Odiapua.com

ଭଦ୍ରକ ଓକିଲ ସଂଘ ପକ୍ଷରୁ ଜିଲାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର କାର୍ଯ୍ୟରତ ଜିଲା ତଥା ସେସନ୍ସ ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଆଜି ନଳାଙ୍ଗସ୍ଥିତ ଭଦ୍ରକ ଓକିଲ ସଦନରେ ଓକିଲ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଆୟୋଜିତ ବିଦାୟକାଳୀନ ଉତ୍ସବରେ ଓକିଲ ସଂଘର ସଭାପତି ନିରାକାର ଜେନା ସଭାପତିତ୍ୱ କରିଥିଳେ । ଶ୍ରୀ ନାୟକ ସମ୍ବଲପୁର ଜିଲାଜଜ୍ ଭାବେ ବଦଳି ହୋଇଛନ୍ତି । ସେ ଭଦ୍ରକର ଅସ୍ଥାୟୀ ଅତିରିକ୍ତ ଜିଲାଜଜ୍ ଭାବେ ନିଯୁକ୍ତି ପାଇ ୨୦୧୧ ରେ ସ୍ଥାୟୀ ଭାବରେ ପ୍ରଥମ ଅତିରିକ୍ତ ଜିଲାଜଜ୍ ନିଯୁକ୍ତି ପାଇଥିଲେ । ତାପରେ ତାଳଚେର ଅତିରିକ୍ତ ଜିଲାଜଜ୍ ଭାବେ ବଦଳି ହୋଇ କେନ୍ଦୁଝର ଭିଜିଲାନ୍ସ ଜଜ୍‌, ପରେ ଝାରସୁଗୁଡା ଜିଲା ଜଜ୍ ଭାବରେ ଯୋଗ ଦେଇଥିଲେ । ୨୦୨୦ ମସିହାରେ ନଳାଙ୍ଗ ଠାରେ ନୂତନ କୋର୍ଟ ବିଲଡିଙ୍ଗକୁ କୋର୍ଟ ସୌଧ ସ୍ଥାନାନ୍ତରକୁ ନେଇ ଆଇନ୍‌ଜୀବୀମାନଙକ୍ ଅସନ୍ତୋଷ ଥିବା ସମୟରେ ଏକ ଘଡିସନ୍ଧି ମୁହୂର୍ତ୍ତରେ ପୁନଶ୍ଚ ଭଦ୍ରକ ଜିଲା ଜଜ୍ ଭାବରେ ଯୋଗ ଦେଇ ନୂତନ କୋର୍ଟରେ ପ୍ରଥମ ଜିଲାଜଜ୍ ଭାବେ କାମ ଆରମ୍ଭ କରିଥିଲେ ।

ତାଙ୍କର ଅମାୟିକ ବ୍ୟବହାର ନିରପେକ୍ଷ ବିଚାର ପ୍ରକ୍ରିୟାରେ ସମଗ୍ର ଜିଲାରେ ଆଇନ୍‌ସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଥିଲା । ତାଙ୍କର ଉତ୍ତମ ଅମାୟିକ ବ୍ୟବହାର ତାଙ୍କୁ ଭଦ୍ରକର ଆଇନ୍‌ଜୀବୀ, ସହଯୋଗୀ ବିଚାରପତି, ବିଚାର ବିଭାଗୀୟ ଅଧିକାରୀ ଓ ଜନ ସାଧାରଣଙ୍କ ନିକଟରେ ସବୁଦିନ ସ୍ମରଣୀୟ କରି ରଖିବ ବୋଲି ଓକିଲମାନେ ନିଜ ନିଜର ମତ ରଖିଥିଲେ । ତେବେ ତାଙ୍କ ସ୍ଥାନରେ ନୂଆପଡା ଜିଲାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ଜିଲାଜଜ୍ ଭାବେ ଆସନ୍ତା ୩ ତାରିଖରେ କାର୍ଯ୍ୟରେ ଯୋଗଦେବେ । ଏହି ବିଦାୟକାଳୀନ ଉତ୍ସବରେ ଅତିରିକ୍ତ ଜିଲା ଜଜ୍ ଆଶିଷ କୁମାର ତ୍ରିପାଠୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସଂଗୀତା ପାଣି, ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ମୁକ୍ତିରଂଜନ ଶତପଥୀ ଓ ଅନ୍ୟାନ୍ୟ ସମସ୍ତ ବିଚାରପତି ସମେତ ଓକିଲ ସଂଘର ସଂପାଦକ ଦିବ୍ୟସିଂ ନାୟକ, ପର୍ଶୁରାମ ଦ୍ୱିବେଦୀ, ଅରୁଣ ଚାନ୍ଦ, ବସନ୍ତ ଦାସ, ଗଦାଧର ବଳ, ସନାତନ ଦୀକ୍ଷିତ, ନିଶିକାନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଗିରିଧାରୀ ନାଥ, ପ୍ରଫୁଲ୍ଲ ସାମଲ, ସୂର୍ଯ୍ୟକାନ୍ତ କୁଅଁର, ବିନୟ କୁମାର ସ୍ୱାଇଁ, ବନମାଳି ଜେନା ପ୍ରମୁଖ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।