Odiapua.com

ଭଦ୍ରକ ଜିଲାରେ ଭିନ୍ନକ୍ଷମଙ୍କ ସଂଖ୍ୟା ୪୨ ହଜାର ୮୫, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୫ ବର୍ଷରେ ୭୭୮ ଜଣଙ୍କୁ ମିଳିଛି ୭୭.୮୦ ଲକ୍ଷ ଟଙ୍କା

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୧ ମସିହା ଜନଗଣନା ମୂଳେ ଭଦ୍ରକ ଜିଲାର ଗ୍ରାମାଂଚଳ ଓ ପୌରାଂଚଳରେ ସମୁଦାୟ ୪୨ ହଜାର ୮୫ ଜଣ ଭିନ୍ନକ୍ଷମ ରହିଥିବାବେଳେ ବିଗତ ୫ ବର୍ଷରେ ଏମାନଙ୍କୁ ସ୍ୱାବଲମ୍ବୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୭୭୮ ଜଣଙ୍କୁ ମିଳିଛି ୭୭.୮୦ ଲକ୍ଷ ଟଙ୍କା । ଏଥିନେଇ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ଚଳିତ ବିଧାନସଭାରେ ଆଗତ କରିଥିବା ଏକ ପ୍ରଶ୍ନର ଉତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଦଣ୍ଡ ଦେଇଥିବା ଉତର ମୂଳେ ଭଦ୍ରକ ଜିଲାର ପ୍ରତି ବ୍ଲକ୍ ଗ୍ରାମଂଚଳରେ ୫୮୭୫ ଜଣ ଭିନ୍ନକ୍ଷମ ଥିବାବେଳେ ଭଦ୍ରକ ପୌରପାଳିକାରେ ୩୫୪୧, ବାସୁଦେବପୁର ବ୍ଲକ୍‌ରେ ୪୭୨୮, ବାସୁଦେବପୁର ପୌରପାଳିକାରେ ୨୭୧୮, ଭଣ୍ଡାରିପୋଖରୀ ବ୍ଲକ୍‌ରେ ୫୦୩୧, ବନ୍ତ ବ୍ଲକ୍‌ରେ ୪୩୭୩, ଧାମନଗର ବ୍ଲକ୍ ଓ ଏନଏସିରେ ୫୧୨୦, ଚାନ୍ଦବାଲି ବ୍ଲକ୍ ଓ ଏନଏସିରେ ୫୩୭୮ ଓ ତିହିଡି ବ୍ଲକ୍‌ରେ ୫୩୨୧ ଜଣ ଭିନ୍ନକ୍ଷମଙ୍କୁ ମିଶାଇ ମୋଟ ୪୨ ହଜାର ୮୫ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଗତ ୫ ବର୍ଷରେ ୭୭୮ ଜଣଙ୍କୁ ସ୍ୱାବଲମ୍ବୀ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯାଇଛି । ଏହିଭଳି ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ସେମାନଙ୍କୁ ଡିଆରଆଇ ସ୍କିମ୍ ମାଧ୍ୟମରେ ଋଣ ଯୋଗାଇ ଦିଆଯିବା ସହ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ମାଧ୍ୟମରେ ଆତ୍ମନିଯୁକ୍ତି କିଟ୍ ଦିଆଯାଇଛି । ଏହାବ୍ୟତୀତ ଭିନ୍ନକ୍ଷମ ଭତା, ବିବାହ ପ୍ରୋତ୍ସାହନ ରାଶି, ସହାୟକ ଉପକରଣ, ଯାତାୟତ ରିହାତି ପାସ ବ୍ୟବସ୍ଥା ସହ ଏମାନଙ୍କର ସନ୍ତାନମାନଙ୍କ ଉଚ୍ଚଶିକ୍ଷା ଲାଗି ଆର୍ଥିକ ସହାୟତା ଭଳି ବହୁ ସରକାରୀ ସୁବିଧା ସୁଯୋଗ ରହିଛି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଜଣକା ୧୦ ହଜାର ଟଙ୍କା ଲେଖାଏଁ ୭୭୮ ଜଣଙ୍କୁ ମୋଟ ୭୭ ଲକ୍ଷ ୮୦ ହଜାର ଟଙ୍କା ଯୋଗାଇ ଦିଆଯାଇଥିବା ବିଷୟ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସଙ୍କ ସୂତ୍ରରୁ ଜଣାଯାଇଛି । ତେବେ ଗତ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଲାରେ ଜଣେ ହେଲେ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କୌଣସି ସହାୟତା ଦିଆଯାଇନଥିବା ବିଷୟ ଶ୍ରୀ ଦାସ କହିଛନ୍ତି । ଫଳରେ ଏବେସୁଦ୍ଧା ଶତାଧିକ ଭିନ୍ନକ୍ଷମ ଜିଲାରେ ଏହି ସହାୟତା ପାଇବାରୁ ବଂଚିତ ରହିଛନ୍ତି ।