Odiapua.com

ଭଦ୍ରକ ଚିନ୍ତନ ଚକ୍ରର ୧୪୦ ତମ ଅଧିବେଶନ, ଶିଶୁ ଶ୍ରମିକ ପ୍ରଥା ବିଲୋପ ଦିଗରେ ସାମଗ୍ରୀକ ଉଦ୍ୟମ ଲୋଡ଼ା

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କ୍ଲବ ପରିସରରେ ‘ଭଦ୍ରକ ଚିନ୍ତନ ଚକ୍ର’ର ୧୪୦ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ “ଶିଶୁ ଶ୍ରମିକ ପ୍ରଥା ଓ ତାର ନିରାକରଣ” ଶୀର୍ଷକ ବିଷୟ ଉପରେ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ଅବସରପ୍ରାପ୍ତ ପ୍ରଫେସର ଡ. ଗୋଲକ ବିହାରୀ ସାହୁ ଅଧ୍ୟକ୍ଷତା କରିଥିବାବେଳେ, ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ଲଲାଟେନ୍ଦୁ ମହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଭଦ୍ରକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ପ୍ର. ଅଟଳ ବିହାରୀ ନାୟକ, ପ୍ର. ରମେଶ ଚନ୍ଦ୍ର ନାୟକ, ଡ. ଭାଗବତ ତ୍ରିପାଠୀ, ଆଇନଜୀବୀ ଅଗଣି ଚରଣ ଜେନା, ଆଇନଜୀବୀ ଗିରିଧାରୀ ନାଥ, କବି ହରିଶ ଦାସ, ସ୍ତମ୍ଭକାର ବିଜୟ ଦାସ, ଶାନ୍ତନୁ ରାଉତ୍‌, ଗୋଲକ ପ୍ରସାଦ ମଲ୍ଲିକ, ଗଙ୍ଗାଧର ମଲ୍ଲିକ, ବୈଲୋଚନ ବେହୁରିଆ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ବିଜୟ କୁମାର ସେନାପତି, ରତିକାନ୍ତ ଦାସ, ନିରଂଜନ ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଭିତ୍ତପ୍ରବନ୍ଧ ଉପସ୍ଥାପନ କରି ଶ୍ରୀ ମହାନ୍ତି କହିଥିଲେଯେ, ଶିଶୁ ଶ୍ରମିକ ପ୍ରଥା ସମଗ୍ର ସମାଜ ପାଇଁ କଳଙ୍କ । ଶିଶୁମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶରେ ସହଯୋଗ କରିବା ପରିବେର୍ତ୍ତ ସେମାନଙ୍କୁ ଶିଶୁ ଶ୍ରମିକ ସଜାଇବା ଜଘନ୍ୟ ଅପରାଧ । ଏଥି ନିମିତ୍ତ ସରକାରୀ ସ୍ତରରେ ବ୍ୟାପକ ଆଇନ ରହିଛି । ଯଦି ପୁଲିସ, ଶ୍ରମ ବିଭାଗ, ସ୍ୱେଛାସେବୀ ସଂଗଠନମାନେ ନିଜ ନିଜ ଭିତରେ ସମନ୍ୱୟ ସ୍ଥାପନ କରି ଉକ୍ତ କୁତ୍ସିତ ପ୍ରଥାର ବିଲୋପ ପାଇଁ ଉଦ୍ୟମ କରିବେ ତେବେ ଏହାର ପରିସମାପ୍ତି ଘଟି ପାରିବ । ଏହାବ୍ୟତୀତ, ପରିବାରର ବାପା, ମା’, ଅନ୍ୟାନ୍ୟ ସଦସ୍ୟ, ପଡ଼ୋଶୀମାନଙ୍କର ମଧ୍ୟ ଏଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମହାନ୍ତି କହିଥିଲେ । ସମ୍ବିତ କୁମାର ମିଶ୍ର ଆଲୋଚନାଚକ୍ର ପରିଚାଳନା କରିଥିବାବେଳେ, ପ୍ରଦୀପ କୁମାର ରାଉତ୍ ଧନ୍ୟବାଦ ଅର୍ପଣ କରିଥିଲେ ।