ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମଲେଖା ପ୍ରସଙ୍ଗକୁ ନେଇ ଉପୁଜିଥିବା ଛାତ୍ର ଅଶାନ୍ତିର ରାଜନୈତିକ ପୃଷ୍ଠଭୂମିର ଅଭିଯୋଗ ଏବେ ଭୁବନେଶ୍ୱରରେ ପ୍ରଭାବ ପକାଇଛି । ଏଠାରେ ସୂଚନାଯୋଗ୍ୟ ଏହି ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ଦ୍ୱିତୀୟ ବୃହତ୍ତମ ଶିକ୍ଷାନୁଷ୍ଠାନର ଗୌରବ ବହନ କରିଥିବାବେଳେ ଗତ କିଛିଦିନ ହେବ ଏଠାରେ ନାମଲେଖାକୁ ନେଇ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ରର ବ୍ୟବହାର ଏବଂ ଏଥିରେ କେତେକ ଶାସକ ଦଳର ପୂର୍ବତନ ଛାତ୍ରନେତା ଓ ବର୍ତ୍ତମାନର ଦଳୀୟ ପଦପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ସଂପୃକ୍ତି ଏହାର ସମସ୍ତ ସ୍ୱର୍ଣ୍ଣିମ ଅଧ୍ୟାୟରେ କଳଙ୍କ ଲେପିଛି ବୋଲି ବହୁ ପ୍ରାକ୍ତନ ଛାତ୍ର ଓ ବୁଦ୍ଧିଜୀବୀ ମତ ଦେଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଛାତ୍ରଙ୍କ ଆନ୍ଦୋଳନ, ଟାୟାର ଜାଳି ରାସ୍ତା ଅବରୋଧ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପରେ ଅଭିଯୋଗର ସତ୍ୟାସତ୍ୟ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷା ବିଭାଗକୁ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ପକ୍ଷରୁ ତଦନ୍ତର ନିର୍ଦ୍ଦେଶ ଦିଆଯାଇଛି । ଅଧ୍ୟକ୍ଷ ଡ. ଉମାକାନ୍ତ ସାମଲଙ୍କ କହିବାନୁସାରେ ମହାବିଦ୍ୟାଳୟ ସ୍ତରରେ ଏ ପ୍ରକାର କୌଣସି ଅନିୟମିତତା କରାଯାଇନାହିଁ । ତେବେ ଛାତ୍ରମାନଙ୍କ ଅଭିଯୋଗ ପାଇବା ପରେ ସେ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ପ୍ରାୟ ୧୧୦ ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ର ଯାଞ୍ଚ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅତିରିକ୍ତ ଜିଲା ଚିକିତ୍ସାଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି ।
