Odiapua.com

ଭଦ୍ରକ ଗ୍ରାମ୍ୟ ଜଳଯୋଗାଣ ଡିଭିଜନରେ ଦୁର୍ନୀତି !, ଅଭିଯୋଗର ତଦନ୍ତ କଲେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଡିଭିଜନର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ସାଧାରଣ ଅଭିଯୋଗ ସମାଧାନ ଓ ପରିଚାଳନା ବିଭାଗ ( ସିପିଜିଆରଏମ୍ /ସେଂଟ୍ରାଲାଇଜ ପବ୍ଲିକ ଗ୍ରିଭାନସ ରିଡ୍ରେସ ଏଣ୍ଡ ମନିଟରିଂ ସିଷ୍ଟମ) ଜରିଆରେ ଡିଭିଜନ ଅଧିକାରୀଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ଦରଜ (ନଂ ୦୦୧୧୯୬୫) ହେବା ପରେ ବାଲେଶ୍ୱରସ୍ଥ ବିଭାଗୀୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧି ବୁଧବାର ଭଦ୍ରକରେ ପହଂଚି ତଦନ୍ତ କରିଛନ୍ତି। ଅତିରିକ୍ତ ମୁଖ୍ୟଯନ୍ତ୍ରୀ ମଧ୍ୟାହ୍ନରେ ଭଦ୍ରକ ଡିଭିଜନ କାର୍ଯ୍ୟାଳୟରେ ପହଂଚିଥିଲେ। ଅଭିଯୋଗକାରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କ ଉପସ୍ଥିତିରେ ତଦନ୍ତ କରିଥିଲେ। ଅଭିଯୋଗ ପତ୍ରରେ ରହିଥିବା ସତଥ୍ୟ ଅଭିଯୋଗ ବାବଦରେ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ, ହିସାବ ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ଉଲ୍ଲେଖନୀୟ ଯେ: ଡିଭିଜନରେ ଠିକାଦାରଙ୍କୁ ବିଲ ପଇଠରେ ପାତର ଅନ୍ତର କରାଯାଉଥିବା, ରୟାଲଟି ଓ ପେନାଲଟି ଅସୁଲରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ସମାନ ଧରଣର କାର୍ଯ୍ୟ ପାଇଁ ଠିକାଦାରଙ୍କୁ ବିଲ ପଇଠରେ ଭିନ୍ନଭିନ୍ନ ନୀତି ଆପଣାଉଥିବା ନେଇ ଉଦାହରଣ ସହ ତଥ୍ୟ ଅଭିଯୋଗ ପତ୍ରରେ ରହିଛି। ନିର୍ମାଣ କାର୍ଯ୍ୟର ମାପଚୁପ ତାରିଖ (ମେଜରମେଂଟ ତାରିଖ) ଓ ବିଲ ପଇଠ ତାରିଖ ମଧ୍ୟରେ କେମିତି ତାରତମ୍ୟ ରହିଛି ସେବାବଦରେ ତଥ୍ୟ ସହ ଅଭିଯୋଗ କରାଯାଇଛି। ସେହିଭଳି ପ୍ରକଳ୍ପ କାର୍ଯ୍ୟଶେଷ ପରେ ଠିକାଦାରଙ୍କୁ ସମ୍ପୂର୍ଣ୍ଣ ବିଲ ପଇଠ କରିବାରେ ପୃଥକ ନୀତି ଆପଣାଯାଉଥିବା ନେଇ ଅଭିଯୋଗ ରହିଛି। କାହାକୁ ୮୦ ପ୍ରତିଶତ ତ କାହାକୁ ୯୦ ପ୍ରତିଶତ ତ ପୁଣି କାହାକୁ ସମ୍ପୂର୍ଣ୍ଣ ୧୦୦ ପ୍ରତିଶତ ବିଲ ପଇଠ କରାଯାଇଛି। ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଓ ଠିକାସଂସ୍ଥାକୁ ପଇଠ ହୋଇଥିବା ବିଲ ବାବଦରେ ତଥ୍ୟ ସହ ଅଭିଯୋଗ କରାଯାଇଛିି। ଠିକାଦାର ଅଧିକାରୀଙ୍କ ଦାବି ପୂରଣ ନକଲେ ତାଙ୍କୁ ହଇରାଣ କରାଯାଉଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ତେବେ ଏଭଳି ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ବୟାନ ଦେବାକୁ ଅଧୀକ୍ଷଣ ଯନ୍ତ୍ରୀ ବିନୟ ରାଉତ ଏଡାଇ ଯାଇଥିବା ବେଳେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଗାନ୍ଧି ‘ତଦନ୍ତ ଚାଲିଛି, ତଦନ୍ତ ନସରିବା ଯାଏ କିଛି ପ୍ରକାଶ କରିବା ସମିଚୀନ ନୁହେଁ ’ବୋଲି କହିଥିଲେ। ତେବେ ଡିଭିଜନ ବିରୋଧରେ ଅନୁରୂପ ଅଭିଯୋଗ ବାଲେଶ୍ୱର ଭିଜିଲାନସ କାର୍ଯ୍ୟାଳୟକୁ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି।