନାରାୟଣ ପାଣିଗ୍ରାହୀ, ଗାଁର ଯୁବ ଗବେଷକ ବଳରାମ ମିଶ୍ର, ଜମିଦାର ପରିବାରର ବୋହୂ ନିରୁପମା ରାୟ କହିଛନ୍ତି । ଗାଁରେ ଥିବା ସୀତା କୁଣ୍ଠଠାରେ ଶତାଧିକ ବର୍ଷ ଧରି ଭୌମା ଏକାଦଶୀ ପାଳନ ହୁଏ । ଏହାକୁ ଦିଅର କୁଣ୍ଡି ଯାତ୍ରା କୁହାଯାଏ । ଏହି ଦିନରେ ଶ୍ରଦ୍ଧାଳୁମାନେ ସୀତାକୁଣ୍ଡରେ ସ୍ନାନ କଲେ କିମ୍ବା ଜଳ ସିଞ୍ôଚ ହେଲେ ପୁଣ୍ୟ ମିଳେ ବୋଲି କଥିତ ଅଛି । ଦୁର୍ଗାପୂଜା, କାଳୀପୂଜା ଓ ଜାଗର ଯାତ୍ରାରେ ଏଠାରେ ଉତ୍ସବ ପାଳନ ହୁଏ । ଗାଁର କୃଷିର ବିକାଶ ପାଇଁ ଆବଶ୍ୟକ ଉଠାଜଳ ସେଚନର ବ୍ୟବସ୍ଥା ନଥିବାରୁ ବହୁ ଜମି ଏଠାରେ ପଡିଆ ପଡୁଥିବା ଥିବା ଗାଁର କୃଷିର ବିକାଶ ପାଇଁ ଆବଶ୍ୟକ ଉଠାଜଳ ସେଚନର ବ୍ୟବସ୍ଥା କରାଯାଉ ବୋଲି ମଧ୍ୟ ଚାଷୀମାନେ କହିଛନ୍ତି । ତେବେ ସଂପୃକ୍ତ ଗାଁ ସମେତ ପୀଠର ବିକାଶ ଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।