ଅନୁରୂପ ନାମଲେଖା ଦାୟିତ୍ୱରେ ଥିବା ଅଧ୍ୟାପକ ଦୀନେଶ ଦାସଙ୍କ କହିବାନୁସାରେ ମହାବିଦ୍ୟାଳୟ ସ୍ତରରେ ନାମଲେଖାଇବା କ୍ଷେତ୍ରରେ କୌଣସି ଅନିୟମିତତାର ସୁଯୋଗ ନାହିଁ । ଉଚ୍ଚଶିକ୍ଷା ବିଭାଗର ନାମଲେଖାଇବା ବାବଦରେ ଯାହା ବ୍ୟବସ୍ଥା ରହିଛି, ତଦନୁଯାୟୀ ସେମାନେ ତାହାକୁ କାର୍ଯ୍ୟକାରୀ କରିଛନ୍ତି । ନାମଲେଖା ସଂପର୍କରେ ସରକାରୀ ନିୟମକୁ ନେଇ ଛାତ୍ରଛାତ୍ରୀମାନେ ସଂପୂର୍ଣ୍ଣ ସଚେତନ ଥିବାବେଳେ ସେମାନଙ୍କ ତଥ୍ୟ ନିଜେ ସେମାନେ ଅନଲାଇନ୍ରେ ପ୍ରଦାନ କରି କେଉଁ କଲେଜରେ ପାଠ ପଢିବେ, ତାହା ଉକ୍ତ ବିଧିବିଧାନ ଅନୁସାରେ ଆବେଦନ କରିଥାନ୍ତି । ନାମ ଲେଖା ସମୟରେ ଭିନ୍ନକ୍ଷମଙ୍କ ପ୍ରମାଣପତ୍ର ଯାଞ୍ଚ ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ । ବ୍ୟବସ୍ଥା ଅନୁଯାୟୀ ସେମାନଙ୍କ ପାଖକୁ ଯେଉଁ ପିଲାମାନଙ୍କ ନାମଲେଖା ପାଇଁ ତଥ୍ୟ ଅନୁସାରେ ଆସେ, ତାହା ସେମାନେ କାର୍ଯ୍ୟକାରୀ କରିଥାନ୍ତି ବୋଲି ଅଧ୍ୟାପକ ଶ୍ରୀ ଦାସ ଏ ପ୍ରତିନିଧିଙ୍କୁ କହିଛନ୍ତି । ତେବେ ଭିନ୍ନକ୍ଷମ ପ୍ରମାଣପତ୍ରର ଜାଲିଆତି ପ୍ରସଙ୍ଗର ତଥ୍ୟକୁ ସାମ୍ନାକୁ ଆଣିଥିବା ଛାତ୍ରମାନଙ୍କ ଅଭିଯୋଗ ମୂଳେ ମେଧାବୀ ଛାତ୍ରଙ୍କ ସ୍ୱାର୍ଥକୁ ବଳିଦେଇ ଏଠାରେ କେତେକ ଶାସକ ଦଳର ରାଜନୈତିକ ପଦପଦବୀରେ ଥିବା ୪ ଜଣ ବ୍ୟକ୍ତିବିଶେଷ ଜାଲ୍ ପ୍ରମାଣପତ୍ର ମୂଳେ ଉକ୍ତ ସିଟ୍କୁ ବିକ୍ରି କରିଛନ୍ତି । ସକ୍ଷମ ପିଲାଙ୍କୁ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଅର୍ଥ ବଳରେ ନାମ ଲେଖାଇଛନ୍ତି । ଏହି ପ୍ରକ୍ରିୟା ଦୀର୍ଘବର୍ଷ ହେବ ଚାଲିଆସୁଥିବାର ଅଭିଯୋଗ ହୋଇଛି । ତେବେ ଗତ ୩ ବର୍ଷ ମଧ୍ୟରେ ୨୪୧ ଜଣ ଛାତ୍ରଛାତ୍ରୀ ଭିନ୍ନକ୍ଷମ ପ୍ରମାଣପତ୍ର ବଳରେ ନାମ ଲେଖାଇଥିବା ସ୍ପଷ୍ଟ ହୋଇଥିବାବେଳେ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଏଯାବତ୍ ୭ ଜଣ ବିଦ୍ୟାର୍ଥୀ ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମ ଲେଖାଇଛନ୍ତି । ଅନ୍ୟ ୯୬ ଜଣଙ୍କ ପ୍ରମାଣପତ୍ରକୁ କଲେଜ କର୍ତ୍ତୃପକ୍ଷ ଯାଞ୍ଚ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ପଠାଇଛନ୍ତି ।
