Odiapua.com

ଭଦ୍ରକ କାଳୀପୂଜାର ଅବଧି ୧୦ ଦିନ ବୃଦ୍ଧି ଦାବି, ଧର୍ମରକ୍ଷା ସମିତି ଓ ବଜରଙ୍ଗ ଦଳର ଆନ୍ଦୋଳନ ଚେତାବନୀ

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହାସିକ କାଳୀପୂଜାକୁ ପ୍ରଶାସନ ପକ୍ଷରୁ ୭ଦିନ ରଖାଯିବା ପ୍ରତିବାଦରେ ଆଜି ଭଦ୍ରକର ଧର୍ମରକ୍ଷା ସମିତି, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଦୁର୍ଗା ବାହିନୀ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି । ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାରକ ମାନସ ମହାନ୍ତି, ବଜରଙ୍ଗ ଦଳର ପ୍ରାନ୍ତ ମିଳନ କେନ୍ଦ୍ରର ଓଡ଼ିଶା ପ୍ରମୁଖ ବିପିନ ବିହାରୀ ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର ବିଜୟ ସିହ୍ନା ପ୍ରମୁଖ ଆଜି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେଇଥିବା ଦାବିପତ୍ର ମୂଳେ ଭଦ୍ରକର ସାଂସ୍କୃତିକ ପରମ୍ପରା ସହ ଇଷ୍ଟଦେବୀ ମା’ ଭଦ୍ରକାଳୀଙ୍କ ଐତିହ୍ୟ, ଦର୍ଶନ ସହ ଜଡିତ ଭଦ୍ରକର ଐତିହାସିକ କାଳୀପୂଜା ଉତ୍ସବ । କିନ୍ତୁ ଏହି ଐତିହାସିକ କାଳୀପୂଜା ୧୦ ଦିନ ହୋଇଆସୁଥିବାବେଳେ ଏବେ ଜିଲା ପ୍ରଶାସନ ପକ୍ଷରୁ ଏଥିରେ ଅଂକୁଶ ଲଗାଯାଇ ୭ ଦିନ ରଖାଯାଇଛି । ବିଶେଷକରି ଭଦ୍ରକରେ ମେଳା ମହୋତ୍ସବ ନାମରେ ବର୍ଷରେ କିଛି କାର୍ଯ୍ୟକ୍ରମ ହୁଏ । ତାହା ସାହିତ୍ୟ ମେଳା, ସରକାରୀ ମହୋତ୍ସବ ମଧ୍ୟରେ ସୀମିତ । ଅବସର ବିନୋଦନ କିମ୍ବା ଧାର୍ମିକ ଓ ପାରମ୍ପରିକ ଉତ୍ସବ ନାମରେ ଗୋଟିଏ ଦୁଇଟି କାର୍ଯ୍ୟକ୍ରମ ବର୍ଷରେ ହୋଇଥାଏ । ସେଥିମଧ୍ୟରେ କାଳୀପୂଜା ସର୍ବୋତ୍ତମ । କିନ୍ତୁ ତାହା ଉପରେ ପ୍ରଶାସନର ଏଭଳି ଅଂକୁଶ ଲଗାଯିବା ଆଦୌ ଗ୍ରହଣନୀୟ ନୁହେଁ । ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଏହି ମେଳା ମହୋତ୍ସବ ପରମ୍ପରାକୁ ୧୦ ରୁ ୭ ଦିନ, ତା ପରେ ୫ ଦିନ ଓ ପରେ ୩ ଦିନ ରଖାଯାଇ ସଂପୂର୍ଣ୍ଣ ବନ୍ଦ କରାଯିବାର ଏହା ଏକ ଷଡଯନ୍ତ୍ର ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ବିଶେଷକରି ଏହି କାଳୀପୂଜାରେ ଆମ ଓଡ଼ିଶା ନୁହେଁ ରାଜ୍ୟ ବାହାରୁ ବହୁ କ୍ଷୁଦ୍ର ବ୍ୟବସାୟୀ ସେମାନଙ୍କର ଗୁଜୁରାଣ ମେଣ୍ଟାଇବାକୁ ଆସିଥାନ୍ତି । କିନ୍ତୁ ପ୍ରଶାସନର ଅଂକୁଶ ଫଳରେ ପୂଜାର ଅବଧି ସଂକୁଚିତ ହେଉଥିବାରୁ ଏହି ବ୍ୟବସାୟୀମାନେ କ୍ରମେ ଭଦ୍ରକ ଆସିବା ବନ୍ଦ କରିଦେବାର ଆଶଙ୍କା ଦେଖାଦେଇଛି । ଏଣୁ ଆମ ପରମ୍ପରାରେ ବାଧକ ସୃଷ୍ଟି କରାନଯାଇ ଜିଲା ପ୍ରଶାସନ କାହାରି ଚାପରେ ବଶବର୍ତ୍ତୀ ନହୋଇ ୧୦ ଦିନ ପାଇଁ ଏହି ଉତ୍ସବ ପାଳନର ଅନୁମତି ପ୍ରଦାନ ନକଲେ ଅସନ୍ତୁଷ୍ଟ ଭଦ୍ରକ ହିନ୍ଦୁ ସମାଜ ଆଗାମୀ ୨ ଦିନ ମଧ୍ୟରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସମସ୍ତ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।