Odiapua.com

ଭଦ୍ରକ ଜିଲାପାଳଙ୍କ ଆକସ୍ମିକ ପଞ୍ଚାୟତ ପରିଦର୍ଶନ

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସକାଳ ପ୍ରାୟ ଦଶଟା ତିରିଶ ମିନିଟ୍‌, ଚାରିଟି ପ୍ରଶାସନିକ ଗାଡ଼ି ଗଡ଼ିଆସିଲା ତଳ ଗୋପବିନ୍ଧା ଗ୍ରାମ ପଞ୍ଚାୟତକୁ । ସେଥିରେ ଥିଲେ ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ, ଅତିରିକ୍ତ ଜିଲାପାଳ ମଧୁସୂଦନ ଦାଶ, ତିହିଡ଼ି ବିଡ଼ିଓ, ସାଳନ୍ଦୀ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ । ପ୍ରତିକୂଳ ପାଗ ସତ୍ତ୍ୱେ ଜିଲାପାଳଙ୍କ ଅହେତୁକ କ୍ଷେତ୍ର ପରିଦର୍ଶନ ପଞ୍ଚାୟତବାସୀଙ୍କ ମନରେ ଆଣିଥିଲା ସମ୍ଭାବନାର ସ୍ୱପ୍ନ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିଲା ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ ନାମା ପାଳନ କରି ଜଣେ ଦକ୍ଷ ପ୍ରଶାସକ ଭାବେ ପମାଣିତ କରିବାକୁ ଜିଲାପାଳ ଛୁଟିଦିନରେ ପଞ୍ଚାୟତର ବହୁବିଧ ସମସ୍ୟା ଅନୁଧ୍ୟାନ କରିବାକୁ ଆସିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରପାଠୀଙ୍କ ଆବେଦନ ମୂଳେ ଜାତୀୟ ମାନବାଧିକାର ଆୟୋଗଙ୍କ ଶକ୍ତ ନିର୍ଦ୍ଦେଶନାମା ତଥା କଡ଼ା ଚେତାବନୀ ପରେ ଜିଲା ପ୍ରଶାସନ ତରଫରୁ ଆନ୍ତରୀକ ଉଦ୍ୟମ ବାରି ହେଉଛି ।

ଏହି ପରିଦର୍ଶନ ସମୟରେ ଆବେଦନର ଅଧିକାଂଶ କ୍ଷେତ୍ର ମୁକୁନ୍ଦପୁର ଠାରୁ ଏ୍ୟୌଶାନ୍ୟଚଣ୍ଡୀ ପର୍ଯ୍ୟନ୍ତ ଭଲ କଂକ୍ରିଟ ରାସ୍ତା ନିର୍ମାଣ, ଧୋବାଗଣ୍ଡ ଠାରେ ମରାମତି ତଥା ଧନଜୀବନ ସୁରକ୍ଷା, ନରସିଂହପୁର ଠାରେ ମାଟି ରାସ୍ତାର କଂକ୍ରିଟ କରଣ, ମାତଗଜପୁର ଠାରେ ନାଳିଆ ନଦୀରେ ଏକ ନୂତନ ପୋଲ ନିର୍ମାଣ, ନାୟକ ସାହି ତଥା ମଳିକ ସାହିକୁ କଂକ୍ରିଟ ରାସ୍ତା ନିର୍ମାଣ ତଥା ବିସ୍ଥାପନ ସମସ୍ୟାର ସମାଧାନ, ଇଟାପାଳ ବନ୍ଧ ଠାରୁ ଗୁହାଳିପାଳ ପର୍ଯ୍ୟନ୍ତ ନାଳିଆ ନଦୀର କୂଳବନ୍ଧ ସୁରକ୍ଷା, ଏ. ଏନ୍‌. ଏସ. କେନ୍ଦ୍ର ସ୍ଥାପନ, ଫୁଲପଦା ପ୍ରାଥମିକ ବିଦ୍ୟାଳୟର ଦୂରବସ୍ଥା ତଥା ମା’ଏ୍ୟୌଶାନ୍ୟଚଣ୍ଡୀଙ୍କର ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ବିଷୟରେ ଜିଲାପାଳଙ୍କ ସହିତ ଅନ୍ୟ ଅଧିକାରୀ ମାନଙ୍କୁ ଅବଗତ କରାଯାଇଥିଲା । ଭଦ୍ରକରୁ ଏ୍ୟୌଶାନ୍ୟଚଣ୍ଡୀ ପର୍ଯ୍ୟନ୍ତ “ଗାଁ ଗାଡ଼ି’’ ଚଲାଇବା ପାଇଁ ମଧ୍ୟ ଗ୍ରାମବାସୀଙ୍କ ତରଫରୁ ଜିଲାପାଳଙ୍କୁ ନିବେଦନ କରାଯାଇଥିଲା । ଜିଲା ପ୍ରଶାସନ ପରିଦର୍ଶନ ସମୟର ତଳଗୋପବିନ୍ଧା ସମିତି ସଭ୍ୟ ମଦନ ନାୟକ, ସରପଞ୍ଚ ପ୍ରତିନିଧି ଆଦିତ୍ୟ ଜେନା, ଜୀବନ ନାୟକ, ତପୁ, ପୀଙ୍କୁ, ଫିଲିପ, ଶ୍ରୀକାନ୍ତ ଆଦି ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ତିଆଡ଼ିସାହି ଗାଁ ର ଜିଲାପାଳ ଯାଉଥିବା ବେଳେ ଗାଁ ଦାଣ୍ଡର ଦୂରବସ୍ଥା ଯୋଗୁ କ୍ରୀଷ୍ଣା ନାମକ ଏକ କୋମଳମତି ଶିଶୁ ପଡ଼ିଯାଇଥିଲା । ଖୋଦ୍ ଜିଲାପାଳ ଘଟଣାସ୍ଥଳରେ ବିଡ଼ିଓଙ୍କୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇଦିନ ମଧ୍ୟରେ ନିର୍ଦ୍ଦେଶ ଦେଇଥିଲେ ।