ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ୫ଟି ମହାବିଦ୍ୟାଳୟରୁ ଯୁବ ରେଡ୍କ୍ରସ୍ର ୨୬ ଜଣ ସ୍ୱେଚ୍ଛାସେବୀ, ୪ ଜଣ ପରାମର୍ଶଦାତା, ଜିଲ୍ଲା-ସଂଯୋଜକ ଓ ୬ ଜଣ ପ୍ରଶିକ୍ଷକଙ୍କୁ ନେଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ସଙ୍କୁଳ ସ୍ତରୀୟ ପଠନ ଓ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଫିଜିକାଲ ସାଇନ୍ସ୍ ବିଭାଗର ସ୍ମାର୍ଟ-ରୁମ୍ରେ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଆୟୋଜିତ ଏହି କର୍ମଶାଳା ନଭେମ୍ବର ୯ ତାରିଖରୁ ୧୧ ତାରିଖରୁ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିଲା । ଅଧ୍ୟକ୍ଷ ଡକ୍ଟର ଉମାକାନ୍ତ ସାମଲ ରେଡ୍କ୍ରସ୍ ପତାକା ଉତ୍ତୋଳନ କରିବା ପରେ ପ୍ରଦୀପ ପ୍ରଜ୍ୱଳନ କରି କର୍ମଶାଳାର ଉଦ୍ଘାଟନ କରିଥିଲେ । ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ପଦାର୍ଥ ବିଜ୍ଞାନର ସହକାରୀ ପ୍ରଫେସର ତଥା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବ ରେଡ୍କ୍ରସ୍ ପରାମର୍ଶଦାତା କମଳାକାନ୍ତ ଜେନା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଅତିଥି ପରିଚୟ ଦେଇଥିଲେ । ଭଦ୍ରକ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତିନ କୁମାର ପଣ୍ଡା ସମ୍ମାନିତ ଅତିଥି ଏବଂ ଜିଲ୍ଲା ରେଡ୍କ୍ରସ୍ ସଂଯୋଜକ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସ୍ୱେଚ୍ଛାସେବୀମାନଙ୍କୁ ୬ଟି ବିଷୟ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ।
ଗୋପାଳ ମହାପାତ୍ର (ରେଡ୍କ୍ରସ୍ର ଇତିହାସ), ଯତିନ୍ କୁମାର ପଣ୍ଡା (ସଡକ ସୁରକ୍ଷା), ଶୈଳବାଳା ଦାଶ୍ (ରକ୍ତଦାନର ଗୁରୁତ୍ୱ), କମଳାକାନ୍ତ ଜେନା (ସବୁଜଗୃହ ପ୍ରଭାବ ଓ ବିଶ୍ୱ ତାପାୟନ), ଲକ୍ଷ୍ମୀଧର ବେହେରା (ଫାଷ୍ଟ୍ ଏଡ୍) ଓ ଡାକ୍ତର ଦୁର୍ଯ୍ୟୋଧନ ଦାସ (ଏଚ୍ଆଇଭି ଓ ଏଡ୍ସ୍ ) ରିସୋର୍ସ ପର୍ସନ ଭାବରେ ଯୋଗଦେଇଥିଲେ । ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବିମଳା ମିଶ୍ର ଯୁବ ରେଡ୍କ୍ରସ୍କୁ ନିଃସ୍ୱାର୍ଥପର ସେବାସଂସ୍ଥା ବୋଲି କହିଥିଲେ । ଅଧ୍ୟକ୍ଷ ଡକ୍ଟର ସାମଲଙ୍କ ସଭାପତିତ୍ୱରେ ଡକ୍ଟର ଦୁର୍ଗାଶଙ୍କର ଦାସ, ଡକ୍ଟର ସୁକାନ୍ତି ମହାପାତ୍ର ଓ ଡାକ୍ତର ଦୁର୍ଯ୍ୟୋଧନ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କର୍ମଶାଳାରେ ଭାଗନେଇଥିବା ସ୍ୱେଚ୍ଛାସେବୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ଓ ସାଧାରଣଜ୍ଞାନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଛାତ୍ର ନବୀନ କୁମାର ସିଂହ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ବିବେଚିତ ହୋଇଥିଲେ । ସ୍ୱେଚ୍ଛାସେବୀ ଓ ପରାମର୍ଶଦାତାମାନେ ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ । ଶେଷରେ ଜିଲ୍ଲାର ଆୟୋଜକ ସଂପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।