ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଘୋଷଣା କରାଯାଇ ଏହାର କାର୍ଯ୍ୟ ଦୃତଗତିରେ ଚାଲୁଥିବାବେଳେ ତା’ର ଅଗ୍ରଗତି ସମ୍ପର୍କରେ ଭଦ୍ରକ ଜିଲ୍ଳାପାଳ ଜ୍ଞାନ ଦାସ ବିଦ୍ୟାଳୟରେ ପହଂଚି ସମୀକ୍ଷା କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯାଇ ଅକ୍ଟୋବର ମାସ ଭର୍ଚୁଆଲ ମୋଡ଼ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାକୁ ଉଦ୍ଘାଟନ କରାଯିବବୋଲି ଜଣାଯାଇଛି । ଏଥିପାଇଁ ମୋ ସ୍କୁଲ ଯୋଜନାରେ ଧାମନଗର ଉଚ୍ଚ ବିଦ୍ୟାଳୟକୁ ୩୦ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ଧାମନଗର ଏନ୍ଏସି ତରଫରୁ ୧୫ଲକ୍ଷ ଟଙ୍କା ଦିଆଯାଇଛି । ଏହି ଅର୍ଥ ଧାମନଗର ଏନ୍ଏସି ଦ୍ୱାରା ଖର୍ଚ୍ଚ କରାଯାଉଥିବାବେଳେ ଏଥିରେ ଦୁଇଟି ସ୍ମାର୍ଟକ୍ଲାସ ରୁମ୍, ଗୋଟିଏ ଇ- ଲାଇବ୍ରେରୀ, ଗୋଟିଏ ଆଧୁନିକ ବିଜ୍ଞାନ ପରୀକ୍ଷା ଗାର ନିର୍ମାଣ କରାଯାଉଛି । ଏହା ଛଡା ବିଦ୍ୟାଳୟ ପରିସରରେ ଉନ୍ନତମାନର ଏକ ଉଦ୍ୟାନ ନିର୍ମାଣ କରାଯିବାର ଯୋଜନା ରହିଛି । ଜିଲ୍ଳାପାଳଙ୍କ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଅରୁଣ କୁମାର ମହାପାତ୍ର, ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ, ଏନ୍ଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ପିତାମ୍ବର ବାରିକ, ପ୍ରଧାନ ଶିକ୍ଷକ ମୁରଲିଧର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଧାମନଗର ଉଚ୍ଚ ବିଦ୍ୟାଳୟ ପରିସରରେ କୌଣସି ନୂତନ ଗୃହ ନିର୍ମାଣ କରାନଯାଇ ପୁରୁଣା ଘରକୁ ନବିକରଣ କରାଯାଉଥିବାରୁ ବିଦ୍ୟାଳୟ ସମ୍ପୁର୍ଣ୍ଣ ଖୋଲିଲେ ପାଠ ପଢାପାଇଁ ଶ୍ରେଣୀ ଗୃହର ଅଭାବ ହେବବୋଲି ଜଣାଯାଇଛି । କୋଭିଡ଼ ମହାମାରୀ ସମୟରେ ପ୍ରାୟ ୨ବର୍ଷ ଧରି ଧାମନଗର ହାଇସ୍କୁଲ ଖେଳପଡ଼ିଆକୁ ସର୍ବସାଧାରଣଙ୍କ ପରିବା ହାଟ ଭାବେ ବ୍ୟବହାର କରାଯାଉଥିବାବେଳ ଏହାକୁ ଆଦର୍ଶ ବିଦ୍ୟାଳୟ ଗଢିବାରେ ବାଧାସୃଷ୍ଟି କରୁଛିବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।