Odiapua.com

ଭଦ୍ରକ ଜିଲାରେ ସରକାରଙ୍କ କ୍ଷେତପୋଖରୀ ଖୋଳା ମିଶନ ଫେଲ, ପୋଖରୀ ନଖୋଳି ମିଥ୍ୟା ବିଲ୍‌ରେ ଲକ୍ଷ ଲକ୍ଷ ଟଙ୍କା ହଡପ

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଫେଲ୍ ମାରିଛି ସରକାରଙ୍କ କ୍ଷେତ ପୋଖରୀ ଖୋଳା ଯୋଜନା । ପୋଖରୀ ନଖୋଳି ସାଇନର୍ବୋଡ ନଲଗାଇ ତଦାରଖ କରାନଯାଇ ହଡପ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଯାହାକୁ ନେଇ ଏବେ ଜିଲାବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ ର ଚାଷୀଙ୍କୁ ଶସକ୍ତ କରିବା ସକାସେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୧୯-୨୦ ଠାରୁ ରାଜ୍ୟବ୍ୟାପି ଆରମ୍ଭ ହୋଇଥିଲା କ୍ଷେତ ପୋଖରୀ ଖୋଳା ଯୋଜନା । ସମଗ୍ର ରାଜ୍ୟରେ ୫ ବର୍ଷରେ ୫ ଲକ୍ଷ ପୋଖରୀ ଖୋଳିବା ସକାସେ ଲକ୍ଷ ଧାର୍ଯ୍ୟ କରାଯାଇ ଗତ ୨୦୧୯/୨୦ ଆର୍ଥିକ ବର୍ଷରେ ପ୍ରତି ଜିଲାକୁ ସରକାରଙ୍କ ପକ୍ଷରୁ ଟାର୍ଗେଟ ପ୍ରଦାନ କରାଯାଇଥିଲା । ତଦନୁଯାଇ ଭଦ୍ରକ ଜିଲାରେ ଆଗାମୀ ୫ ବର୍ଷରେ ଅନ୍ୟୁନ ୪ ହଜାର ୫ ଶହ ପୋଖରୀ ଖୋଳିବାକୁ ଟାର୍ଗେଟ ପ୍ରଦାନ କରାଯାଇଥିବା ଜଣାପଡିଛି । ତେବେ ଯୋଜନାକୁ ଇତିମଧ୍ୟରେ ୨ ବର୍ଷ ବିତିବାକୁ ବସିଥିବା ବେଳେ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୦ ଗୋଟି ପୋଖରୀ ମଧ୍ୟ ସଂପୁର୍ଣ୍ଣ ହୋଇନଥିବା ବେଳେ ଏହି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ହୋଇ ସରିଥିବା ଜଣାପଡିଛି । ୨୦ ମିଟର ଲମ୍ଭ ୨୦ ମିଟର ପ୍ରସ୍ତ ଏବଂ ସର୍ବର୍ାଧିକ ୧୦ ମିଟର ଗଭିରତାରେ ଏହି କ୍ଷେତ ପୋଖରୀ ଖନନ ସକାସେ ସରକାରଙ୍କ ପକ୍ଷରୁ ପୋଖରୀ ପିଛା ୧ ଲକ୍ଷ ୯୩ ହଜାର ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ପୋଖରୀ ଖୋଳା ଇନଲେଟ-ଆଉଟଲେଟ ତିଆରି,ଘାସ ଚଂଛା,ଏବଂ ପାଇପ କିଣାରେ ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବେଳେ ପୋଖରୀରେ ସାଇନବୋର୍ଡ ମରା ଏବଂ ମହିଳା ସ୍ୱୟଂସହାୟିକା ଗୋଷ୍ଟିଙ୍କ ଦ୍ୱାରା ସମୁଦାୟ ପ୍ରକ୍ରିୟାର ତଦାରଖ କରିବାକୁ ପ୍ରାୟ ୨୩ ହଜାର ଟଙ୍କା ରଖାଯାଇଛି । ପୋଖରୀ ସକାସେ ସର୍ବନିମ୍ନ ୧୫ ଡେସିମିଲ ଜମିଥିବା ଚାଷୀଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ସରକାରୀ ଭାବେ ଘୋଷଣା କରାଯାଇଛି । ସମୁଦାୟ ପ୍ରକ୍ରିୟାକୁ ଏମଜିଏନଆରଇଜିଏସ ଜରିଆରେ ଶ୍ରମିକ ଲଗାଇ ପୋଖରୀ ଖୋଳିବାକୁ କୁହାଯାଇଛି । ଏହା ଫଳରେ କୋଭିଡ ଯୋଗୁ କାମ ଧନ୍ଦା ନପାଇ ଦୁର୍ଦ୍ଦିନରେ ଦିନ କାଟୁଥିବା ଗରୀବ ଶ୍ରମିକ ମାନେ ଉପକୃତ ହେବା ସହିତ ଏହି ପୋଖରୀକୁ ଆଧାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବିଭିନ୍ନ ଯୋଜନାରେ ସବସିଡ ଦେଇ ଆତ୍ମନିର୍ଭରଶିଳ କରିବାକୁ ଲକ୍ଷ ରଖାଯାଇ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । ତେବେ ଭଦ୍ରକ ଜିଲ୍ଲାରେ ଏହି ଯୋଜନା କେବଳ କାଗଜପତ୍ରରେ ସିମିତ ରହିଥିବା ଅଭିଯୋଗ ହୋଇଛି ।

ଗତ ଦୁଇ ବର୍ଷ ମଧ୍ୟରେ ଜିଲାକୁ ମଞ୍ଜୁର କରାଯାଇଥିବା ପୋଖରୀ ଖୋଳା ଧାର୍ଯ୍ୟଲକ୍ଷର ଏକ ପ୍ରତିଶତ ମଧ୍ୟ ପୁରଣ ହୋଇ ନଥିବା ବେଳେ ଏହି ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ହୋଇ ଯାଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଲା ଜବ କାର୍ଡ ମାଧ୍ୟମରେ ଉଦ୍ଧିଷ୍ଟ ଏହି କାମକୁ ମେସିନରେ ଖୋଳାଯାଇ ମିଥ୍ୟା ମାଷ୍ଟରରୋଲ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବା ଜଣାପଡିଛି । ଏଥିନେଇ ବିଭାଗିୟ କର୍ତ୍ତୃପକ୍ଷଙ୍କ ଠାରେ ଏକାଧିକ ଅଭିଯୋଗ ଦରଜ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଟାନ ଫଳଶୁନ୍ୟ ସାବ୍ୟସ୍ତ ହୋଇଛି । ଭଦ୍ରକ ଜିଲା ତିହିଡି ବ୍ଲକ ବାରସର ପଂଚାୟତରେ ଏହି ଧରଣର ଏକାଧିକ ଅଭିଯୋଗ ଆସିଥିବା ବେଳେ କର୍ତ୍ତୃପକ୍ଷ ତଦନ୍ତ ଆଳରେ ଏହାକୁ ଅଣଦେଖା କରିଚାଲିଥିବା ଅଭିଯୋଗ ହୋଇଛି । ମିଳିଥିବା ସୁଚନା ଅନୁଯାଇ ଭଦ୍ରକ ଜିଲ୍ଳାକୁ ଗତ ୨୦୧୯-୨୦ ରେ ୭୩୮ ଗୋଟି ପୋଖରୀ ଖୋଳିବାକୁ ଲକ୍ଷ ଧାର୍ଯ୍ୟ ରଖାଯାଇଥିବା ବେଳେ ସେଥିରୁ ଗୋଟିଏ ହେଲେ ପୋଖରୀ ସଂପୁର୍ଣ୍ଣ ହୋଇନଥିବା ବେଳେ ମାତ୍ର ୬୮ ଗୋଟି ପୋଖରୀ ର ଗ୍ରାଉଣ୍ଡିଂ କାମ ହୋଇଥିବା ସୂଚନା ମିଳିଛି । ସେହିଭଳି ଗତ ୨୦୨୦-୨୧ ପାଇଁ ଜିଲାକୁ ୧୧୩୦ ଗୋଟି ଏବଂ ପରବର୍ତି ୩ ବର୍ଷ ରେ ଜିଲ୍ଲାକୁ ପ୍ରାୟ ୪ ହଜାର ୫ ଶହ ପୋଖରୀ ଖୋଳିବାକୁ ଟାର୍ଗେଟ ମଞ୍ଜୁର ହୋଇଥିବା ବେଳେ ସେଥିରୁ ମାତ୍ର ୧୦/୧୨ ଗୋଟି ପୋଖରୀ ଖୋଳା ସଂପୁର୍ଣ୍ଣ ହୋଇଥିବା ବେଳେ ୨୬୮ ଗୋଟି ପୋଖରୀ ଗ୍ରାଉଣ୍ଡିଂ ସ୍ତରରେ ପଡି ରହିଛି । ଏଥିନେଇ ଜିଲାରେ ପୋଖରୀ ଖୋଳା ଦାୟିତ୍ୱରେ ଥିବା ଜିଲା ମୂର୍ତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦ୍ଧେଶକ ମୋହିତ ଦାଶଙ୍କୁ ଯୋଗା ଯୋଗ କରାଯାଇଥିବା ବେଳେ ସେ କହିଥିଲେ ଯେ ଆମ ହାତରେ ଯଥେଷ୍ଟ ମ୍ୟାନ-ପାୱାର ନଥିବା ତଥା ସରକାରଙ୍କ ନିର୍ଦ୍ଧେଶ ମତେ ଆମେ ୫୦ ପ୍ରତିଶତ ପୋଖରୀ ଖୋଳା ଦାୟିତ୍ୱ ନେଇଥିବା ବେଳେ ୩୦ ପ୍ରତିଶତ କୃଷି ବିଭାଗ ଏବଂ ୨୦ ପ୍ରତିଶତ ଜିଲ୍ଲା ଉଦ୍ୟାନ ବିଭାଗକୁ ଦେଇଛୁ । ସେହିଭଳି ଉପଯୁକ୍ତ ସର୍ବେକ୍ଷଣ ଏବଂ ତଦାରଖ ପରେ ଆମେ ଏହି ବାଦକୁ ଚାଷୀ ଏବଂ ମହିଳାଗୋଷ୍ଟିଙ୍କୁ ଅର୍ଥ ପୈଠ କରୁଛୁ । ତେଣୁ ଏହି ବାବଦରେ ଯେକୈାଣସି ଧରଣର ଅନିୟମିତତାକୁ ସେ ଅସ୍ୱୀକାର କରିଛନ୍ତି । ସେହିଭଳି ଘଟଣା ସଂର୍ପକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଧେଶକ ମଧୁସୁଦନ ଦାସଙ୍କୁ ପଚରାଯିବାରେ ସେ କହିଥିଲେ ଅଭିଯୋଗର ତଦନ୍ତ ସକାସେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।