ଏବଂ ଅଧିକ ଭିନ୍ନକ୍ଷମ ପ୍ରମାଣପତ୍ର ଯାଞ୍ଚର ପ୍ରକ୍ରିୟା ଜାରି ରହିଛି । ଯେଉଁମାନଙ୍କ ପ୍ରମାଣପତ୍ର ନକଲି କିମ୍ବା ଜାଲ୍ ସାବ୍ୟସ୍ତ ହେବ, ସେମାନଙ୍କ ଆଡମିଶନ ବାତିଲ ହେବ ବୋଲି କଲେଜ ଅଧ୍ୟକ୍ଷ ଡ. ସାମଲ ଏ ପ୍ରତିନିଧିଙ୍କୁ କହିଛନ୍ତି । ତେବେ ସୂଚନା ଅଧିକାର ଆଇନ୍ ବଳରେ ଏ ସଂପର୍କିତ ତଥ୍ୟ ମାଗି ଏଭଳି କେଳେଙ୍କାରୀର ଫର୍ଦ୍ଦାଫାଶ କରିଥିବା ପ୍ରାକ୍ତନ ଛାତ୍ର ଦୀପ୍ତିମାନ ଜେନା, ଜ୍ଞାନରଂଜନ ପରିଡା, ସତ୍ୟଜିତ୍ ରାଉତ ଓ ଅଭିଳାଷ ରାମଙ୍କୁ ହତ୍ୟା ଧମକ ମିଳିଥିବାରୁ ସେମାନେ ନିଜ ନିଜର ସୁରକ୍ଷା ପାଇଁ ସହରାଞ୍ଚଳ ଥାନାଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ସେମାନଙ୍କ ଅଭିଯୋଗ ମୂଳେ ଭାସ୍କର ମହାଳିକ, କାମେଶ୍ୱର ରାଓ ଏବଂ ଜାଲ୍ ପ୍ରମାଣପତ୍ରରେ ନାମ ଲେଖାଇଥିବା ଛାତ୍ର ଆଶିଷ ମହାନ୍ତି, ରୁଦ୍ରକାନ୍ତ ଜେନା ପ୍ରମୁଖ ସେମାନଙ୍କୁ ହତ୍ୟା କରିବାର ଧମକ ଦେଉଛନ୍ତି । ଏବଂ ସେମାନଙ୍କର ରାଜନୈତିକ ହାତ ଥିବାରୁ ପୁଲିସ୍ ତାଙ୍କର କିଛି କରିପାରିବ ନାହିଁ ବୋଲି ଖୋଲାଖୋଲି କହୁଛନ୍ତି । ତେଣୁ ଦୀପ୍ତିମାନ ଓ ତାଙ୍କ ସାଥୀମାନେ ନିଜ ନିଜର ସୁରକ୍ଷା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏହି ଘଟଣାରେ ଜଡିତ ଥିବା ମୁଖ୍ୟ ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ତଥା ପୂର୍ବତନ ଜିଲା ଛାତ୍ର ନେତା ରାକେଶ ପଣ୍ଡା, ନିତୀଶ ପଣ୍ଡା, ଭାସ୍କର ମହାଳିକ ଓ ଅଂଶୁମାନ ମହାନ୍ତ ଯଦିଓ ସେମାନେ ଓ ସ୍ଥାନୀୟ ବିଧାୟକଙ୍କ ଏଥିରେ କୌଣସି ସଂପୃକ୍ତି ନଥିବାର ସଫେଇ ଦେଉଥିବାବେଳେ ଶ୍ରୀ ପଣ୍ଡାଙ୍କ ଉକ୍ତି ‘ମନ୍ଦିର ଭିତରେ କିଏ, ନା ମୁଁ କଦଳୀ ଖାଇନାହିଁ’ ଭଳି ମନେ ହୋଇଛି ବୋଲି କେତେକ ବୁଦ୍ଧିଜୀବୀ ମତ ରଖିଛନ୍ତି । ସର୍ବଶେଷ ଖବରରୁ ଯାହା ଜଣାଯାଏ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ପୂର୍ବରୁ କୋଭିଡ୍ ସମୟରେ ମାଗଣା ଖାଦ୍ୟ ବଣ୍ଟନ ଦୁର୍ନୀତି ଭଳି ବହୁ ଅଭିଯୋଗ ରହିଥିବାବେଳେ ଶାସକ ଦଳର ତାଙ୍କର କେତେକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଏଭଳି ଜାଲିଆତିର ପର୍ଦ୍ଦାଫାଶ କରିଛନ୍ତି । ଯାହା ଦଳ ମଧ୍ୟରେ ଥିବା ଅର୍ନ୍ତଦ୍ୱନ୍ଦ୍ୱକୁ ପଦାରେ ପକାଇଛି ।