Odiapua.com

ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ଓ ଛାତ୍ରସଂସଦ ନିର୍ବାଚନ ଦାବି , ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଯନ୍ତ୍ରୀଙ୍କୁ ସ୍ମାରକପତ୍ର

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ଅସମାପ୍ତ ନିର୍ମାଣ କାର୍ଯ୍ୟ ଏବଂ ଛାତ୍ରସଂସଦ ନିର୍ବାଚନ ଦାବିକୁ ନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। କଲେଜର ଶିକ୍ଷା ବାତାବରଣ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି। କଲେଜରେ ଗଣତାନ୍ତ୍ରିକ ପରମ୍ପରା ବଜାୟ ରଖିବା ପାଇଁ ଶୀଘ୍ର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରିବାକୁ ପ୍ରଥମେ ଦାବି କରାଯାଇଛି। ଏହା ସହିତ କଲେଜ ପରିସରର ଜରୁରୀ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି, ଯେଉଁଥିରେ କଲେଜ ଗେଟ୍‌ରୁ କାଂଟିନ୍ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବା, ଆମ୍ବେଦକର ତଥା ପଶ୍ଚିମ ହଷ୍ଟେଲ ରାସ୍ତାର ଅସ୍ଥାୟୀ ସମାଧାନ କରିବା, କଲେଜ କ୍ୟାଂଟିନ୍ ପାଖରେ ପାଚେରୀ କାମ ଶେଷ କରିବା ଏବଂ କନିକା ହଷ୍ଟେଲ ତଥା ସେଂଟ୍ରାଲ୍ ହଷ୍ଟେଲର ଅଧାପନ୍ତରିଆ ମରାମତି କାମକୁ ତୁରନ୍ତ ସାରିବା ଅନ୍ତର୍ଭୁକ୍ତ ରହିଛି। ସରକାର ଅନୁଦାନ ଦେଉଥିବା ସତ୍ୱେ ଭଦ୍ରକ କଲେଜର ରାସ୍ତା, ଗେଟ୍ ଓ ପାଚେରୀ ତିଆରି ପାଇଁ ପୂର୍ତ ବିଭାଗ କାର୍ଯ୍ୟ ଆରମ୍ଭ କରୁ ନଥିବାରୁ ଏବିଭିପି ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ ପାଇଛି ଏବଂ ତୁରନ୍ତ କାର୍ଯ୍ୟ ଆରମ୍ଭ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ଏହି ସମସ୍ତ ସମସ୍ୟା ସମାଧାନ ପାଇଁ ପ୍ରଶାସନକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇଛି। ଯଦି ଦିଆଯାଇଥିବା ସମୟ ଭିତରେ କାମ ଶେଷ ନହୁଏ, ତେବେ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ସମ୍ପୃକ୍ତ କାର୍ଯ୍ୟାଳୟ ସାମ୍ନାରେ ଶାନ୍ତପୂର୍ଣ୍ଣ ଆନ୍ଦୋଳନ ଓ ଧାର୍ଣ୍ଣା ପ୍ରଦର୍ଶନ କରିବେ ବୋଲି ସ୍ମାରକପତ୍ରରେ ସ୍ପଷ୍ଟ ଚେତାବନୀ ଦିଆଯାଇଛି। ଏହି ଅବସରରେ ଏବିଭିପିର ଜିଲ୍ଲା ସଂଯୋଜକ ଓମକାର ମହାନ୍ତି, ପ୍ରାନ୍ତ ଏସଏଫଡି ସହ-ସଂଯୋଜକ ଗୌରାଙ୍ଗ ବଳ, ଭଦ୍ରକ ନଗର ସହ-ସମ୍ପାଦକ ଶୁଭମ୍ ପାଢ଼ୀ, କ୍ୟାମ୍ପସ ୟୁନିଟ୍ ସଭାପତି ପ୍ରଜ୍ଞାନ ସାହୁ, ସମ୍ପାଦକ ଦିବ୍ୟରଞ୍ଜନ ଦାସ, ପ୍ରିୟବ୍ରତ ସାହୁ, ପ୍ରିୟଙ୍କା ଦାସ, ଶୁଭସ୍ମିତା ଦାସ, ମହେଶ ପ୍ରଧାନ ,ପ୍ରମୁଖ କାର୍ଯ୍ୟକର୍ତା ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।