Odiapua.com

ଭଦ୍ରକ ଜିଲାରେ ଆରବିଆଇ ପକ୍ଷରୁ ୱାକାଥନ୍

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ନେଇ ଭଦ୍ରକ ସହରରେ ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏହି ୱାକାଥନ୍‌କୁ ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଉଦ୍‌ଘାଟନ କରିଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଏହି ଶୋଭାଯାତ୍ରା କଚେରୀ ବଜାର କଲେଜ ଛକ ଦେଇ ସଂସ୍କୃତି ଭବନରେ ଶେଷ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକଙ୍କ ସମେତ ୨୫୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ୱାକାଥନ୍ ପରେ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷାରତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆର୍ଥିକ ସାକ୍ଷରତା, ସାଇବର ସିକ୍ୟୁରିଟି, ଡିଜିଟାଲ ବ୍ୟାଙ୍କିଂ, ବିଭିନ୍ନ ପ୍ରକାରର ଠକେଇ, ଚିରା ଓ ଫଟା ନୋଟ୍ ବିନିମୟ ସୁବିଧା, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା, ଆରବିଆଇର ଲୋକପାଳ ଯୋଜନା ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ଡ. ଦେବୀପ୍ରସାଦ ପଣ୍ଡା, ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।