Odiapua.com

ଭଦ୍ରକ ଜିଲାରେ ୩୭୭ ଟି ନୂଆ ମତଦାନ କେନ୍ଦ୍ର ଗଠନ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ଅନୁମୋଦନ

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ନିର୍ବାଚନ ଆୟୋଗ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ନିର୍ଦ୍ଦେଶ ଓ ନିୟମାବଳୀ ଅନୁଯାୟୀ ଭଦ୍ରକ ଜିଲାର ମତଦାନ ସମୟରେ ବିଭିନ୍ନ ପ୍ରକାର ଅସୁବିଧାକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ ଆୟୋଗ ଜିଲାରେ ମତଦାନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିଛନ୍ତି। ବାର ଶହରୁ ଉର୍ଦ୍ଧ୍ୱ ମତଦାତା ଥିବା ୪୦୫ ଗୋଟି ମତଦାତା କେନ୍ଦ୍ରକୁ ପୃଥୀକରଣ କରି ୩୭୭ ଗୋଟି ନୂଆ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ଏଥିପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କର ପୂର୍ଣ୍ଣ ସହମତି ମିଳିବା ପରେ ଭାରତର ଜନ ପ୍ରତିନିଧି ଆଇନ୍‌-୧୯୫୧ ର ଧାରା ୨୫ ଅନୁସାରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ, ଭଦ୍ରକ ଜନସାଧାରଣଙ୍କ ଅବଗତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ୪୩ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ପୂର୍ବରୁ ମତଦାନ କେନ୍ଦ୍ର ସଂଖ୍ୟା ଥିଲା ୨୫୯, ଏହାକୁ ବୃଦ୍ଦି କରାଯାଇ ମତଦାନ କେନ୍ଦ୍ର ସଂଖ୍ୟା ୩୨୬ ହୋଇଛି (୬୭ ଟି କେନ୍ଦ୍ର ବୃଦ୍ଧି)। ସେହିପରି ୪୪ ଭଦ୍ରକର ପୂର୍ବରୁ ଥିବା ମତଦାନ କେନ୍ଦ୍ର ସଂଖ୍ୟା ୨୭୦କୁ ୩୫୯ (୮୯), ୪୫ ବାସୁଦେବପୁରର ପୂର୍ବରୁ ଥିବା ମତଦାନ କେନ୍ଦ୍ର ସଂଖ୍ୟା ୨୭୦ କୁ ବୃଦ୍ଦି କରାଯାଇ ୩୫୮ (୮୮) ହୋଇଛି, ୪୬ ଧାମନଗର (ସଂରକ୍ଷିତ) ଆସନରେ ପୂର୍ବରୁ ଥିବା ମତଦାନ କେନ୍ଦ୍ର ସଂଖ୍ୟା ୨୬୦ ରୁ ବୃଦ୍ଧି ହୋଇ ୩୨୭ (୬୭) ହୋଇଛି। ୪୭ ଚାନ୍ଦବାଲି ରେ ପୂର୍ବରୁ ମତଦାନ କେନ୍ଦ୍ର ସଂଖ୍ୟା ୨୬୭ ଥିବାବେଳେ ବୃଦ୍ଧି ହୋଇ ୩୩୩ (୬୬) ହୋଇଛି। ଏହି ୫ଟି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୧୩୨୬ ଟି ମତଦାନ କେନ୍ଦ୍ର ଥିଲା। ଏବେ ଏହା ବୃଦ୍ଧି ପାଇ ୧୭୦୩ କେନ୍ଦ୍ର କରାଯାଇଛି।