Odiapua.com

ଭଦ୍ରକ ଜିଲାରେ ବିରଳ ଧଳା ଘୁଷୁରୀ ଓ ଠେକୁଆ ଚାଷ: ଯୁବ ଇଂଜିନିୟର ଉଦୟନାଥ ୧୫ ରୁ ଉର୍ଦ୍ଧ୍ୱ ପରିବାରକୁ ଦେଇଛନ୍ତି ରୋଜଗାର

ଭଦ୍ରକ, ୧୩ା୬(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – କରୋନା ମହାମାରୀ ସମୟରେ ବହୁ ଶିକ୍ଷିତ ଯୁବକ ଚାକିରୀ ହରାଇ ଘରେ ବସିରହିଛନ୍ତି। ମାତ୍ର ଭଦ୍ରକ ଜିଲାର ଏଭଳି ଜଣେ ଯୁବ ଇଂଜିନିୟର ଅନ୍ୟମାନଙ୍କ ପାଇଁ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ନିଜେ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ। ଏହି ଯୁବକ ହେଲେ ବନ୍ତ ବ୍ଲକ୍ ବସନ୍ତିଆ ସିଲନ୍ଦି ଗ୍ରାମର ଯୁବ ଇଂଜନିୟର ଉଦୟନାଥ କର। ଯିଏ ଇଂଜିନିୟର ପାଠ ପଢିସାରିବା ପରେ ଚାକିରୀ ଛାଡି କରୋନା ସମୟରେ ନିଜ ଜମିରେ ବିରଳ ଠେକୁଆ, ଧଳା ଘୁଷୁରୀ ଓ ମାଛ ଚାଷ ସହ ଅନେକ ସୁନାର ଫସଲ ଫଳାଇଛନ୍ତି। ନିଜେ ସ୍ୱାବଲମ୍ବୀ ହେବା ସହ ଏଭଳି ମହାମାରୀ ସମୟରେ ୧୫ ରୁ ଉର୍ଦ୍ଧ୍ୱ ପରିବାରକୁ ରୋଜଗାରର ରାହା ଯୋଗାଇଛନ୍ତି। ଉଦୟନାଥ ୧୯୯୫ ମସିହାରେ ମେକାନିକାଲ ଇଂଜିନିୟର ପାଠ ପଢିସାରିବା ପରେ ଏକ କଂପାନୀରେ ଚାକିରୀ କରିଥିଲେ। ଚାକିରୀ ଗୋଟିଏ ଦିନ କରିବା ପରେ ତାହା ଛାଡି ଗାଁକୁ ଫେରିଆସି ବିଭିନ୍ନ କାର୍ଯ୍ୟରେ ମନୋନିବେଶ କରିଥିଲେ। ମାତ୍ର କୌଣସି ବ୍ୟବସାୟ କିମ୍ବା ବେସରକାରୀ ଚାକିରୀ କେଉଁଟା ବି ତାଙ୍କୁ ଆତ୍ମସନ୍ତୋଷ ଲାଗିନଥିଲା। ନିଜେ ଆତ୍ମ ନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେବା ତାଙ୍କ ମନରେ ଆନ୍ଦୋଳିତ ହୋଇଥିଲା। ତେଣୁ ୨୦୧୬ ମସିହାରେ ନିଜର ୨୨ ଏକର ଜମିରେ ଚାଷ କରିବା ପାଇଁ ମନସ୍ଥ କରି ପ୍ରଥମେ ମାଛ ଚାଷ କରିବା ପରେ ଧୀରେ ଧୀରେ ଗାଈ, ଛେଳି, କୁକୁଡା ଚାଷ ସହ ବିଭିନ୍ନ ପ୍ରକାରର ଗଛ ଲଗାଇଥିଲେ। ପରେ ବାହାର ରାଜ୍ୟରେ ତାଲିମ୍ ନେଇ ନିଜର ଫାର୍ମ ହାଉସ୍ରେ ରାଜସ୍ଥାନ ଭଳି ବାହାର ରାଜ୍ୟରୁ ଧଳା ଘୁଷୁରୀ ଓ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଠେକୁଆ ଆଣି ଉନ୍ନତ ପ୍ରଣାଳୀରେ ଚାଷ ଆରମ୍ଭ କରିଥିଲେ। ତାଙ୍କର ଯତ୍ନ ନେବା ସହ ତାଙ୍କୁ ଠିକ୍ ସମୟରେ ଖାଦ୍ୟ ଦେବା ମଧ୍ୟରେ ଏବେ ୧ ଶହ ରୁ ଉର୍ଦ୍ଧ୍ୱ ଧଳା ଘୁଷୁରୀ ଓ ଠେକୁଆ ଚାଷ କରି ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ଜିଲାରେ ପ୍ରଥମ କରି ଏଭଳି ଚାଷ ନିଜ ଫାର୍ମରେ କରିଥିବାରୁ ବେଶ୍ ଖୁସି ଥିବାର ସେ କହିଛନ୍ତି। ଏହା ବେଶ୍ ଲାଭଦାୟକ ହେବ ବୋଲି ସେ ଆଶା କରିଛନ୍ତି। ଏବେ କରୋନା ମହାମାରୀ ସମୟରେ ଲୋକମାନେ କେବଳ ଚାକିରୀ ପଛରେ ନଗୋଡାଇ ନିଜର ଯେତିକି ନିଜସ୍ୱ ଜମି ଅଛି, ସେଥିରେ ମନ ନିବେଶ କଲେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଦେଇପାରିବେ ବୋଲି ସେ ଆଜିର ଯୁବବର୍ଗଙ୍କୁ ସେ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନର କରୋନା ସମୟରେ ସେ ୧୫ ରୁ ଉର୍ଦ୍ଧ୍ୱ ପରିବାରଙ୍କୁ ରୋଜଗାର ଦେଇଥିବାରୁ ବେଶ୍ ଖୁସି ଥିବାର କହିଛନ୍ତି। ଏହି ଫାର୍ମରେ କେବଳ ଘୁଷୁରୀ କି ଠେକୁଆ ଚାଷ ନୁହେଁ, ଏମିତିକି ଏହି ୨୨ ଏକର କ୍ଷେତରେ ଗୋପାଳନ, ବିଭିନ୍ନ କିସମର ମାଛ ସହିତ, ମାଛ ଯାଆଁଳ, ଛେଳି, କୁକୁଡା, କାଶ୍ମୀର ସେଓ, ପିଜୁଳି, ନାପିଓର ଘାସ, ମୁକ୍ତା, ହଂସ ଓ ବତକ ଭଳି ବହୁ ଚାଷ ସେ କରିଛନ୍ତି। ଏହି ଚାଷ କରି ସେ ନିଜର ପରିବାର ପ୍ରତିପୋଷଣ କରିବା ସହ ପ୍ରତ୍ୟେକ ଦିନ ୨୦ ରୁ ୩୦ ଜଣ କର୍ମଚାରୀ କାମ କରୁଛନ୍ତି। ଏବଂ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ କିଛି ପ୍ରୋତ୍ସାହନ ମିଳିଲେ, ତାଙ୍କ ଫାର୍ମରେ ଶହେରୁ ଉର୍ଦ୍ଧ୍ୱ ପରିବାରଙ୍କୁ ନିଯୁକ୍ତି ଦେଇପାରନ୍ତେ ବୋଲି ଗଣମାଧ୍ୟମକୁ କହିଛନ୍ତି।