Odiapua.com

ଭଦ୍ରକ କଲେଜରେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ବଳରେ ନାମଲେଖା ପ୍ରସଙ୍ଗ, ରାକେଟ୍‌ରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିନେଇ ୨ ଛାତ୍ର ସଂଗଠନଙ୍କ ଆନ୍ଦୋଳନ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲେଜ ଭଳି ଏକ ବହୁ ପୁରାତନ ଶିକ୍ଷାନୁଷ୍ଠାନକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ନେଇ ବାରମ୍ବାର ଦାବି ହୋଇଆସୁଥିବାବେଳେ କେନ୍ଦ୍ର ସରକାରଙ୍କ ଉଦାସୀନତା ଏଥିରେ ଅନ୍ତରାୟ ହୋଇଛି । ତେବେ ଏହି ମାନ୍ୟତା ପାଇବାର ଘଡିସନ୍ଧି ମୁହୂର୍ତ୍ତରେ ଏହି ଶିକ୍ଷାନୁଷ୍ଠାନରେ ନାମଲେଖାକୁ ନେଇ ଯେଉଁ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରସଙ୍ଗର କେଳେଙ୍କାରୀ ସାମ୍ନାକୁ ଆସିଛି, ତାହା ଏହାର ସୁନାମରେ କଳଙ୍କ ଲେପିଛି । ଏଥିନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏ ସଂପର୍କରେ ଯାହା ଜଣାଯାଏ ଗତ ୩ ବର୍ଷ ମଧ୍ୟରେ ୨ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ଏଠାରେ ନାମ ଲେଖାଇଛନ୍ତି । ଫଳରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ମଧ୍ୟ ବହୁ ମେଧାବୀ ଛାତ୍ରଛାତ୍ରୀ ଅଧ୍ୟୟନରୁ ବଂଚିତ ହୋଇଛନ୍ତି । ସୂଚନା ଅଧିକାର ଆଇନ୍ ବଳରେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ପରେ ଜିଲାବ୍ୟାପୀ ହଟଚମଟ ସୃଷ୍ଟି ହୋଇଛି । ଫଳରେ ଶତାଧିକ ଛାତ୍ରଛାତ୍ରୀ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ତେବେ ଘଟଣାର ତଦନ୍ତ କରାଯାଇ ଜାଲ୍ ପ୍ରମାଣପତ୍ର ମୂଳେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଆଡମିଶନ ବାତିଲ କରାଯିବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ମାତ୍ର ଆଜି ଆଜି ଉପରୋକ୍ତ ଉଭୟ ସଂଗଠନର କର୍ମକର୍ତ୍ତାମାନେ ଜିଲାପାଳଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଶାସକ ଦଳର ପୂର୍ବତନ ଛାତ୍ର ନେତା ତଥା ବର୍ତ୍ତମାନର ରାଜ୍ୟ ଯୁଗ୍ମ ସଂପାଦକ ରାକେଶ ପଣ୍ଡାଙ୍କ ସହ ନିତୀଶ ପଣ୍ଡା, ଭାସ୍କର ମହାଳିକ ଓ ଅଂଶୁମହାନ ମହାନ୍ତି ପ୍ରମୁଖ କେତେକ ଛାତ୍ରଛାତ୍ରୀଙ୍କ ପାଖରୁ ଏଭଳି ଜାଲିଆତି ଭାବେ ନାମ ଲେଖାଇବା ପାଇଁ ୧୦ ହଜାରରୁ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ହାତଗୁଂଜା ନେଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇ କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବା, ଛାତ୍ରଛାତ୍ରୀଙ୍କୁ ପ୍ରଲୋଭିତ କରି ଟଙ୍କା ନେବା ଠାରୁ ନକଲି ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ତିଆରି କରିଥିବା ଓ ନକଲି ସାର୍ଟିଫିକେଟ୍‌କୁ ଯାଞ୍ଚ ନକରି ଆଡମିଶନ କରିବା ପ୍ରକ୍ରିୟାରେ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା, ବିଗତ ୫ ବର୍ଷ ମଧ୍ୟରେ ଭିନ୍ନକ୍ଷମ, କ୍ରୀଡା ଭଳି କୋଟାରେ ଆଡମିଶନ ହୋଇଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରିବା, ଭିନ୍ନକ୍ଷମ ନଥିବା ଛାତ୍ରଛାତ୍ରୀମାନେ ଉକ୍ତ ସାର୍ଟିଫିକେଟ୍ ବଳରେ ଭଦ୍ରକ ଜିଲାର ଅନ୍ୟ ପ୍ରମୁଖ ମହାବିଦ୍ୟାଳୟରେ ମଧ୍ୟ ଆଡମିଶନ କରିଛନ୍ତି କି ନାହିଁ ତାର ତଦନ୍ତ କରାଯିବା ଏବଂ ସର୍ବୋପରି ତଦନ୍ତ ପ୍ରକ୍ରିୟାରେ ନିରପେକ୍ଷତା ଆଣିବାକୁ ଆଡମିଶନ ପ୍ରକ୍ରିୟାରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରାଯିବା ଭଳି ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏବଂ ଆସନ୍ତା ୨ ଦିନ ମଧ୍ୟରେ ଏହି ରାକେଟ୍ ବିରୁଦ୍ଧରେ ତଦନ୍ତ ଟିମ୍ ପ୍ରସ୍ତୁତ କରି ୭ ଦିନ ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂପୂର୍ଣ୍ଣ ଛାତ୍ର ସମାଜ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି । ଏହି ବିକ୍ଷୋଭ ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଦୋଳନ ସ୍ଥଳକୁ ଆସି ପ୍ରଶାସନିକ ଅଧିକାରୀ ଘଟଣାର ତଦନ୍ତର ପ୍ରତିଶ୍ରୁତି ଦେବା ପରେ ଘେରାଓ ପ୍ରତ୍ୟାହୃତ ହୋଇଛି ।