Odiapua.com

ଭଦ୍ରକ ଜିଲାରେ ପଂଜିକୃତ ୮୦ ହଜାର ଚାଷୀଙ୍କ ମଧ୍ୟରୁ ୩୦ ହଜାର ସରକାରଙ୍କୁ ଧାନ ବିକିଛନ୍ତି, ଅପେକ୍ଷାରେ ୫୦ ହଜାର ଚାଷୀ

ଭଦ୍ରକ ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ମଣ୍ଡିରୁ ଧାନ ଉଠୁନଥିବାରୁ ଜିଲା ପ୍ରଶାସନ ବାହାର ଜିଲାରୁ ଅଧିକ ୨୦ ମିଲର ନିଯୁକ୍ତି ଦେଇଛନ୍ତି। ତେବେ ଏହି ଜିଲାରେ ସରକାରୀ ଧାର୍ଯ୍ୟଲକ୍ଷ୍ୟ ମତେ ଧାନ ସଂଗ୍ରହ ସଂପୂର୍ଣ୍ଣ ହୋଇଆସୁଥିବାବେଳେ ଭଦ୍ରକ ଜିଲାରେ ୫୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନଥିବାର ସୂଚନା ମିଳିଛି। ବହୁ ମଣ୍ଡି ସେବା ସମବାୟ ସମିତିରେ ବେଆଇନ୍ ଭାବେ ୭ ରୁ ୮ କିଲୋ ଧାନ କଟନୀ ଛଟନୀ କରାଯାଉଥିବାର ଅଭିଯୋଗ ପରେ ଜିଲାପାଳ ଦିଲ୍ଲୀପ ରାଉତରାଏ ଚାଷୀ ବେଶରେ ଏହାର ସତ୍ୟତା ପରଖି ସାରିଛନ୍ତି। ତେଣୁ ବାହାର ଜିଲାରୁ ଅଧିକ ମିଲର ନିଯୁକ୍ତି ଦେଇଛି ପ୍ରଶାସନ। ଭଦ୍ରକ ଜିଲାରେ ଏବେ ଧାର୍ଯ୍ୟଲକ୍ଷ୍ୟର ପ୍ରାୟ ୭୦ ପ୍ରତିଶତ ଧାନ ସଂଗ୍ରହ ହୋଇଥିବାବେଳେ ୫୦ ହଜାର ଚାଷୀ ସରକାରଙ୍କୁ ସେମାନଙ୍କର ଧାନ ବିକ୍ରି କରିନାହାଁନ୍ତି। ତେଣୁ ମଣ୍ଡିରୁ ଧାନ ଉଠୁନଥିବା ଦର୍ଶାଇ ପ୍ରଶାସନ ଇତିମଧ୍ୟରେ ୨୦ ଗୋଟି ବାହାର ଜିଲା ମିଲରଙ୍କୁ ଧାନ ସଂଗ୍ରହରେ ସାମିଲ କରିଛି। ପ୍ରଶାସନର ସୂଚନା ମୂଳେ ସମ୍ବଲପୁର ଜିଲାର ୧୩ ଜଣ ମିଲରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ମୟୂରଭଂଜ ଜିଲାରୁ ୪, କଟକ, ଯାଜପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ମିଲର ଧାନ କିଣିବାକୁ ଭଦ୍ରକରେ ପହଂଚିଛନ୍ତି। ଗତ ୫ ତାରିଖ ସୁଦ୍ଧା ଜିଲାରେ ୩୦ ହଜାର ୮୩୭ ଜଣ ଚାଷୀଙ୍କ ଜରିଆରେ ୧୩ ଲକ୍ଷ ୨୮ ହଜାର ୧୦୧ କ୍ୱିଂଟାଲ ଧାନ କ୍ରୟ କରାଯାଇଛି। ଏତଦ୍‌ବ୍ୟତୀତ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ଜିଲାରୁ ଆହୁରି ପ୍ରାୟ୬ ଲକ୍ଷ ୫୦ ହଜାର କ୍ୱିଂଟାଲ ଧାନ ସଂଗ୍ରହ ବାକି ରହିଛି। ଜିଲାରେ ମୋଟ ୧୯ ଲକ୍ଷ ୮୦ ହଜାର କ୍ୱିଂଟାଲ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ମଂଜୁର ହୋଇଥିବାବେଳେ ବର୍ତମାନ ସୁଦ୍ଧା ସେଥିରୁ ୧୬ ଲକ୍ଷ ୪୬ ହଜାର ୩୮୭ କ୍ୱିଂଟାଲ ଧାନ ସଂଗ୍ରହ ପାଇଁ ମିଲରଙ୍କୁ ଟାର୍ଗେଟ୍ ମଂଜୁର କରାଯାଇଥିବାବେଳେ ଅବଶିଷ୍ଟ ପ୍ରାୟ ୩ ଲକ୍ଷ ୪୦ ହଜାର କ୍ୱିଂଟାଲ ଧାନର ଟାର୍ଗେଟ୍ ପ୍ରଶାସନ ନିଜ ହାତରେ ରଖିଛି। ଜିଲାର ଅଧିକ ୨୦ ଗୋଟି ବାହାର ମିଲର ଆସିବା ପରେ ଏବେ ଜିଲାରେ ଧାନ ସଂଗ୍ରହ କରୁଥିବା ମିଲରଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ତେବେ ଧାନ ସଂଗ୍ରହରେ ଅବହେଳା ଦର୍ଶାଇ ପ୍ରଶାସନ ଇତିମଧ୍ୟରେ ୩ ଗୋଟି ଜିଲା ମିଲରଙ୍କୁ ବାଦ ଦେଇଥିବା ଯୋଗୁଁ ଏବେ ପ୍ରକୃତ ଧାନ ସଂଗ୍ରହକାରୀ ମିଲରଙ୍କ ସଂଖ୍ୟା ୩୯ ରେ ପହଂଚିଛି। ସେହିଭଳି ବାହାର ଜିଲା ମିଲର ସଂପୃକ୍ତି ଯୋଗୁଁ ଜିଲା ପାଇଁ ଏବେ ଅଧିକ ଧାନ ସଂଗ୍ରହ କୋଟା ଜରୁରୀ ହୋଇପଡିଛି। ଏବେ ଜିଲା ଯୋଗାଣ ନିଗମ ହାତରେ ଯେତିକି କୋଟା ଅଛି, ଅତିବେଶିରେ ଆଗାମୀ ଏକ ସପ୍ତାହ ମଧ୍ୟରେ ତାହା ପୂରଣ ହୋଇଯିବ। ଏହାପରେ ଜିଲାପାଇଁ ଅଧିକ କୋଟା ମଂଜୁର ନହେଲେ କେବଳ ବହୁ ଚାଷୀ ଧାନ ସଂଗ୍ରହରୁ ବାଦ୍ ପଡିବେ ତାହା ନୁହେଁ, ଧାନ ନପାଇ ଉଭୟ ଘରୋଇ ଓ ବାହାର ଜିଲା ମିଲର ହାତବାନ୍ଧି ବସିବେ। କାରଣ ଚଳିତବର୍ଷ ଜିଲାରେ ସରକାରଙ୍କୁ ଧାନ ବିକିବାକୁ ପ୍ରାୟ ୮୦ ହଜାର ଚାଷୀ ପଂଜିକରଣ କରିଥିବାବେଳେ ବର୍ତମାନ ସୁଦ୍ଧା ମାତ୍ର ୩୦ ହଜାର ଚାଷୀ ସରକାରଙ୍କୁ ଧାନ ବିକିବାକୁ ସମର୍ଥ ହୋଇଛନ୍ତି।